
ଖପ୍ରାଖୋଲ : ବାଇକ୍ ଚୋରି କରି ପୁଲିସ ଆଖିରେ ଧୂଳି ଦେଇ ଖସିଯାଉଥିବା ଜଣେ ବାଇକ୍ ଚୋର ଶେଷରେ ଖପ୍ରାଖୋଲ ପୁଲିସ ହାତରେ ଧରାପଡ଼ିଛି। ପୁଲିସ ଅଭିଯୁକ୍ତଠାରୁ ୮ଟି ଚୋରି ବାଇକ୍ ଉଦ୍ଧାର କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ତୁରେକେଲା ଥାନା ଲର୍କି ଗ୍ରାମର ସ୍ବର୍ଗତ ବିଶ୍ବମ୍ବର ମେହେରଙ୍କ ପୁଅ ରିଙ୍କୁ ମେହେର(୨୬) ବୋଲି ଜଣାପଡ଼ିଛି। ଏନେଇ ପାଟଣାଗଡ଼ ଏସ୍ଡିପିଓ ଖପ୍ରାଖୋଲ ଥାନାରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ସମେତ ନୂଆପଡ଼ା ଏବଂ ଅନ୍ୟ ଜିଲ୍ଲାରେ ଗତ କିଛିଦିନ ଧରି ବାଇକ୍ ଚୋରି କରିଆସୁଥିଲା। ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା। ଗତ ଅଗଷ୍ଟ ୧୯ ତାରିଖ ଦିନ ଖପ୍ରାଖୋଲ ବ୍ଲକ୍ ଧଣ୍ତାମୁଣ୍ତା ଗାଁର ଗ୍ରାହକ ସେବାକେନ୍ଦ୍ର ସମ୍ମୁଖରୁ ଏକ ବାଇକ୍ ଚୋରି ହୋଇଥିଲା। ପୁଲିସ ଘଟଣାସ୍ଥଳରେ ସେଠାରେ ଲାଗିଥିବା ସିସିଟିଭିର ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ବରେ ପୁଲିସ ଟିମ୍ ତାକୁ ଧରିବାକୁ ଅଭିଯାନ ଆରମ୍ଭ କରିଥିଲେ। ସେ ଘରେ ନରହି ଏଣେ ତେଣେ ରହୁଥିବାରୁ ଧରି ପାରୁ ନଥିଲେ। ଶେଷରେ ଗୁରୁବାର ତାକୁ ଗିରଫ କରିଥିଲେ।
ଏହି ଚଢ଼ଉରେ କନେଷ୍ଟବଳ ସଞ୍ଜୀବ ସାହୁ, ଜାନକୀବଲ୍ଲଭ ଭୋଇ, କମଳା ଛୁରା ସାମିଲ ଥିଲେ। ଜେରା ସମୟରେ ବିଭିନ୍ନ ଅଂଚଳରୁ ସେ ୧୨ଗୋଟି ବାଇକ୍ ଚୋରି କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲା। ଅଭିଯୁକ୍ତର ସୂଚନା ଆଧାରରେ ପୁଲିସ ତୁରେକେଲା ଥାନା ଅଂଚଳରୁ ୪ଟି, କୋମନା ଥାନା ଅଂଚଳରୁ ୧ଟି, ଖରିଆର ଥାନା ଅଂଚଳରୁ ୧ଟି ଏବଂ ଖପ୍ରାଖୋଲ ଥାନା ଅଂଚଳରୁ ୨ଟି ମୋଟ ୮ଟି ବାଇକ୍ ଉଦ୍ଧାର କରିଛି। ଏନେଇ ଥାନା କେସ୍ ନଂ ୧୨୧/୨୧ରେ ଶୁକ୍ରବାର ଅଭିଯୁକ୍ତ ରିଙ୍କୁକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।
The post ଆନ୍ତଜିଲ୍ଲା ବାଇକ୍ ଚୋର ଗିରଫ, ୮ ବାଇକ୍ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3iGhEbs
0 Comments