ରାଉରକେଲା : କରୋନା ସଂକ୍ରମଣ ଭୟରୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ନବମ ଓ ଦଶମ ପିଲାଙ୍କୁ ସ୍କୁଲରେ ପାଠ ପଢ଼ାଯାଉଛି। କୋଭିଡ୍‌ କଟକଣା ନିୟମ ପାଳନ କରି ପିଲାମାନଙ୍କୁ ପାଠ ପଢ଼ାଇବାକୁ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଜିଲ୍ଲା ଶିକ୍ଷାଅଧିକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅପରପକ୍ଷେ ପ୍ରଥମ ଓ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ପରିବର୍ତ୍ତେ ଖୋଲା ସ୍ଥାନରେ ପାଠ ପଢ଼ାବାକୁ ଅନୁରୂପ ନିର୍ଦ୍ଦେଶନାମା ଜାରି ହୋଇଛି। ପ୍ରାଥମିକ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀମାନେ ମନଇଚ୍ଛା ଯେଉଁଠି ପାଇଲେ ସେଇଠି ବସାଇ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। କିଛି ସ୍କୁଲର ପିଲାଙ୍କୁ ଝାଡି, ଖୋଲା ଆକାଶ ତଳେ ବସି ପାଠ ପଢ଼ାଯାଉଛି। ପୁଣି ଅନ୍ୟ କେଉଁ ସ୍କୁଲ ପିଲାମାନଙ୍କୁ ଗଛ ମୂଳେ, ଖେଳ ପଡିଆରେ ବସାଇ ବିପଦପୂର୍ଣ୍ଣ ସ୍ଥିତିରେ ପାଠ ପଢ଼ାଯାଉଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ନୂଆଗାଁ ବ୍ଲକର କିଛି ପଞ୍ଚାୟତରେ।

କେବଳ ନୂଆଗାଁ ବ୍ଲକ ନୁହେଁ ଜିଲ୍ଲାର ପ୍ରାୟ ଅଧିକାଂଶ ବ୍ଲକରେ ସେହି ସମାନ ସ୍ଥିତି ଦେଖିବାକୁ ମିଳୁଛି। ସବୁଠୁ ଆଶ୍ଚର୍ଯ୍ୟ କଥା କେଉଁଠି ସାମାଜିକ କଟକଣା ନିୟମକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଦୌ ଧ୍ୟାନ ଦେଉ ନାହାନ୍ତି। ପାଖକୁ ପାଖ ଲାଗି ବସୁଥବା ପିଲାମାନଙ୍କ ମୁହଁରେ ମାସ୍କ ପିନ୍ଧୁ ନାହାନ୍ତି। ତୃତୀୟ ଲହରରେ ପିଲାମାନଙ୍କୁ ସଂକ୍ରମଣର ଢ଼େର ଆଶଙ୍କା ରହିଥିବାବେଳେ ପାଠ ପଢ଼ାଉଥିବା ଶିକ୍ଷକଶିକ୍ଷୟିତ୍ରୀମାନେ ଆଦୌ ଦୃଷ୍ଟି ଦେଉ ନାହାନ୍ତି। କେବଳ ବାହାବା ନେବାକୁ ଶିକ୍ଷକଶିକ୍ଷୟିତ୍ରୀମାନେ ପିଲାଙ୍କୁ ପାଠ ପଢ଼ାଉଥିବା ବେଳର ଭିଡିଓ ଓ ଫଟୋ ଉତ୍ତୋଳନ କରି ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଇ ଦେଉଛନ୍ତି। ବିଭାଗୀୟ ଅଧିକାରୀ ଏସବୁ ଦେଖୁଥିଲେ ହେଁ ଥରୁଟିଏ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ବାରଣ କରୁ ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା‌ଦେଇଛି।

ସେପଟେ ଯେମିତି ଭାବେ ଝାଡି, ପଡିଆ, ଖୋଲା ଆକାଶତଳେ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି, ନିଶ୍ଚିତ ଭାବେ ପିଲାମାନଙ୍କୁ କରୋନା ଆକ୍ରାନ୍ତର ସମ୍ଭାବନା ରହିଛି। ଏଭଳି ଅବ୍ୟବସ୍ଥା ମଧ୍ୟରେ ପିଲାଙ୍କୁ ପାଠ ପଢ଼ାଇବା ଅପେକ୍ଷା ସ୍କୁଲରେ ସାମାଜିକ ଦୂରତା ରଖି ପାଠ ପଢ଼ାଇଲେ ଆହୁରି ଭଲ ହୁଅନ୍ତା ବୋଲି ଅଭିଭାବକମାନେ ମତ ରଖିଛନ୍ତି। ତେବେ ଶିକ୍ଷକଶିକ୍ଷୟିତ୍ରୀମାନେ ଏଭଳି ଢ଼ଙ୍ଗରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ ହେଁ ତଦାରଖ ଦାୟିତ୍ବରେ ରହିଥିବା ବ୍ଲକ ଶିକ୍ଷା ଅଧିକାରୀ କିପରି ଚୁପ୍‌ ବସିଛନ୍ତି, ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପିଲାମାନଙ୍କୁ ସଂକ୍ରମଣରୁ ମୁକ୍ତ ରଖିବା ପାଠ ପଢ଼ାଇବାର ସୁବନ୍ଦୋବସ୍ତ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି।

The post କରୋନାରେ ଏମିତି ହେଉଛି କ୍ଲାସ୍‌: ଝାଡ଼ି,ଖରାରେ ପାଠ ପଢ଼ୁଛନ୍ତି ପିଲା first appeared on Sambad.

from ଜିଲ୍ଲା | Sambad https://ift.tt/3AlRctw