ଧର୍ମଶାଳା : ପତ୍ନୀଙ୍କୁ ଯୌତୁକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ଜାରକାସ୍ଥିତ ଏକ ବ୍ୟାଙ୍କ୍‌ କର୍ମଚାରୀ ସନ୍ତୋଷ କୁମାର ସାହୁଙ୍କୁ ଧର୍ମଶାଳା ଥାନା ପୁଲିସ୍‌ ଗିରଫ କରିଛି। ସନ୍ତୋଷଙ୍କୁ ଗତକାଲି ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଛି।

ମାମଲର ବିବରଣୀ ଅନୁସାରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀ ଏହି ବ୍ୟାଙ୍କ୍‌ର ଭୁବନେଶ୍ବର ବାପୁଜୀନଗର ଶାଖାରେ ୨୦୧୯ରେ ଚାକିରି କରୁଥିଲେ। ସେହି ସମୟରେ ସେଠାରେ କାମ କରୁଥିବା କର୍ମଚାରୀ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାରିକଘର ଛକର ସନ୍ତୋଷ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାକୁ ସ˚ପୃକ୍ତ ମହିଳା କର୍ମଚାରୀ ପ୍ରତ୍ୟାଖ୍ୟାନ କରିବା ପରେ ବି ସନ୍ତୋଷ ତାଙ୍କ ପିଛା ଛାଡ଼ି ନଥିଲେ। ଏପରିକି ସେ ରହୁଥିବା ଭଡ଼ାଘରେ ପହଞ୍ଚି ତାଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏ ସ˚ପର୍କରେ ସେ ଥାନାରେ ଅଭିଯୋଗ କରିବେ ବୋଲି କହିବାରୁ ସନ୍ତୋଷଙ୍କ ବାପାମା’ ତାଙ୍କୁ ବୁଝାସୁଝା କରିଥିଲେ। ଏହି ସମୟରେ ସନ୍ତୋଷ ସେଠାରୁ ବଦଳି ହୋଇ ଜାରକା ଚାଲି ଆସିଥିଲେ। ଏ ଖବର ପାଇ ଯୁବତୀ ଜାରକା ଆସି ନିଜ ବିବାହ ସ˚ପର୍କରେ ପଚାରିବାରୁ ସନ୍ତୋଷଙ୍କ ପରିବାର ଲୋକେ ତାଙ୍କୁ ଆକ୍ରମଣ କରିବା ସହିତ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ ବୋଲି ସେ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା ଏବଂ କୋର୍ଟ ବିବାହ ସହିତ  ଗତମାସ ୧୦ ତାରିଖରେ ଜାରକା ନିକଟ ଗୋକର୍ଣ୍ଣେଶ୍ବର ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା। ଦୁଷ୍କର୍ମ ମାମଲାରୁ ରକ୍ଷା ପାଇବା ପାଇଁ ସେ ତାଙ୍କୁ ବିବାହ କରିଥିବା ସନ୍ତୋଷ କହିବା ସହିତ ୧୦ଲକ୍ଷ ଟଙ୍କା ଯୌତୁକ ଦେବାକୁ ଦାବି କରିଥିଲେ। ଯୁବତୀଙ୍କ ବାପା ଯୌତୁକ ବାବଦକୁ ୨ଲକ୍ଷ ଟଙ୍କା ଦେଇଥିଲେ। ଅବଶିଷ୍ଟ ୮ଲକ୍ଷ ଟଙ୍କା ଦେବାକୁ ବାଧ୍ୟ କରି ସନ୍ତୋଷ ତାଙ୍କୁ ମାରପିଟ୍‌ କରିବା ସହିତ ପେଟକୁ ଗୋଇଠା ମାରିଥିଲେ। ତଣ୍ଟି ଚିପି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏଥିରେ ସେ ଗୁରୁତର ଆହତ ହେବା ସହିତ ରକ୍ତାକ୍ତ ହୋଇଥିଲେ। ଚିତ୍କାର ଶୁଣି ପଡ଼ୋଶୀ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ସୁସ୍ଥ ହେବା ପରେ ଯୁବତୀ ଗତ ୧୨ତାରିଖରେ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ୫୧୧/୨୧ ନମ୍ବରରେ ଏକ ମାମଲା (ଦଫା-୪୯୮(ଏ), ୩୭୬(୨)(ଏନ୍‌), ୪୯୩, ୪୧୭, ୩୨୩, ୩୦୭, ୩୪ ଆର‌୍‌/ଡବ୍ଲୁ ୪ଡିପିଧାରା) ରୁଜୁ କରି ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରିଛି।

The post ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ବ୍ୟାଙ୍କ୍‌ କର୍ମଚାରୀ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3FPvKBb