
ପୁରୀ : ପିପିଲି ଉପନିର୍ବାଚନ ଏହା ଭିତରେ ଶେଷ ହୋଇଛି। ଦୁଇଦିନ ପରେ ଗଣତି ଓ ଫଳାଫଳ। ଏହାପୂର୍ବରୁ ପୁରୀ ପେଣ୍ଠକଟା ୱେୟାର ହାଉସ ଷ୍ଟ୍ରଙ୍ଗ ରୁମ୍ରେ ଇଭିଏମ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ପୂରା ୱେୟାର ହାଉସ ଅଞ୍ଚଳକୁ ସୁରକ୍ଷା କର୍ମୀଙ୍କ ନଜରରେ ରଖାଯାଇଛି। ଏଥିପାଇଁ ବିଏସ୍ଏଫ୍, ରାଜ୍ୟ ସୁରକ୍ଷା ବାହିନୀ ଓ ଜିଲ୍ଲା ପୁଲିସଙ୍କୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାର ତତ୍ତ୍ବାବଧାନ ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରୢାଙ୍କର ଜଣେପୁଲିସ ଅଧିକାରୀଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ସେପଟେ ଗଣତି ଦିନ କେବଳ ଗଣତି କେନ୍ଦ୍ର ନୁହେଁ, ପିପିଲି ଓ ଡେଲାଙ୍ଗରେ ବି ଫୋର୍ସ ମୁତୟନ ହେବେ ବୋଲି ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ କହିଛନ୍ତି।
ଗତକାଲି ସଂଧ୍ୟାରେ ପିପିଲି ଉପନିର୍ବାଚନ ଶେଷପରେ ବିଳମ୍ବିତ ରାତି ସୁଦ୍ଧା ନିଜ ନିଜ ବୁଥ୍ର ଇଭିଏମ ଧରି ପହଞ୍ଚିଥିଲେ ପୋଲିଂ ପାର୍ଟି। ସମସ୍ତ ଇଭିଏମ୍ ଗଣତି ଓ ଯାଞ୍ଚ ପରେ ୱେୟାର ହାଉସ ଷ୍ଟ୍ରଙ୍ଗ୍ ରୁମ୍ରେ ଏହାକୁ ରଖାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ଡ. ସିଂହ କହିଛନ୍ତି ଯେ ଷ୍ଟ୍ରଙ୍ଗ ରୁମ ପ୍ରବେଶ ପୂର୍ବରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ଷ୍ଟ୍ରଙ୍ଗ୍ ରୁମ୍ ଇନର କର୍ଡନ୍ ପାଇଁ ବିଏସ୍ଏଫ୍ ଯବାନ ଓ ଅଧିକାରୀମାନେ ନିୟୋଜିତ ଅଛନ୍ତି। ମଧ୍ୟ କର୍ଡନ୍ରେ ରାଜ୍ୟ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି। ଶେଷ କର୍ଡନ୍ ତଥା ବାହାର କର୍ଡନ୍ରେ ଜିଲ୍ଲା ପୁଲିସର ଏପିଆର୍ ମୁତୟନ ହୋଇଛନ୍ତି। ଏହାସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ନିୟୋଜିତ ଅଛନ୍ତି। ଷ୍ଟ୍ରଙ୍ଗ୍ ରୁମ୍କୁ ପ୍ରବେଶ ପୂର୍ବରୁ କଡ଼ା ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଏହା ଭିତରକୁ ପ୍ରବେଶ କରୁଛନ୍ତି, ସେମାନଙ୍କ ନାମ, ଠିକଣା ଆଦି ଲିଖିତ ଭାବେ ରଖାଯାଉଛି। ସରକାରୀ ସ୍ବୀକୃତିପ୍ରାପ୍ତ ଅଧିକାରୀଙ୍କୁ ଛଡ଼ାଯାଉଛି। ଜଣେ ଅତିରିକ୍ତ ଏସ୍ପି ରୢାଙ୍କ୍ର ଅଧିକାରୀ ତଦାରଖ କରୁଛନ୍ତି। ଦୁଇଜଣ ଇନ୍ସିପେକ୍ଟର ଓ ୫ଜଣ ଏସଆଇ, ଏଏସଆଇଙ୍କୁ ମୁତୟନ କରାଯାଇଛି। ଚଳିତବର୍ଷ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ଏଥିପାଇଁ ପିପିଲି ଓ ଡେଲାଙ୍ଗବାସୀଙ୍କୁ ଜିଲ୍ଲା ପୁଲିସ ତରଫରୁ ଧନ୍ୟବାଦ ଜଣାଉଛି। ଗଣତି ଶେଷ ପର୍ଯ୍ୟନ୍ତ ଏହି ସୁରକ୍ଷା ବ୍ୟବସ୍ଥା ଚାଲୁ ରହିବ। ଗଣତି ଶେଷ ପରେ ପର୍ଯ୍ୟାୟକ୍ରମେ ସୁରକ୍ଷା ବ୍ୟବସ୍ଥା କମ୍ କରାଯିବ। ଗଣତି ଦିନ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ଷ୍ଟ୍ରଙ୍ଗ୍ ରୁମ୍ ସଂଯୋଗ ରାସ୍ତା ସିଲ୍ କରଯିବ। ଆଖପାଖ ଅଞ୍ଚଳ ଉପରେ କଡ଼ା ନଜର ରଖାଯିବ।
The post ପିପିଲି ଉପନିର୍ବାଚନ: ଷ୍ଟ୍ରଙ୍ଗ୍ରୁମ୍ରେ ଇଭିଏମ୍, କାଲି ଗଣତି first appeared on Sambad.from ଜିଲ୍ଲା | Sambad https://ift.tt/3mnHDWa
0 Comments