
କଳାଦିବସ ପାଳନ କଲେ ୨୦୪୭ କର୍ମଚାରୀ
ମଧ୍ୟାହ୍ନ ଭୋଜନ ବି ବର୍ଜନ କଲେ
ଅବସର ନେବାକୁ ଶହ ଶହ କର୍ମଚାରୀଙ୍କ ଯୋଜନା
ବଲାଙ୍ଗୀର/ ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନା ଶୁକ୍ରବାର ନିଗମ ହାତକୁ ଚାଲିଯାଇଛି। ଆନୁଷ୍ଠାନିକ ଭାବରେ ଏହି କାରଖାନାର ଏଣିକି ପରିଚାଳନା ମିନ୍ୟୁସନ୍ ଇଣ୍ଡିଆ ଲିମିଟେଡ କରିବ। କାରଖାନାର ପରିଚାଳନା ଦାୟିତ୍ୱ ନିଗମ ହାତକୁ ଯିବାରୁ କର୍ମଚାରୀମାନେ ଏଥିରେ ଖୁସି ନାହାନ୍ତି। ଶ୍ରମିକ ସଂଗଠନ ଆହ୍ୱାନରେ କାରଖାନାର ୨୦୪୭ କର୍ମଚାରୀ ଏହି ଦିନକୁ କଳାଦିବସ ଭାବରେ ପାଳନ କରିଛନ୍ତି। ଏହାସହ ଦ୍ୱିପହର ଭୋଜନକୁ ବର୍ଜନ କରିଛନ୍ତି। ଅନ୍ୟପଟେ କାରଖାନାରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ଅବସରନେବାକୁ ଯୋଜନା କରୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମ୍ୟୁନିସନ୍ ଇଣ୍ଡିଆ ଲିମିଟେଡ଼ର ମୁଖ୍ୟ କାର୍ଯ୍ୟାଳୟ ମହାରାଷ୍ଟ୍ରର ପୁନେଠାରେ ଖୋଲାଯାଇଛି। ଏହି ନିଗମରେ ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ସମେତ ଅନ୍ୟ ୧୧ଗୋଟି କାରଖାନାକୁ ସାମିଲ କରାଯାଇଛି। ଅକ୍ଟୋବର ୧ ତାରିଖରୁ ସରକାରଙ୍କ ଦ୍ୱାରା ପୂର୍ବରୁ ନିଯୁକ୍ତ କର୍ମଚାରୀ ଓ ଅଧିକାରୀମାନେ ଦୁଇବର୍ଷର ଡେପୁଟେସନରେ ନିଗମରେ କାର୍ଯ୍ୟ କରିବେ। ଏହି ଦୁଇବର୍ଷ ମଧ୍ୟରେ ସରକାରଙ୍କଠାରୁ ମିଳୁଥିବା ସମସ୍ତ ସୁବିଧା କର୍ମଚାରୀ ଓ ଅଧିକାରୀମାନେ ଉପଭୋଗ କରିପାରିବେ ବୋଲି ଦର୍ଶାଯାଇଛି। ବଡ଼ମାଳ ଗୋଳାବାରୁଦ କାରଖାନାରେ ମହାପ୍ରବନ୍ଧକଙ୍କଠାରୁ ଗ୍ରୁପ-ଏ, ବି, ସି ଓ ଡି ବର୍ଗର ୨୦୪୭ ଜଣ କର୍ମଚାରୀ କାର୍ଯ୍ୟରତ। ତେବେ ଦେଶରେ ୪୧ଗୋଟି ଗୋଳାବାରୁଦ କାରଖାନା ନିଗମରେ ସାମିଲ ହୋଇଥିବା ପ୍ରତିବାଦରେ ଦେଶବ୍ୟାପୀ ଶ୍ରମିକ ସଂଗଠନମାନଙ୍କ ଆହ୍ୱାନକ୍ରମେ ଶୁକ୍ରବାର ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀମାନେ କଳାଦିବସ ପାଳନ ସହ ଦ୍ୱିପ୍ରହର ଭୋଜନ ବର୍ଜନ କରି ବିରୋଧ ପ୍ରଦର୍ଶନ କରିଥିଲେ। ଏପଟେ ଗୋଳାବାରୁଦ କାରଖାନା ନିଗମୀକରଣ ହେବାପରେ ବହୁ ଅଧିକାରୀ ଓ କର୍ମଚାରୀ ଚାକିରି ଛାଡ଼ି ଦେବାକୁ ଲିଖିତ ଭାବରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ନେଇ ଆଲୋଚନା ହେଉଛି।
ସୂଚନାଯୋଗ୍ୟ ଯେ ୧୯୮୪ ମସିହାରେ ବଡ଼ମାଲ ଗୋଳାବାରୁଦ କାରଖାନାର ସ୍ଥାପନ ପାଇଁ ଶିଳାନ୍ୟାସ ହୋଇଥିଲା। କାରଖାନା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲି ୧୯୯୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। ଏବେ କାରଖାନା ନିଗମରେ ସାମିଲ ହୋଇଛି। ଆଗକୁ କ’ଣ ସବୁ ପରିବର୍ତ୍ତନ ହେବ, ସେନେଇ କାର୍ଯ୍ୟରତ ହଜାର ହଜାର କର୍ମଚାରୀ ଚିନ୍ତିତ ରହିଛନ୍ତି।
The post ନିଗମରେ ମିଶିଲା ଗୋଳାବାରୁଦ କାରଖାନା first appeared on Sambad.from ଜିଲ୍ଲା | Sambad https://ift.tt/3mgr5z6
0 Comments