ବାରିପଦା: ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବିଶ୍ବପ୍ରସିଦ୍ଧ ଶିମିଳିପାଳ। ମାତ୍ର ଏଯାଏଁ ସଜଡ଼ା ହୋଇପାରିଲାନି ଭିତ୍ତିଭୂମି ଓ ଗମନାଗମନ ବ୍ୟବସ୍ଥା। ଶିମିଳିପାଳର ପ୍ରବେଶ ଦ୍ବାର କୁହାଯାଉଥିବା ଲୁଲୁଙ୍ଗ୍ ଗେଟ୍ରୁ ପଶୁ ପଶୁ ହିଁ ପର୍ଯ୍ୟଟକଙ୍କ ପାଇଁ ନକରାତ୍ମକ ଭାବନା ସୃଷ୍ଟି ହେବାର ବାଟ ଖୋଲା ରହିଛି। ଗତ ବର୍ଷା ଋତୁରେ ଧୋଇଯାଇଥିଲା

ଶିମିଳିପାଳକୁ ବାହାର ଦୁନିଆ ସହିତ ସଂଯୋଗ କରୁଥିବା ଏହି କଲଭର୍ଟ। ତେବେ ବର୍ଷାରେ ଧୋଇଯାଇଥିବା ଏହି କଲଭର୍ଟ କିନ୍ତୁ ଏଯାବତ୍ ମରାମତି ହୋଇପାରିଲାନି। ଯୋଗାଯୋଗ ପାଇଁ ନିର୍ମାଣ ହୋଇଥିବା କାମଚଳା ରାସ୍ତାର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ। ଚାରିଚକିଆ ଗାଡ଼ି ମଧ୍ୟ ଯିବା ବେଳେ ବେଶ୍ ସାବଧାନତା ଅବଲମ୍ବନ କରିବାକୁ ପଡ଼ୁଛି। ଦୁଇ ଚକିଆ ଗାଡ଼ି ଓ ପାଦଚଲାଙ୍କ କଥା ନକହିବା ଭଲ। ମାଟି ପଥରରେ ନିର୍ମିତ ଏହି ରାସ୍ତା ଏକ ବିଶ୍ବପ୍ରସିଦ୍ଧ ଅଭୟାରଣ୍ୟର ଦୁଆରମୁହଁ ହେବା ଉଚିତ ନୁହେଁ ବୋଲି ପର୍ଯ୍ୟଟକମାନେ ମତ ଦିଅନ୍ତି।

ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିବାକୁ ହାତରେ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଶିମିଳିପାଳ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ସଜଡ଼ା ଯିବ ବୋଲି କହିଛନ୍ତି। ପର୍ଯ୍ୟଟକଙ୍କ ଉତ୍ତମ ଗମନାଗମନ ପାଇଁ ଯାହା ଭଲ ତାହା ନିଶ୍ଚିତ କରାଯିବ ବୋଲି ଆରସିସିଏଫ୍ ଯୋଗ ଜୟାନନ୍ଦ ପ୍ରକାଶ କରିଛନ୍ତି। ତେବେ ରାସ୍ତାର ଅବସ୍ଥା ଏପରି ଅଛି ଯେ ତାହା ଗୋଟିଏ ଦିନରେ ସଜଡ଼ା ଯିବା ମୁସ୍କିଲ୍। ଢେର ଦିନ ହେବ ଏପରି କଦର୍ଯ୍ୟ ରାସ୍ତା ଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କଣ ପାଇଁ ଏହାକୁ ମରାମତି କରିପାରିଲେ ନାହିଁ ତାହା ନିହାତି ଚିନ୍ତାଜନକ। ପଳପଳା ନଦୀ ଉପରେ ନିର୍ମିତ ଏହି ସଂଯୋଗୀକରଣ କଲଭର୍ଟ ଉପରେ ଲୁଲୁଙ୍ଗ୍‌ରେ ଥିବା ଶହ ଶହ ଗା୍ମବାସୀ ମଧ୍ୟ ନିର୍ଭରଶୀଳ। ତେଣୁ ପର୍ଯ୍ୟଟନ ଋତୁ ଆସୁଥିବାବେଳେ ଏହାକୁ ସଠିକ୍ ଭାବେ ମରାମତି ହେଉ ବୋଲି ପ୍ରେମଜିତ ଦାସ ଦାବି କରିଛନ୍ତି।

 

The post ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ; ଆସିବେ ଶହ ଶହ ପର୍ଯ୍ୟଟକ, ସଜଡ଼ା ହୋଇପାରିଲାନି ଭିତ୍ତିଭୂମି first appeared on Sambad.

from ଜିଲ୍ଲା | Sambad https://ift.tt/3CAqIGA