କଟକ : ବରଗଡ଼ ଟାଉନ୍‌ ଥାନାରେ ହାଜତ ମୃତ୍ୟୁ ଅଭିଯୋଗର ସିବିଆଇ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ତୋରା ଗାଁର ଗୋବିନ୍ଦ କୁମ୍ଭାର(୨୭)ଙ୍କୁ ସେପ୍ଟେମ୍ବର ୨୪ ତାରିଖ ରାତିରେ ପୁଲିସ୍‌ ଥାନାକୁ ଉଠାଇ ଆଣିଥିଲା। ଶନିବାର ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନିଅାଯାଇଥିଲା। ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ। ତେବେ ଗୋବିନ୍ଦକୁ ଥାନାରେ ନିସ୍ତୁକ ମାଡ଼ ମରାଯାଇଥିଲା ଏବଂ ମାଡ଼ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ପୁଲିସ ଉଚ୍ଚ ଅଧିକାରୀ, ବିଧାୟକ ଓ ଜିଲ୍ଲା ପ୍ରଶାସନର ବିରିଷ୍ଠ ଅଧିକାରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ମଧ୍ୟ ଦୋଷୀଙ୍କୁ ଗିରଫ କରାଯାଇନାହିଁ। ଅନ୍ୟପକ୍ଷରେ ମୃତ ଗୋବିନ୍ଦଙ୍କ ସଂପର୍କୀୟ ଓ ପରିବାର ସଦସ୍ୟଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ବରଗଡ଼ ପୁଲିସର ଭୂମିକା ସନ୍ଦେହ ଘେରରେ ରହିଥିବାବେଳେ ଘଟଣାର ସିବିଆଇ କିମ୍ବା ଅନ୍ୟ କୌଣସି ସ୍ବାଧୀନ ଏଜେନ୍ସି ଦ୍ବାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥିସହିତ ମୃତ ଗୋବିନ୍ଦଙ୍କ ପରିବାର ସଦସ୍ୟଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ବରଗଡ଼ ଏସପି ଓ ବରଗଡ଼ ଟାଉନ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

The post ହାଇକୋର୍ଟରେ ବରଗଡ଼ ହାଜତ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ଆବେଦନ first appeared on Sambad.

from ଜିଲ୍ଲା | Sambad https://ift.tt/3la6ehN