
ଦଶରଥପୁର : ମଙ୍ଗଳପୁର ଥାନା ତଥା ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ନାଲମଲ୍ଲିକପାଟଣା ବଣସାହିରେ ଜଣେ ମହିଳାଙ୍କୁ ଶାଶୂଘର ଲୋକେ ନିଆଁରେ ପୋଡ଼ି ମାରିଦେଇଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ବିଂଝାରପୁର ଥାନା ଅନ୍ତର୍ଗତ ଚିକଣା ପଞ୍ଚାୟତ ଡିହାଟିକିରିର ବିକ୍ରମ ବେହେରାଙ୍କ ଝିଅ ଜୟଶ୍ରୀ(୩୭)ଙ୍କର ବଣସାହିର ବଂଶୀଧର ବେହେରାଙ୍କ ପୁଅ ମହେଶ୍ୱର(୪୨)ଙ୍କ ସହିତ ବୈଦିକ ରୀତିରେ ବାହାଘର ହୋଇଥିଲା। ସେମାନଙ୍କର ୨ଟି ଯାଆଁଳା ପୁଅ ଓ ଗୋଟିଏ ଝିଅ ହେବାପରେ ଜୟଶ୍ରୀଙ୍କୁ ବାପଘରୁ ଅଧିକ ଟଙ୍କା ଓ ଜିନିଷପତ୍ର ଆଣିବାକୁ କୁହାଯାଇଥିଲା। ସ୍ୱାମୀ ମହେଶ୍ୱର, ଶାଶୂ ବିଟଳି ଓ ଶ୍ବଶୁର ବଂଶୀଧର ବୋହୂ ଜୟଶ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏସମ୍ପର୍କରେ ଜୟଶ୍ରୀ ବାପଘର ଲୋକଙ୍କୁ ଫୋନରେ ଜଣାଇବା ପରେ ଦୁଇଥର ଏହାର ସମାଧାନ କରାଯାଇଥିଲା। ଗତ ୧୬ ତାରିଖ ବିଳମ୍ବିତ ରାତିରେ ଜୟଶ୍ରୀଙ୍କ ମୋବାଇଲ୍ ଫୋନରୁ ଜଣେ ମହିଳା ତାଙ୍କ ବାପଘରକୁ ଫୋନ୍ କରି ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କହିଥିଲେ। ବାପଘର ଲୋକେ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ଝିଅ ମରିଯାଇଥିବା ଦେଖିବାକୁ ପାଇଥିଲେ।
ଝିଅକୁ ଯୋଜନାବଦ୍ଧ ଭାବେ ନିଆଁରେ ପୋଡ଼ି ମାରିଦେବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ବାପଘର ଲୋକେ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମଙ୍ଗଳପୁର ଥାନାଧିକାରୀଙ୍କ ନିର୍ଦ୍ଦେଶରେ ଏସଆଇ ହରିଶ ସିଂ ଜୟଶ୍ରୀଙ୍କ ଶାଶୂଘରେ ପହଞ୍ଚି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛନ୍ତି।
The post ନିଆଁରେ ପୋଡ଼ି ବଧୂହତ୍ୟା ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/3lOXXA5
0 Comments