
ରାଉରକେଲା: ଆଜିଠୁ ଆରମ୍ଭ କାର୍ତ୍ତିକ ମାସ। ଆମିଷ ଛାଡି ନିରାମିଶ ପାଳିବେ ସହରବାସୀ। ଆମିଷ ବଜାର ଛାଡି ପରିବା ବଜାର ଜମିବ ଭିଡ। କିନ୍ତୁ କାର୍ତ୍ତିକ ମାସର କିଛି ଦିନ ପୂର୍ବରୁ ଜଳୁଛି ପରିବା ବଜାର। ଫଳରେ ହାଣ୍ଡିଶାଳରେ ହୋଇଛି ମହଙ୍ଗାମାଡ଼। ଯେଉଁ ପନି ପରିବା କିଛି ଦିନ ପୂର୍ବରୁ କେଜି ପ୍ରତି ୨୦ ରୁ ୩୦ ଟଙ୍କା ରହିଥିଲା, ତାହା ଏବେ ଦୁଇଗୁଣରେ ବିକ୍ରି ହେଉଛି। ଅର୍ଥାତ୍ ଅଧିକାଂଶ ପରିବାର କେଜି ପ୍ରତି ଦର ୫୦ ଟଙ୍କା ଉପରେ ରହିଛି। ଫୁଲ କୋବି କେଜି ପ୍ରତି ୮୦ ଟଙ୍କାରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପୋଟଳ କେଜି ପ୍ରତି ୬୦ରୁ ୮୦ ଟଙ୍କା। ଟମାଟୋ କେଜି ପ୍ରତି ୬୦ ଟଙ୍କା ରହିଥିବାବେଳେ କାଙ୍କଡ ୭୦ରୁ ୮୦ ଟଙ୍କା। ଛୁଇଁ କେଜି ପ୍ରତି ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ବରବାଟି ୫୦ ଟଙ୍କା। ଭେଣ୍ଡି ୪୦ ଟଙ୍କା, ଗୁଆଁର ୬୦ ଟଙ୍କା, ଶାଗ ବିଡା ୨୦ ଟଙ୍କା ଓ କଖାରୁ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି।
ଗୋଟିଏ ପଟେ କମ୍ ଆମଦାନୀ, ଅନ୍ୟପଟେ ଅହେତୁକ ତୈଳତର ବୃଦ୍ଧି ପରିବା ବଜାର ଦରକୁ ଦ୍ବିଗୁଣିତ କରିଛି। ଯେଉଁଠି ୧୦୦ ରୁ ୧୫୦ ଟଙ୍କାରେ ବ୍ୟାଗ୍ ପୁରୁଥିଲା, ସେଠି ଏବେ ୪୦୦ରୁ ୫୦୦ ଟଙ୍କା ହେଲେ ମଧ୍ୟ ବ୍ୟାଗ୍ ପୁରୁନି। ଏଭଳି ସ୍ଥିତି ଆହୁରି ଦୁଇ ମାସ ଲାଗି ରହିବ ବୋଲି ବ୍ୟବସାୟୀମାନେ କହିବା ପରେ ଗ୍ରାହକମାନଙ୍କ ଚିନ୍ତା ବଢ଼ିଯାଇଛି। ପନିପରିବାର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ଗ୍ରାହକମାନେ କେଜି ପରିବର୍ତ୍ତେ ଅଧା କେଜି ନେଉଛନ୍ତି। ବିଶେଷ କରି ମଧ୍ୟବିତ ଓ ସାଧାରଣ ଗ୍ରାହକଙ୍କୁ ପରିବା ଦର ବେଶ୍ ବାଧୁଛି। ସାଧାରଣ ଗ୍ରାହକଟିଏ କେଜି ପ୍ରତି ୬୦ ଟଙ୍କା ଉପରେ ରହିଥିବା ପନି ପରିବା ଉପରୁ ମୁହଁ ଫେରାଇ ଆଣିବାକୁ ବାଧ୍ୟ ହେଉଛନ୍ତି।

କରୋନା ମାଡରେ ସାଧାରଣ ଗ୍ରାହକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାବେଳେ ପରିବା ଦର ବେଶ୍ ବାଧୁଥିବା କିଛି ଗ୍ରାହକଙ୍କ କହିଛନ୍ତି। ସେପେଟ ଆକାଶଛୁଆଁ ପରିବା ଦର ଯୋଗୁଁ ବ୍ୟବସାୟୀଙ୍କୁ ଲାଭ ଅପେକ୍ଷା କ୍ଷତି ସହିବାକୁ ପଡ଼ୁଛି। ପୂର୍ବରୁ ଯେଉଁଟି ଖୁଚୁରା ବେପାରୀମାନେ କେଜି ଉପରେ ୫ରୁ ୭ ଟଙ୍କା ଲାଭ କରୁଥିଲେ, ଏବେ ୨/୩ ଟଙ୍କା ବାହାରିକା କଷ୍ଟକର ହୋଇ ପଡୁଛି ବୋଲି କହିଛନ୍ତି ଛେଣ୍ଡର ପରିବା ବେପାରୀ ସୁଶାନ୍ତ ଦାସ। ସେ କହିଛନ୍ତି ଯେବେ ଠାରୁ ପରିବା ଦର ବଢ଼ିଲାଣି, ସେବେଠାରୁ ବେପାର ପୁରା ମାନ୍ଦା ରହିଛି। ପାଇକାରୀ ଠାରୁ କେଜି ଆମେ ଯେତିକି ଦରରେ କିଣୁଛି, ସେତିକି ଦରରେ ବିକିଲେ ମଧ୍ୟ ଗ୍ରାହକମାନେ କିଣିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସହରର ପ୍ରମୁଖ ପରିବା ବଜାର ଟ୍ରାଫିକ୍ ଗେଟ୍, ସେକ୍ଟର-୧୯ ଇସ୍ପାତ ହାଟ, ଛେଣ୍ଡ ଭିଏସ୍ଏସ୍ ମାର୍କେଟ, ପାନପୋଷ, ଡେଲିମାର୍କେଟ, ସେକ୍ଟର-୧୮ ଡେଲିମାର୍କେଟ, ସେକ୍ଟର-୧ ଏନ୍ଏସି ମାର୍କେଟ, ଝିରପାଣି, ବାସନ୍ତୀ କଲୋନି, ଫର୍ଟିଲାଇଜର, ବେଦବ୍ୟାସ ସମେତ ସହରର ଅନ୍ୟ ପରିବା ବଜାର ସେହି ସମାନ ସ୍ଥିତି। ଯଦି ଏବେଠୁ ପରିବା ଦର ଏମିତି, କାର୍ତ୍ତିକ ମାସରେ ଦର ଗ୍ରାହକଙ୍କୁ କନ୍ଦାଇବ ନିଶ୍ଚିତ ଏଥିରେ ଦ୍ବିମତ ନାହିଁ।
ପରିବା କେଜି ପ୍ରତିଦର
ଫୁଲକୋବି ୭୦ରୁ ୮୦ ଟଙ୍କା
କାଙ୍କଡ ୬୦ ଟଙ୍କା
କାକୁଡ଼ି ୪୦ ଟଙ୍କା
ଜହ୍ନି ୪୦ ଟଙ୍କା
ପୋଟଳ ୬୦ରୁ ୮୦ ଟଙ୍କା
ଟମାଟୋ ୬୦ ଟଙ୍କା
ଗାଜର ୬୦ ଟଙ୍କା
ଛୁଇଁ ୧୦୦ ଟଙ୍କା
କଲରା ୪୦ରୁ ୫୦ ଟଙ୍କା
ଗୁଆଁର ୬୦ ଟଙ୍କା
ଭେଣ୍ଡି ୪୦ ଟଙ୍କା
ବରବାଟି ୫୦ ଟଙ୍କା
କଦଳୀ ୪୦ରୁ ୫୦ ଟଙ୍କା
କ୍ୟାପ୍ସିକମ୍ ୬୦ରୁ ୮୦ ଟଙ୍କା
ସାରୁ ୪୦ ଟଙ୍କା
ବାଇଗଣ ୩୦ରୁ ୪୦ ଟଙ୍କା
ବନ୍ଧାକୋବି ୪୦ରୁ ୫୦ ଟଙ୍କା
ଅମୃତଭଣ୍ଡା ୨୦ ଟଙ୍କା
କଖାରୁ ୨୦ ଟଙ୍କା
କୁନ୍ଦୁରି ୪୦ ଟଙ୍କା
ଶାଗବିଡା ୨୦ ଟଙ୍କା
ମାଟି ଆଳୁ ୬୦ରୁ ୮୦ ଟଙ୍କା
The post ଆଜିଠୁ କାର୍ତ୍ତିକ ମାସ; କନ୍ଦାଉଛି ଆକାଶଛୁଆଁ ପରିବା ଦର first appeared on Sambad.from ଜିଲ୍ଲା | Sambad https://ift.tt/3G9zDBc
0 Comments