
ବଲାଙ୍ଗୀର: ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ଲିଙ୍କ ଅଭିଯୋଗରେ ବୁଧବାର ଦିନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବି କରି ସାଂସଦ ସଂଗୀତା ସିଂହଦେଓଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ସ୍ଥାନୀୟ ଏସ୍ପିଙ୍କ କାର୍ଯ୍ୟାଳୟ ଘେରିଥିଲେ। ନାରାବାଜି କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଆନ୍ଦୋଳନ ସମୟରେ ବିଜେପି କର୍ମୀ ଏସ୍ପିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା। ସେହି ସମୟରେ ବିଜେପି କର୍ମକର୍ତ୍ତା ଏବଂ ପୁଲିସ ଫୋର୍ସ ମୁହାଁମୁହିଁ ହୋଇଥିଲେ। ଧସ୍ତାଧସସ୍ତି ବି ହୋଇଥିଲା। ପରେ ସାଂସଦଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ଡିଆଇଜି ଏବଂ ବଲାଙ୍ଗୀର ଏସ୍ପିଙ୍କ ସହ ଆଲୋଚନା କରି ଦାବିପତ୍ର ପ୍ରଦାନ କରିବା ସହ ମମିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।
ମନ୍ତ୍ରୀ ଦିବ୍ୟଶଙ୍କର ପଦବିରେ ରହିଲେ ତଦନ୍ତ ବାଟବଣା ହୋଇପାରେ, ଏଣୁ ତାଙ୍କୁ ପଦବିରୁ ବାହାର କରାଯିବା ସହ ଗୋବିନ୍ଦ ସାହୁର କଲେଜରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାସ କରାଯାଉ ବୋଲି ବିଜେପି କର୍ମୀ ଦାବି କରିଥିଲେ। ସାଂସଦ ସଂଗୀତା ସିଂହଦେଓ କହିଥିଲେ, ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏଭଳି ଘଟଣା ଘଟିଛି। ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କ ଘନିଷ୍ଠତା ଥିଲା। କଲେଜରେ ଘଣ୍ଟାଘଣ୍ଟା ବିତାଉଥିଲେ ମନ୍ତ୍ରୀ। ଏପଟେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନମଣ୍ଡଳୀରୁ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରୁଛି। ଏଣୁ ଏହା କେଉଁଭଳି କାମ? ମନ୍ତ୍ରୀଙ୍କ ଇସାରାରେ ପୁଲିସ ତଦନ୍ତ କରୁଛି। ଫେରାର କରାଇ ଦେଇ ତଳିଆ ତିନି ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଉଛି। ଏଣୁ ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତାଙ୍କ ପଦବିରୁ ବହିଷ୍କାର କରାଯିବା ଦରକାର। ତାଙ୍କର ଲିଙ୍କ୍ ନେଇ ତଦନ୍ତ ହେବା ଦରକାର। ମମିତାଙ୍କୁ ନ୍ୟାୟ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଥିଲେ।
ଆନ୍ଦୋଳନରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଅନନ୍ତ ଦାସ, ପ୍ରଭାସ ପାଣିଗ୍ରାହୀ, ମାଧବ ସାଏ, ମହିଳାମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ରଂଜିତା ପାଣିଗ୍ରାହୀ, ଇତିଶ୍ରୀ ଜେନା ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ରହିଥିଲେ।
The post ଏସ୍ପି ଅଫିସ୍ ଘେରିଲା ବିଜେପି, ପୁଲିସ ସହ ଧସ୍ତାଧସ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3m08Krb
0 Comments