ବଡ଼ବିଲ : ବଡ଼ବିଲ ସେସାଗୁଆ କଲୋନିରୁ ଶନିବାର ବିଳମ୍ବିତ ରାତିରେ ଚୋରି ‌ହୋଇଥିବା ଏକ ୧୨ ଚକିଆ ଟ୍ରକ୍‌ (ଓଆର୍‌-୦୫-ଏଏନ୍-୭୦୮୧)କୁ ପୁଲିସ ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବିଲ ୮ ନମ୍ବର ୱାର୍ଡ ପିଏଚ୍‌ଡି ଅଞ୍ଚଳର ସୋମନାଥ ପିଙ୍ଗୁଆ (୨୦), ବିକାଶ ପାତ୍ର(୨୬), ବିଶାଲ ସାଣ୍ଡିଲ(୨୪) ଏବଂ ୬ ନମ୍ବର ୱାର୍ଡ ଶିବଛକର ବିଜୟ କାରୁଆ (୨୪)।

ଗାଡ଼ି ମାଲିକାଣୀ ଲୋପାମୁଦ୍ରା ମହାନ୍ତି ବଡ଼ବିଲ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଚାଳକ ଛୁଟିରେ ଥିବାରୁ ତାଙ୍କ ଟ୍ରକ୍‌ଟି ସେସାଗୁଆ କଲୋନି ବାହାରେ ଛିଡ଼ା ହୋଇଥିଲା। ଗାଡ଼ିକୁ ସୁରକ୍ଷା ଦେବା ପାଇଁ ଜଣେ ଯୁବକ ରାତିରେ ଟ୍ରକ୍‌ ଭିତରେ ଶୋଉଥିଲେ। ଶନିବାର ରାତି ପ୍ରାୟ ସାଢ଼େ ୧୦ଟାବେଳେ ସମ୍ପୃକ୍ତ ଯୁବକ ଜଣଙ୍କ ଶୋଇବାକୁ ଆସିଲା ବେଳକୁ ଟ୍ରକ୍‌ ନଥିଲା। ଯୁବକ ଜଣଙ୍କ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ଟ୍ରକ୍‌ର ସନ୍ଧାନ ପାଇ ନଥିଲେ। ଏନେଇ ସେ ଗାଡ଼ି ମାଲିକାଣୀ ଶ୍ରୀମତୀ ମହାନ୍ତିଙ୍କୁ ଫୋନ୍‌ କରି ଜଣାଇଥିଲେ। ଶ୍ରୀମତୀ ମହାନ୍ତି ୧୭ ତାରିଖରେ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ।

ବଡ଼ବିଲ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯୋଡ଼ା-ବଡ଼ବିଲ ରାସ୍ତାର ବଡ଼ବିଲ କଲେଜ ନିକଟରେ ଥିବା ରିଲାୟାନ୍ସ ପେଟ୍ରୋଲ ପମ୍ପ ନିକଟରୁ ଚୋରି ଟ୍ରକ୍‌କୁ ଉଦ୍ଧାର କରାଯାଇଛି। ଏଥରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। କେସ୍‌ ନମ୍ବର ୧୭୬/୨୧ ଦଫା ୩୭୯ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।

The post ଚୋରି ଟ୍ରକ୍‌ ଉଦ୍ଧାର, ୪ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3G2DjVk