
ଯାଜପୁରଟାଉନ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ରବିବାର ଦିନ ତ୍ରୟୋଦଶ ଦିବସ ଶାରଦୀୟ ପୂଜା ପାଳିତ ହୋଇଥିବା ବେଳେ ରଥଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ରବିବାର ଦିନ ମା’ ବିରଜା ଦେବୀଙ୍କ ମହାପଞ୍ଚମୀ ତିଥି ଥିବାରୁ ସକାଳେ ବୈତରଣୀ ଜଳରେ ନିତ୍ୟ ସ୍ନାନ ହେବା ପରେ ବଡ଼ ନୀତିର ଆୟୋଜନ କରାଯାଇଥିଲା। ସମସ୍ତ ପୂଜା କାର୍ଯ୍ୟ ୩ଟାରେ ସମାପନ ହେବା ପରେ ୩.୩୦ରୁ ୪.୩୦ ପର୍ଯ୍ୟନ୍ତ ପହଡ଼ କରାଯାଇଥିଲା। ୪.୪୫ରେ ରଥ ଚାଳନା କରାଯାଇଥିଲା। ରଥକୁ ପ୍ରଥମ ବେଢ଼ାରୁ ନିଆଯାଇ ପୂର୍ବଦକ୍ଷିଣ କୋଣରେ ରଖାଯାଇଛି। ଆର୍ଶାକୁ ମନ୍ଦିର ଗର୍ଭ ଗୃହକୁ ନିଆଯିବା ପରେ ସଂଧ୍ୟା ଆଳତୀ କରାଯାଇଥିଲା। ରାତି ୮ ଟାରେ ମା’ ବିରଜାଙ୍କ ମହାସ୍ନାନ କରାଯାଇଛି। ୩୦ ରୁ ଊର୍ଦ୍ଧ୍ବ ଶାସନ ବ୍ରାହ୍ମଣ ବୈତରଣୀ ଜଳରେ ମା’ଙ୍କୁ ସ୍ନାନ କରାଇବା ପରେ ନିତ୍ୟ ବେଶ, ଚନ୍ଦନ ବେଶ କରାଯାଇଥିଲା। ପରେ ପରମ୍ପରା ଅନୁଯାୟୀ ରବିବାର ଦିନ ମା’ଙ୍କ ସୁନାବେଶ କରାଯାଇଥିଲା। ରାତ୍ର ୧୦ଟାରେ ଷୋଡ଼ଶୋପଚାର ପୂଜାର ଆୟୋଜନ କରାଯାଇ ରାତି ୧ଟାରେ ପୂଜା ସମାପନ ହୋଇଥିଲା। ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଏହି ଯଜ୍ଞ ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିବ। ସୋମବାର ଦିନ ମା’ଙ୍କର ଷଷ୍ଠୀ ଓ ସପ୍ତମୀ ପୂଜା ଗୋଟିଏ ଦିନରେ ପଡ଼ୁଥିବାରୁ ସେବାୟତମାନେ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟ ସମାପନ କରିବେ। ରବିବାର ଦିନ ରଥଯାତ୍ରା ସମୟରେ ମାଜିଷ୍ଟ୍ରେଟ ଭାବରେ ବିଂଝାରପୁର ତହସିଲଦାର ଦୀପକ କୁମାର ରାଉତ ଓ ଯାଜପୁର ଆଡିସିନାଲ ତହସିଲଦାର କ୍ଷୀରୋଦ ଦାସ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ଶରତ ଚନ୍ଦ୍ର ମହାପାତ୍ର ଅପରାହ୍ଣରୁ ସଂଧ୍ୟା ପର୍ଯ୍ୟନ୍ତ ମନ୍ଦିରରେ ରହି ସମସ୍ତ କାର୍ଯ୍ୟକ୍ରମ ତଦାରଖ କରିଥିଲେ। ପୂଜା କାର୍ଯ୍ୟକୁ ଡ. ଜ୍ଞାନରଂଜନ ପତି, ସରୋଜ କୁମାର ପତି, ପ୍ରତାପ ପତି ଓ ବିରଜା ଶଙ୍କର ପତି ସମ୍ପାଦନ କରିଥିଲେ।
The post ପଞ୍ଚମ ଦିନରେ ରଥଯାତ୍ରା: ମା’ ବିରଜାଙ୍କ ସୁନାବେଶ first appeared on Sambad.from ଜିଲ୍ଲା | Sambad https://ift.tt/3DtO3K5
0 Comments