କେନ୍ଦୁଝର : ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି। ଏହାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ବିଜେପି କର୍ମୀମାନେ ରାସ୍ତାରୋକ କରିଛନ୍ତି। ଦଳୀୟ କର୍ମୀମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ହୋହଲ୍ଲା କରିଥିଲେ। ପରେ ୪୯ ନମ୍ବର ଜାତୀୟ ରାଜପଥର ଗାନ୍ଧୀଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁଁ ରାଜପଥର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲା। ଅପରାହ୍‌ଣରେ ଏସ୍‌ପି ମିତ୍ରଭାନୁ ମହାପାତ୍ର ପହଞ୍ଚି ବୁଝାସୁଝା କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଏଥିରେ ବିଜେପି ଭବାନୀ ଶଙ୍କର ନାଏକ, ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂହ, ଯୁବମୋର୍ଚ୍ଚା ସଭାପତି ହେମରଂଜନ ବାରିକ, ନଗର ସଭାପତି ବିଶ୍ବଜିତ ତ୍ରିପାଠୀ, ଯୁବ ବିଜେପି ନେତା ଅକ୍ଷୟ ମହାରଣା, ଅଗୁଣ ଚରଣ ମହାନ୍ତ, ଅନୁବ୍ରତ ବେହେରା, ଗଣେଶ୍ବର ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।

ଚିନ୍ତା ପ୍ରକଟ କଲେ ମନ୍ତ୍ରୀ, ରାଜନେତା
ବୋମାମାଡ଼ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନିଜ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ଆମ ଦଳର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମାମାଡ଼ ଘଟଣାକୁ ସେ ଦୃଢ଼ ନିନ୍ଦା କରୁଛନ୍ତି। ଜଣେ ଜନ ପ୍ରତିନିଧିଙ୍କ ଉପରେ ଦ୍ବିନ ଦ୍ବିପ୍ରହରରେ ଆକ୍ରମଣ କରାଯିବା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନେକ ସମୟରେ ଗଣତାନ୍ତ୍ରିକ ପଦ୍ଧତିରେ କଟୁ ସମାଲୋଚନାର ଶିକାର ହେବାକୁ ପଡ଼େ। ଗଣତନ୍ତ୍ରାର ବାଦବିବାଦ ରହିବ। ହେଲେ ଜଣେ ଜନ ପ୍ରତିନିଧିଙ୍କୁ ରାଜରାସ୍ତାରେ ଆକ୍ରମଣ କରାଯିବା ଚିନ୍ତାର ବିଷୟ। ଗୃହ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପ୍ରଧାନ ନିଜ ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୋହନଙ୍କ ଉପରେ ଯେଭଳି କାପୁରୁଷ ଭାବେ ଆକ୍ରମଣ ହୋଇଛି ତାହା ନିନ୍ଦନୀୟ। ପୁଲିସ, ପ୍ରଶାସନ ସହ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଓ କିଛି ଖଣି ମାଫିଆଙ୍କ ମଧୁଚନ୍ଦ୍ରିକା ପାଇଁ କେନ୍ଦୁଝର ମାଟି ଆଶନ୍ତ ହେଉଛି। ଏହାର ପ୍ରତିକାର ପାଇଁ ପ୍ରତ୍ୟେକ କେନ୍ଦୁଝରବାସୀ ଅଣ୍ଟା ଭିଡ଼ିବା ଦରକାର ବୋଲି ସେ କହିଛନ୍ତି। ସେହିପି କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ମିଶ୍ର ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ରାଜନୀତିରେ ହଂସାର ସ୍ଥାନ ନାହିଁ। ଘଟଣାରେ ଯିଏ ବି ଦୋଷୀ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି କହିଛନ୍ତି।

The post ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା: ତାତିଲେ କର୍ମୀ, ଟାୟାର ଜାଳି ରାସ୍ତାରୋକ first appeared on Sambad.

from ଜିଲ୍ଲା | Sambad https://ift.tt/3oMmDer