ରାଉରକେଲା/ ଡାବୁଗାଁ : ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ଗୋପିନାଥପୁର ସାହିର ଗୋଟିଏ ସିମେଣ୍ଟ ଦୋକାନର ତାଲା ଭାଙ୍ଗି ଚୋରି କରିଥିବା ବେଳେ ପାଖରେ ଥିବା ଅନ୍ୟ ଜଣଙ୍କ ଘରର ମୁଖ୍ୟ ଫାଟକର ତାଲା ଭାଙ୍ଗି ଘର ଭିତରେ ଥିବା ଦୁଇଟି ସ୍କୁଟି ଓ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି। ସେହିଭଳି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରାସ୍ତା ପାର୍ଶ୍ବରେ ଥିବା ଦୁଇଟି ଦୋକାନରେ କଳାକନା ବୁଲାଇଛନ୍ତି ଲୁଟେରା। ସିସି କ୍ୟାମେରାରେ କଏଦ ହୋଇଛି ଚୋରିର ଦୃଶ୍ୟ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଛକ ନିକଟ ରାସ୍ତା ପାର୍ଶ୍ବରେ ଥିବା ଦୁଇଟି ଦୋକାନର ଛାତ କଣା କରି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଚୋରି କରିଛନ୍ତି। ସିସି କ୍ୟାମେରାରେ କଏଦ ହୋଇଛି ଚୋରିର ଲାଇଭ ଦୃଶ୍ୟ। ସିସି ଟିଭି ଥିଲେ ସୁଦ୍ଧା ଚୋର ଜଣକ ଅନାୟାସରେ ପାତ୍ର ତେଜରାତି ଦୋକାନରୁ ୫ ରୁ ୭ ହଜାର ଟଙ୍କା ଓ ୟାସିନ କପଡା ଦୋକନରୁ ୨ ଲକ୍ଷ ୮୦ ହଜାର ଟଙ୍କା ଚୋରି କରି ଚଂପଟ ମାରିଛି। ୟାସିନ କପଡ଼ା ଦୋକାନରେ ସିସି ଟିଭି ଲାଗିଥିବା ବେଳେ ଚୋରର ପ୍ରବେଶ ଠାରୁ ଡ୍ର ମଧ୍ୟରୁ ଟଙ୍କା ଚୋରି କରି ନେଇ ଯାଉଥିବାର ସମ୍ପୂର୍ଣ୍ଣ ଦୃଶ୍ୟ ସିସି କ୍ୟାମେରାରେ କଏବ ହୋଇ ରହିଛି। ୪୦ ରୁ ୪୫ ବର୍ଷ ମଧ୍ୟରେ ଜଣେ ଯୁବକ ମୁହଁରେ ମାସ୍କ ପିନ୍ଧି ଚତୁରତାର ସହ ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି।

Sambad

ଚୋରି ହୋଇଥିବା ଦୁଇଟି ଦୋକାନୀ ଆଜି ସକାଳେ  ଖୋଲିବା ପରେ ଛାତ କଣା ହୋଇଥିବାରୁ ଚୋରି ସମ୍ବନ୍ଧରେ ଦୋକାନୀ ଜାଣି ପାରିଥିଲେ। ଚୋରି ବିଷୟରେ ଡାବୁଗାଁ ଥାନା ପୁଲିସକୁ ଏତଲା ଦେବା ପରେ ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ, ପୁଲିସ ଏସଆଇ ଚନ୍ଦ୍ରଭାନୁ ମହାନ୍ତି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସିସି ଟିଭି ଯାଞ୍ଚ କରିଥିଲେ। ଆଜି ଅପରାହ୍ନରେ କୋରାପୁଟରୁ ଅନୁସନ୍ଧାନି କୁକୁର ଆସି ତଦନ୍ତ କରିଥିଲେ ସୁଦ୍ଧା ଚୋରକୁ ଧରିବାରେ ସକ୍ଷମ ହୋଇ ପାରିନାହାଁନ୍ତି। ତେବେ ୮ ବର୍ଷ ପୂର୍ବେ ସମାନ ଭାବରେ ପାତ୍ର ତେଜରାତି ଦୋକାନ ଓ ୟାସିନ କପଡା ଦୋକାନରୁ ଦୁର୍ବୃତ୍ତ ପଛ କାନ୍ଥ କଣା କରି ୟାସିନ ଦୋକାନରୁ ୨୮ ହଜାର ଟଙ୍କା ନଗଦ ସହ କିଛି ମୂଲ୍ୟବାନ କପଡା ନେଇ ଯାଇଥିଲେ। ଏ ନେଇ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୁଲିସ ଚୋରକୁ ଧରିବାରେ ସକ୍ଷମ ହୋଇ ନଥିଲା। ପୁନର୍ବାର ୮ ବର୍ଷ ପରେ ତାର ପୁନରାବୃତ୍ତି ଘଟି ସମାନ ଦୁଇଟି ଦୋକାନରେ ଚୋର ପଶି କଳାକନା ବୁଲାଇଛନ୍ତି।

Sambad

ଗୋପିନାଥପୁର ସାହିର ଜଗଦୀଶ ମିଶ୍ରଙ୍କ ଶିବା ସିମେଣ୍ଟ ଦୋକାନ କବାଟର ତାଲା ଭାଙ୍ଗି ଭିତରେ ଥିବା କାଉଣ୍ଟରରୁ ଟଙ୍କା ଏବଂ ମୂଲ୍ୟବାନ କାଗଜପତ୍ର ଲୁଟିଛନ୍ତି ଲୁଟେରା। ପାଖରେ ବାସ କରୁଥିବା ଅଶୋକ କୁମାର ପ୍ରଧାନ ନିଜ ପରିବାର ସହ ଚିକିତ୍ସା ପାଇଁ ଭୁବନେଶ୍ଵରକୁ ଯାଇଥିବାରୁୁ ଚୋର ମାନେ ତାଙ୍କ ଘରର ଫାଟକ ଭାଙ୍ଗି ଘର ସମ୍ମୁଖରେ ଥିବା ଦୁଇଟି ସ୍କୁଟି ଓ ଭିତର କବାଟ ଭାଙ୍ଗି ସେଠାରେ ଥିବା ବିଭିନ୍ନ ସାମଗ୍ରୀ ଚୋରିକରି ନେଇଛନ୍ତି। ତେବେ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ଵରରୁ ଫେରିଥିବାବେଳେ ଘରର ଫାଟକ ତାଲା ଭାଙ୍ଗି ଯାଇଥିବା ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବଣାଇଁ ସବଇନ୍ସପେକ୍ଟର ମଧୁସ୍ମିତା ସିଂହ, ଏଏସଆଇ ବରୁଣ କୁମାର ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

The post ଦୁଇଟି ଦୋକାନରୁ ତାଲା ଭାଙ୍ଗି ସ୍କୁଟି ଓ ଲକ୍ଷାଧିକ ଟଙ୍କା ଚୋରି, ସିସି କ୍ୟାମେରାରେ ଘଟଣା କଏଦ first appeared on Sambad.

from ଜିଲ୍ଲା | Sambad https://ift.tt/3vZrSJa