
ସମ୍ବଲପୁର : କେନ୍ଦ୍ରର କାମ ହେଲା ବିଭିନ୍ନ କାର୍ଯ୍ୟ ପାଇଁ ଅର୍ଥ ଦେବା। କିନ୍ତୁ ଏଥିପାଇଁ ଯୋଜନା କରିବା, ପ୍ରସ୍ତାବ ଦେବା ଓ ମଞ୍ଜୁରି ମିଳିବା ପରେ କାର୍ଯ୍ୟକାରୀ କରାଇବା କାମ ହେଉଛି ରାଜ୍ୟର। କେନ୍ଦ୍ର ସରକାର ଓଡ଼ିଶାକୁ ଅନେକ ଯୋଜନାରେ ଅର୍ଥ ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାର ସେଗୁଡ଼ିକ ଠିକ୍ଭାବେ କାର୍ଯ୍ୟକାରୀ କରି ଲୋକଙ୍କ ପାଖରେ ତା’ର ଲାଭ ପହଞ୍ଚାଇବା ବଦଳରେ ଯୋଜନାକୁ ହଡ଼ପ କରି ନିଜ ପ୍ରଚାରପ୍ରସାରରେ ଲିପ୍ତ ରହିଛନ୍ତି। ଏହାଦ୍ବାରା ନା ରାଜ୍ୟର ମଙ୍ଗଳ ହେଉଛି ନା ଲୋକଙ୍କର। ଆମେ କଦାପି ଏଭଳି ହେବାକୁ ଦେବୁ ନାହିଁ ବୋଲି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁ କହିଛନ୍ତି। କେନ୍ଦ୍ରର ଜଳଜୀବନ ମିସନ୍ ଅର୍ଥରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କରାଯାଇଥିବା ଅଭିଯୋଗ କରିଛନ୍ତି।
ମନ୍ତ୍ରୀ ଶ୍ରୀ ଟୁଡୁ ଜନ ଆଶୀର୍ବାଦ ଯାତ୍ରାରେ ବାହାରି ବୁଧବାର ସଂଧ୍ୟାରେ ସମ୍ବଲପୁର ପହଞ୍ଚିଥିଲେ। ଏହି ଅବସରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଲେ, ଜଳଜୀବନ ମିସନ୍ରେ ରାଜ୍ୟକୁ ୩୩୨୩ କୋଟି ଟଙ୍କା ଦିଆଗଲା। କିନ୍ତୁ ରାଜ୍ୟ ସରକାର କାମ କରିବେ କ’ଣ, ଟଙ୍କା ମିଳିବାର କିଛିଦିନ ପରେ ବୋର୍ଡ ଲଗାଇ ନବୀନ ପଟ୍ଟନାୟକଙ୍କ ପ୍ରଚାର ପ୍ରସାର କରିବାରେ ଲାଗିପଡ଼ିଲେ। ଲୋକଙ୍କୁ ବୋକା ବନାଇ ଭାରତ ସରକାରଙ୍କ ଅର୍ଥରେ ନିଜ ପ୍ରଚାର ପ୍ରସାର କରିବା ଅପେକ୍ଷା କେମିତି ଲୋକଙ୍କୁ ଯୋଜନାର ଲାଭ ମିଳିବ ତା ଉପରେ ଧ୍ୟାନ ଦେବା ଦରକାର କହି ଶ୍ରୀ ଟୁଡୁ ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଥିସହିତ, ୨୦୨୪ ସୁଦ୍ଧା ସବୁ ଘରକୁ ପାଇପ୍ ପାଣି ଯୋଗାଇବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନକୁ ୨୦୨୩ ଡିସେମ୍ବର ବା ଅତି ବେଶୀରେ ୨୦୨୪ ମାର୍ଚ୍ଚ ସୁଦ୍ଧା ପୂରା କରିବାକୁ ଆମେ ପୂରା ଜୋର୍ ଲଗାଇ ଦେଇଛୁ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ।
ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଶ୍ରୀ ଟୁଡୁଙ୍କୁ ଦଳୀୟ କର୍ମୀଙ୍କ ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା। ମନ୍ତ୍ରୀ ସମ୍ବଲପୁରୀ ନୃତ୍ୟଶିଳ୍ପୀଙ୍କ ସହ ନାଚିଥିଲେ। ତାଙ୍କ ସହ ଏହି ଗସ୍ତବେଳେ ସମ୍ବଲପୁର ସାଂସଦ ନିତେଶ ଗଂଗଦେବ, ରେଂଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବିଜେପି ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଜିଲ୍ଲା ସଭାପତି ଗିରୀଶ ପଟେଲ, ଦେବେନ୍ଦ୍ର ମହାପାତ୍ର, ଟଙ୍କଧର ତ୍ରିପାଠୀଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଓ କର୍ମୀ ଉପସ୍ଥିତ ଥିଲେ।
The post ରାଜ୍ୟକୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର: ଜଳଜୀବନ ମିସନ ଅର୍ଥରେ ନବୀନଙ୍କ ପ୍ରଚାର କରାଯାଇଛି first appeared on Sambad.from ଜିଲ୍ଲା | Sambad https://ift.tt/3BmisJD
0 Comments