
ଦଶରଥପୁର: ପାର୍ବଣରେ କଇଁଫୁଲର ଚାହିଦା ଅଧିକ। ବଜାରରେ କଇଁଫୁଲ ଗୋଟାକୁ ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଛି। ପୂଜା ପାଇଁ ଆବଶ୍ୟକ ପଡୁଥିବାରୁ ତୋଳିବା ପାଇଁ ଅନେକଙ୍କ ଜୀବନ ଯାଉଛି। ଗତ ୫ ଦିନ ମଧ୍ୟରେ କଇଁଫୁଲ ପାଇଁ ଯାଜପୁର ଜିଲ୍ଲାର ୪ଜଣ ଏବଂ କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ଜଣକର ଜୀବନ ଯାଇଛି। ଆଜି ମଂଗଳପୁର ଥାନା ନିଜାମପୁର ପଞ୍ଚାୟତ କୂଳସାହି ଗ୍ରାମର ମାୟାଧର ଜେନା(୬୪) କଇଁଫୁଲ ତୋଳିବା ବେଳେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମଙ୍ଗଳପୁର ଥାନା ଏସ୍ଆଇ ହରିଶ ସିଂ ଶବକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟଚିକତ୍ସାଳୟକୁ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, କୁମାରପୂର୍ଣ୍ଣମୀ ଓଷା ପାଇଁ ଭାର ନେଇ ଆସିଥିବା ଗ୍ରାମନନ୍ଦିପୁର ପଞ୍ଚାୟତ ବାଉଁଶବାଡି ଗ୍ରାମର ବୈଦ୍ୟନାଥ ଦାସ (ଅଟୋ ଚାଳକ) ନିକଟସ୍ଥ ପୋଖରୀରୁ କଇଁଫୁଲ ତୋଳି ଦେବାକୁ ମାୟାଧରଙ୍କୁ କହିଥିଲେ । ଘର ସମ୍ମୁଖରେ ଥିବା ପୋଖରୀରୁ କିଛି କଇଁଫୁଲ ତୋଳିଥିବା ବେଳେ ମାୟାଧର ବୁଡ଼ିଯାଇଥିଲେ। ଏହାଦେଖି ବୈଦ୍ୟନାଥ ଡାକ ପକାଇବାରୁ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ସହ ଦଶରଥପୁର ଅଗ୍ନିଶମ ବାହିନୀ ପହଞ୍ଚି ଖୋଜିଥିଲେ। ଦୀର୍ଘ ୨ ଘଣ୍ଟା ଧରି ଉଦ୍ୟମ ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ପରେ ଖାନନଗର ଗ୍ରାମର ବସନ୍ତ ମଲ୍ଲିକ(ଚଗଲା) ପୋଖରୀରୁ ମାୟାଧରଙ୍କ ମୃତ ଶରୀରକୁ ଠାବ କରିଥିଲେ। ଗତକାଲି ଏହି ବ୍ଲକ୍ର ଗୋପକୂଳ ଗ୍ରାମର ୨ଜଣ ନାବାଳକ ଶ୍ରୀକାନ୍ତ ଜେନାଙ୍କ ପୁଅ ଦିବ୍ୟରଂଜନ(୧୦) ଏବଂ ଉମାକାନ୍ତ ଜେନାଙ୍କ ପୁଅ ବିଭୂତିଭୂଷଣ(୧୫) ବୈତରଣୀ ନଦୀର କଣ୍ଡିଆ ନାଳରୁ କଇଁଫୁଲ ତୋଳିବା ବେଳେ ପ୍ରାଣ ହରାଇଥିଲେ। ଏହି ଗ୍ରାମର ବିଜୁ ଜେନାଙ୍କ ପୁଅ ଶୁଭମ(୧୦) ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସେହିପରି ଗତ ୧୬ ତାରିଖ ଦିନ କୋରେଇ ଥାନା ଚାରଦା ଗ୍ରାମର ଚନ୍ଦ୍ରମଣି ଜେନା ଗାଁ ପୋଖରୀକୁ କଇଁଫୁଲ ତୋଲିବାକୁ ଯାଇ ମୃତ୍ୟୁବରଣ କରିଥିଲେ। ଗତ୧୫ ତାରିଖରେ ଘସିପୁରା ବ୍ଲକ୍ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ କଣ୍ଟାବଣିଆ ଗ୍ରାମର କଳାକାର ଜେନା (୭୬) କଇଁଫୁଲ ତୋଳିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଥିଲେ।
The post କଇଁଫୁଲ ପାଇଁ ଜୀବନ ଯାଉଛି, ପାଞ୍ଚ ଦିନରେ ୫ମୃତ first appeared on Sambad.from ଜିଲ୍ଲା | Sambad https://ift.tt/2Z7Fo0Q
0 Comments