
ଆଠଗଡ: ବହୁଚର୍ଚ୍ଚିତ କଟକ ଜିଲ୍ଲା ଆଠଗଡ଼ ଏଟିଏମ୍ ଲୁଟ ଘଟଣାରେ ଆଜି ପୁଲିସ ଆଉ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଆସାମୀ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଉପରକଟା ଗ୍ରାମର ଫଗୁନାଥ ନାଏକଙ୍କ ପୁତ୍ର କ୍ଷୀରୋଦ ନାଏକ(୨୪), କରଞ୍ଜକଟା ଗ୍ରାମର ରମେଶ ବେହେରାଙ୍କ ପୁତ୍ର ରଜତ କୁମାର ବେହେରା (୨୯) ଓ ଖୋର୍ଦ୍ଧା ଜିଲ୍ଲା ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଗ୍ରାମର ସୋମନାଥ ସେନାପତିଙ୍କ ପୁତ୍ର ବ୍ରହ୍ମାନନ୍ଦ ସେନାପତି (୨୫)। ଏମାନଙ୍କ ଠାରୁ ଗୋଟିଏ କାର (ଓଡି ୩୩ ଇ ୦୯୦୯) ଓ ଗୋଟିଏ ବାଇକ (ଓଆର ୦୨ ବିଟି ୫୯୮୬) ମଧ୍ୟ ଜବତ କରାଯାଇଛି।
ଏହା ପୂର୍ବରୁ ୩ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ୩ ଜଣଙ୍କ ମଧ୍ୟରେ ବିବେକାନନ୍ଦ ନାଏକ, ହରେକୃଷ୍ଣ ସ୍ୱାଇଁଙ୍କ ନାମରେ ଏକାଧିକ ଚୋରି, ରାହଜାନୀ, ଡକାୟତି ମାମଲା ଥିଲା। ତଥା ଗତ ୩ ମାସ ତଳେ ଜେଲରୁ ଆସି ଭୂବନେଶ୍ୱର ନନ୍ଦନବିହାର ଠାରେ ଓୟେ ରୁମ ଭଡା ନେଇ ଲୁଟ ଯୋଜନା କରିଥିଲେ। ଏହି ଲୁଟ ଘଟଣାରେ ଓୟେ ରୁମ ମାଲିକ ବ୍ରହ୍ମାନନ୍ଦ ସେନାପତିଙ୍କ ସହ ୬ ରୁ ୭ ଜଣ ବଡ ବଡ ଡକାୟତି ଯୋଜନା କରୁଥିଲେ।
ବିବେକାନନ୍ଦ ନାଏକ ଆଠଗଡ ଆସି ସିଏମ୍ଏସ୍ ଏଟିଏମ୍ ଟଙ୍କା ଗାଡ଼ିର ଗତିପଥ ଉପରେ ତଥ୍ୟ ସଂଗ୍ରହ କରିବା ସହ ଏହାର ଗତିପଥ ଉପରେ ସର୍ଭେ କରିଥିଲେ। ଗତ ୧୧ ତାରିଖରେ ୨ଟି କାର, ଗୋଟିଏ ବାଇକରେ ଆସିଥିବା ଆସାମୀ ମାନେ ୩ ଟି ଗ୍ରୁପରେ ବିଭକ୍ତ ହେବା ସହ ପ୍ରତ୍ୟେକ ଗ୍ରୁପରେ ସ୍ୱତନ୍ତ୍ର ମୋବାଇଲ ରଖି ଅପରେସନ ପରିଚାଳନା କରିଥିଲେ। ଏହା ପରେ ଖୁଣ୍ଟୁଣୀ ଠାରୁ ତିଗିରିଆ ଆଡେ ଯାଉଥିବା ଏଟିଏମ୍ ଗାଡିକୁ ଆଠଗଡ ଥାନା ଅନ୍ତର୍ଗତ ମହୀଧରପୁର ଠାରେ ଏକ ହୋଟେଲ ନିକଟରୁ ଲୁଟି ନେବାକୁ ସକ୍ଷମ ହୋଇଥିଲେ। ମାତ୍ର ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଢେଙ୍କାନାଳ ଠାରେ ୩ ଜଣ ଗିରଫ ହୋଇଥିଲେ। ଘଟଣା ଦିନ ଅନ୍ୟ ୩ ଜଣ ଖସି ପଳାଇଥିଲେ।
ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଗତକାଲି ଭୂବନେଶ୍ୱର ଠାରୁ ୩ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଆଠଗଡ ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡ଼ା ପ୍ରକାଶ କରିଛନ୍ତି ତଥା ଅନ୍ୟ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପରିଡା ମଧ୍ୟ ସୂଚନା ଦେଇଛନ୍ତି। ଆଜିର ଗିରଫ ଆସାମୀ ମାନେ ଓଡ଼ିିଶା ବାହାରକୁ ପଳାଇ ଯିବା ପାଇଁ ଉଦ୍ୟମ କରିଥିଲେ ତଥା ତାଙ୍କ ଠାରୁ ମୁମ୍ବାଇ ଯିବା ପାଇଁ ଟ୍ରେନ ଟିକଟକୁ ଜବତ ମଧ୍ୟ କରାଯାଇଛି।
The post ଏଟିଏମ୍ ଲୁଟ ଘଟଣାରେ ପୁଣି ୩ ଜଣଙ୍କୁ ଗିରଫ କଲା ଆଠଗଡ ପୁଲିସ୍ first appeared on Sambad.from ଜିଲ୍ଲା | Sambad https://ift.tt/3jkofIW
0 Comments