
ରାୟଗଡ଼ା: କାଶୀପୁର ବ୍ଲକର ୩ ଜିଲ୍ଲା ପରିଷଦ ଜୋନରେ ଆଦିବାସୀ ପ୍ରାର୍ଥୀଙ୍କୁ ଉପେକ୍ଷାକୁ ନେଇ ଗର୍ଜିଛି ଆଦିବାସୀ ସମାଜ। ସଂରକ୍ଷଣ ତାଲିକାର ପୁର୍ନବିଚାର ନ କଲେ ବ୍ଲକ୍ ଅଚଳ କରିବା ସହ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛି। ରାୟଗଡ଼ାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସମାଜ ଚେତାବନୀ ଦେବା ସହ ଗାଁ ଏବଂ ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି।
ଆଦିବାସୀ ବହୁଳ କାଶୀପୁର ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଚିଠା ପ୍ରସ୍ତାବରେ ଆଦିବାସୀ ବର୍ଗ ପ୍ରାର୍ଥୀଙ୍କୁ ସଂରକ୍ଷଣ ଦିଆଯାଇନି। ୨୦୧୧ ଜାତିଭିତ୍ତିକ ଜନଗଣନା ଅନୁଯାୟୀ କାଶିପୁର ବ୍ଲକରେ ଆଦିବାସୀଙ୍କ ସଂଖ୍ୟା ଗରିଷ୍ଠତା ଅଧିକ ରହିଥିଲେ କ- ଜୋନରେ ଏସସି ମହିଳା, ଖ-ଜୋନରେ ଏସସି-ପୁରୁଷ ଏବଂ ଗ-ଜୋନରେ ଓବିସି ବର୍ଗ ପ୍ରାର୍ଥୀଙ୍କୁ ସଂରକ୍ଷଣ ଦିଆଯାଇଛି। ଯାହା ବିରୋଧରେ ପ୍ରଶାସନ ନିକଟରେ ଆପତ୍ତି ଦାଖଲ କରିଛି କାଶୀପୁର ଆଦିବାସୀ ସମାଜ।
ଆସନ୍ତା ୨୨ ତାରିଖରେ ପ୍ରକାଶ ପାଇବାକୁ ଥିବା ସଂଶୋଧନ ଚିଠାରେ ଆଦିବାସୀ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନ ରହିଲେ କାଶୀପୁର ବ୍ଲକର ସମସ୍ତ ଆଦିବାସୀ ଓ ପରଜା ସଂପ୍ରଦାୟ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରାଯିବା ସହ କାଶୀପୁର ବ୍ଲକ୍ ଅଚଳ କରାଯିବ ବୋଲି ଆଦିବାସୀ ସମାଜର ସଭାପତି ଶିବରାମ ମାଝି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ୧୯୯୨ ମସିହାରେ ରାୟଗଡ଼ା ଜିଲ୍ଲା ଗଠିତ ହୋଇଥିବା ବେଳେ ଜିଲ୍ଲାରେ ୨୦୧୧ ଜଣଗଣନା ଅନୁଯାୟୀ ଆଦିବାସୀଙ୍କ ସଂଖ୍ୟା ୫ ଲକ୍ଷ ୪୧ ହଜାର ୯୦୫ ରହିଛି। ସେହିପରି ଏସସି ବର୍ଗଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୫୧୪ ରହିଛି। କେବଳ କାଶୀପୁର ବ୍ଲକରେ ଆଦିବାସୀଙ୍କ ସଂଖ୍ୟା ୭୦ ହଜାର ୫୪୨ରୁ ଉର୍ଧ୍ବ ରହିଛି।
୨୦୨୨ ପଞ୍ଚାୟତରାଜ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ସଂରକ୍ଷଣ ତାଲିକାକୁ ଅନୁଧ୍ୟାନ କରାଗଲେ ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ଆଦିବାସୀ ବର୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ଆସନ ନ ଥିବାରୁ ଆଦିବାସୀ ସମାଜ ପକ୍ଷରୁ ଅକ୍ଟୋବର ୧୬ ତାରିଖରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପୁର୍ନବିଚାର ପାଇଁ ତାଲିକା ସଂଶୋଧନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥି ସହ ଆସନ୍ତା ୨୪ ତାରିଖରେ ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ, ରାଜ୍ୟ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସମେତ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଏବଂ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କୁ ଭେଟି ଲିଖିତ ଅଭିଯୋଗ ପତ୍ର ପ୍ରଦାନ ପାଇଁ ଦାବି କରାଯିବ ବୋଲି ସଭାପତି ଶ୍ରୀ ମାଝି ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାଶୀପୁର ଆଦିବାସୀ ସମାଜର ଆବାହକ ଉପେନ୍ଦ୍ର ମାଝି, ସଂପାଦକ ଗୋବିନ୍ଦ ମାଝି, ଯୁଗ୍ମ ସଂପାଦକ ଗଜେନ୍ଦ୍ର ମାଝି, ପୂର୍ବତନ ବିଧାୟକ ବିଭୀଷଣ ମାଝି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କମଳ ଲୋଚନ ସାଅନ୍ତା, ପୂର୍ବତନ ସରପଞ୍ଚ ପାତିରି ମାଝି, କାଶୀପୁର ବ୍ଲକ୍ ସରପଞ୍ଚ ମହାସଂଘ ସଭାପତି ଅମିନ ମାଝି, ସକ୍ରିୟ ସଦସ୍ୟ ଡମ୍ବୁରୁ ମାଝି, ଅର୍ଜୁନ ମାଝି, ସନ୍ତୋଷ ମାଝି, ନିଳାମ୍ବର ମାଝି ପ୍ରମୁଖ ଉପସ୍ଥିତ ଥିଲେ।
The post କାଶୀପୁର ୩ଟି ଜିଲ୍ଲା ପରିଷଦ ଜୋନରେ ଆଦିବାସୀଙ୍କୁ ଅଣଦେଖା, ସଂରକ୍ଷଣ ତାଲିକାର ପୁର୍ନବିଚାର ନ କଲେ ଭୋଟ ବର୍ଜନ ଚେତାବନୀ first appeared on Sambad.
from ଜିଲ୍ଲା | Sambad https://ift.tt/3jhrSPt
0 Comments