ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୁଲିସ ସୋମବାର ଭୋର୍‌ରେ ପାଟ୍ରୋଲିଂ କରୁଥିବା ସମୟରେ ଦୁଇ ଶିଶୁ ସମେତ ୨୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଚାଲାଣ କରୁଥିବା ଦୁଇଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଓ ସଞ୍ଜୀବ ସାହୁ ସୋମବାର ଭୋର୍‌ରେ ଖପ୍ରାଖୋଲ-ବୈଜଲସାଗର ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଗୋଟିଏ ବଲେରୋ ଓ ଗୋଟିଏ କମାଣ୍ତର ଗାଡ଼ିକୁ ସନ୍ଦେହରେ ଅଟକାଇ ଥିଲେ। ତଦନ୍ତରୁ ଉଭୟ ଗାଡ଼ିରେ ଦାଦନ ଶ୍ରମିକ ଚାଲାଣ ହେଉଥିବା ଜଣାପଡ଼ିଥିଲା। ପୁଲିସ ଗାଡ଼ି ଦୁଇଟିକୁ ଥାନାକୁ ଆଣିଥିଲା। ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ଖପ୍ରାଖୋଲ ଥାନା ଚାବିରିପାଲି ଗାଁର ୭ଜଣ ମହିଳା ଓ ୪ଜଣ ପୁରୁଷ ଥିଲେ। ଏମାନଙ୍କୁ ରାଜିନ୍ଦ୍ର କଠାର ନାମକ ଜଣେ ଶ୍ରମିକ ଦଲାଲ ବେଲପଡ଼ା ସିହିନିରେ ଥିବା ଦାଦନ ସର୍ଦ୍ଦାର ନରେନ୍ଦ୍ର କୁମ୍ଭାର ତରଫରୁ ବିଜୟୱାଡ଼ା ନେଉଥିବା ଜଣାପଡ଼ିଥିଲା। ସେହିପରି ଅନ୍ୟ ଗାଡ଼ିରେ ନୁଆପଡା ଜିଲ୍ଲା ଲଖନା ଥାନା କୁକୁରମୁଡ଼ି ଗ୍ରାମର ହରସ ମାଝୀ ସହିତ ୬ଜଣ ମହିଳା, ୭ଜଣ ପୁରୁଷ ଓ ୨ ଜଣ ଶିଶୁଙ୍କୁ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମକୁ ନେଇ ସେଠାରୁ ହଇଦ୍ରାବାଦସ୍ଥିତ କାଲିନଗରକୁ ଦାଦନ ଖଟାଇବାକୁ ନିଆଯାଉଥିଲା। ଖପ୍ରାଖୋଲ ଥାନାରେ ସମସ୍ତ ଶ୍ରମିକଙ୍କୁ ଖାଇବା ବନ୍ଦୋବସ୍ତ କରାଯାଇ ଦୁଇଟି ଗାଡ଼ିରେ ନିଜ ନିଜ ଘରକୁ ପଠାଯାଇଥିଲା। ରାଜିନ୍ଦ୍ର କଠାର ଓ ହରସ ମାଝୀକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।

The post ୨୬ ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3pevJAX