
ବଲାଙ୍ଗୀର : ଡାକ୍ତରୀ ଛାତ୍ରୀ ନିରୁପମା ମୃତ୍ୟୁ ମାମଲାରୁ ରହସ୍ୟ ଉନ୍ମୋଚନ ଏବଂ ତାର ସିବିଆଇ ତଦନ୍ତ ଦାବି କରି ଭୀମସେନା ପକ୍ଷରୁ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହାସହ କର୍ମକର୍ତ୍ତାମାନେ ୩ ଘଣ୍ଟା ଧରି ଏସ୍ପି ଅଫିସ ସମ୍ମୁଖରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଶତାଧିକ କର୍ମକର୍ତ୍ତା ଶୋଭାଯାତ୍ରାରେ ଏସ୍ପିଙ୍କ କାର୍ଯ୍ୟାଳୟକୁ ଆସି ଜାତୀୟ ରାଜପଥ ଉପରେ ବସି ପଡ଼ିଥିଲେ। ଭୀମସେନାର ରାଜ୍ୟ ସଂଯୋଜକ ରମାକାନ୍ତ ରାବଣଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲାରେ ବାରମ୍ବାର ଦଳିତମାନଙ୍କ ଉପରେ ଅଘଟଣମାନ ଘଟୁଛି। ହେଲେ ଠିକଣା ସମୟରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଘଟଣାରେ ସଂପୃକ୍ତ ଦୋଷୀ ଫେରାର ମାରିବାରେ ସକ୍ଷମ ହେଉଛି। ବିଭିନ୍ନ ସମୟରେ ସମ୍ବେଦନଶୀଳ ମାମଲାରେ ସମ୍ବେଦନହୀନ ହେଉଛି ବଲାଙ୍ଗୀର ପୁଲିସ୍। ତଦନ୍ତ ନାଁରେ ମାସମାସ ଧରି ଭୁଆଁବୁଲେଇ ଦିଆଯାଉଛି। ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗୀତାଞ୍ଜଳି ଭରାସାଗର କଥା ହେଉ କି ହାତୀସରା ଗାଁର ଝରଣା ସୁନାଙ୍କ ମାମଲା, ଲୋଇସିଂହା ଥାନା ଡୁଡୁକା ଗାଁର ସୁଶାନ୍ତି ନଗରର ୨୪ଟି ଦଳିତ ପରିବାରକୁ ବିସ୍ଥାପିତ କଥା ମଧ୍ୟ ଭୁଲି ଯାଇଛି ଜିଲ୍ଲା ପ୍ରଶାସନ। ଗଲା ୩ ମାସ ହେଲା ଲୋଇସିଂହା ଥାନା ସାନଟୀକା ଗାଁରେ ସଂଘବଦ୍ଧ ଭାବେ କରାଯାଇଥିବା ହତ୍ୟା ଘଟଣାରେ ବି ପୁଲିସର କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି ହେଉଛି।
ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଭୀମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ବାଟବଣା କରାଯାଉଛି। ପୁଲିସ୍ ଓ କଲେଜ କର୍ତ୍ତୃପକ୍ଷଙ୍କ କଥାରେ ତାଳମେଳ ରହୁନି। ଏହାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ଦ୍ୱାରା ତଦନ୍ତ କରାଗଲେ ଅନେକ କଥା ସାମ୍ନାକୁ ଆସିବ ବୋଲି ଭୀମସେନା ୫ଦଫା ଦାବି ଏସ୍ପିଙ୍କଠାରେ ଉପସ୍ଥାପନ କରିଛି। ଯଦି ଶୀଘ୍ର ଘଟଣାଗୁଡ଼ିକ ଉପରେ ପୁଲିସ ଦୃଷ୍ଟି ନଦିଏ ତାହାହେଲେ ଆଗାମୀ ଦିନରେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପ୍ରାଶାସନିକ କଳ, ସରକାରୀ ବିଧି ବ୍ୟବସ୍ଥା ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି।
ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ଏସ୍ପିଙ୍କ କାର୍ଯ୍ୟାଳୟକୁ ପୁଲିସ୍ ଫୋର୍ସରେ ଛାଉଣି କରାଯାଇଥିଲା। ପ୍ରାୟ ୩ ଘଣ୍ଟା ଧରି ରାଜରାସ୍ତା ଅବରୋଧ ହୋଇଥିଲା। ଭୀମସେନାର ପଶ୍ଚିମ ଓଡ଼ିଶା ସଭାପତି ଚକ୍ରଧର କୁମ୍ଭାର, ଜିଲ୍ଲା ସଭାପତି ଶ୍ରୀତମ କୁମ୍ଭାର, ରଶ୍ମିରଞ୍ଜନ ନାଗ, ଗୋବିନ୍ଦା ଜାଲ, ରାଜୁ ନାଗ, ଯଶୋବନ୍ତ ବରିହା ଶତାଧିକ ଭୀମସେନାର କର୍ମକର୍ତ୍ତା ଆସି ଏସ୍ପି କାର୍ଯ୍ୟାଳୟ ଘେରାଉ କରିଥିଲେ। ଏସ୍ଡିପିଓ ଓ ଅନ୍ୟ ପୁଲିସ ଅଧିକାରୀ ବୁଝାସୁଝା କରିଥିଲେ ହେଁ ଏସ୍ପିଙ୍କ ସହ ଆଲୋଚନା କରିବାକୁ ଅଡ଼ି ବସିଥିଲେ। ଶେଷରେ ପୁଲିସ୍ ପକ୍ଷରୁ ଯଥା ସମ୍ଭବ ସମସ୍ୟାର ସମାଧାନର ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଓହରିଥିଲେ।
The post ଏସ୍ପି ଅଫିସ୍ ଘେରିଲା ଭୀମସେନା, ‘ଡାକ୍ତରୀ ଛାତ୍ରୀ ନିରୁପମା ମୃତ୍ୟୁର ରହସ୍ୟ ଉନ୍ମୋଚନ ହେଉ’ first appeared on Sambad.from ଜିଲ୍ଲା | Sambad https://ift.tt/2Z2MPXq
0 Comments