ଭବାନୀପାଟଣା : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ସ୍ଥାନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ ସ୍ଥାନରେ ବିଭିନ୍ନ ମତ ଓ ପ୍ରତିବାଦ ଆରମ୍ଭ ହୋଇଛି। ୧୬ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣର ତାରିଖ ଥିବାବେଳେ ଜାତିଭିତ୍ତିକ ସ୍ଥାନ ସଂରକ୍ଷଣରେ ୧୦ ବର୍ଷ ତଳର ଜନଗଣନାକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଗତ ଦୁଇ ସପ୍ତାହ ହେଲା କଳାହାଣ୍ଡି ଜିଲ୍ଲାର ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଜିଲ୍ଲାବ୍ୟାପୀ ପଛୁଆବର୍ଗଙ୍କୁ ଜିଲ୍ଲା ପରିଷଦ ଆସନରେ ଅଣଦେଖା କରାଯାଉଥିବାରୁ ପ୍ରତିବାଦର ସ୍ବର ଉଠୁଥିବାବେଳେ ପେସା ଆଇନ୍‌ ଆଳରେ ୩୦ ବର୍ଷ ଧରି ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁର ବ୍ଲକ୍‌ରେ ସରପଞ୍ଚ ପଦବିରେ ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କୁ ଅଣଦେଖା କରାଯାଇଆସୁଛି। ଏହାକୁ ନେଇ ମଧ୍ୟ ପ୍ରତିବାଦର ସ୍ବର ଉଠୁଥିବାବେଳେ ଏବେ ଜିଲ୍ଲାର କଲମପୁର ଓ କେସିଙ୍ଗା ବ୍ଲକରେ ସଂରକ୍ଷିତ ଥିବା ଅନୁସୂଚିତ ଜାତିର ବ୍ଲକ ଅଧ୍ୟକ୍ଷ ପଦବିକୁ ବିରୋଧ କରାଯାଉଥିବାରୁ ଏକ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି।

କେସିଙ୍ଗା ବ୍ଲକ୍‌ରେ ବ୍ଲକ୍‌ ଅଧ୍ୟକ୍ଷ ପଦବି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଏହାକୁ ବିରୋଧ କରି କିଛି ସଂଗଠନ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ତେବେ ଜିଲ୍ଲାର ୧୩ଟି ବ୍ଲକ୍‌ ମଧ୍ୟରୁ ଅନୁସୂଚିତ ଜାତିଙ୍କ ଜନସଂଖ୍ୟା ଆଧାରରେ ଏହା ସଂରକ୍ଷିତ ହୋଇଥିବାବେଳେ ସାମ୍ବିଧାନିକ ଓ ରାଜନୈତିକ ଅଧିକାରରୁ ଏହି ଜାତିର ଲୋକଙ୍କୁ ବଞ୍ଚିତ କରାନଯାଉ ବୋଲି ଏବେ ଦାବି ଜୋର ଧରିବାରେ ଲାଗିଛି।

ପ୍ରକାଶିତ ଚିଠା ତାଲିକା ଅନୁଯାୟୀ କେସିଙ୍ଗା ବ୍ଲକ୍‌ ଅଧ୍ୟକ୍ଷ ପଦବି ପରିବର୍ତ୍ତନ ନକରିବା ଦାବିରେ ଅଲ୍ ଓଡ଼ିଶା ସିଡ୍ୟୁଲ୍‌ଡ କାଷ୍ଟ ଫେଡେରେସନ, କଳାହାଣ୍ଡି ଓ ଅନୁସୂଚିତ ଜାତି ବିକାଶ ପରିଷଦ, କେସିଙ୍ଗା ବ୍ଲକ୍‌ର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କଳାହାଣ୍ଡି ଅଲ୍ ଓଡ଼ିଶା ସିଡ୍ୟୁଲ୍‌ଡ କାଷ୍ଟ ଫେଡେରେସନର ସାଧାରଣ ସଂପାଦକ ଯତୀନ୍ଦ୍ର କର, ଫେଡେରେସନର ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ସମ୍ପାଦକ ଜୟପ୍ରକାଶ ଜାଲ, ଫେଡେରେସନର ସକ୍ରିୟ ସଦସ୍ୟ ତ୍ରିନାଥ ନାଏକ, ପ୍ରଶାନ୍ତ କୁମାର, ଡୋଳେଶ୍ବର ସୁନାନୀ, ବିଜୟଲକ୍ଷ୍ମୀ ସ୍ବର୍ଣ୍ଣ, ତେଜରାଜ ବେହେରା, ଡମ୍ବରୁଧର କରୁଆଁ, କୁବେର କରୁଆଁ, କବିତା ବାଗ, ଦୁଃଖୀ କୁମାର ପ୍ରମୁଖ ସାମିଲ ହୋଇଥିଲେ। ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ।

The post କେସିଙ୍ଗା ବ୍ଲକ୍‌ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3pdwJVO