ସୁନ୍ଦରଗଡ଼ : ‘ଖଣିଜ ପ୍ରତିଷ୍ଠାନ ପାଣ୍ଠିର ସୁବିନିଯୋଗ ହେଉ ନଥିବାରୁ ଆମ ଖଣି ପ୍ରଭାବିତ ଅଞ୍ଚଳରେ ଦାଦନ ସମସ୍ୟା, ଯୁବତୀ ଚାଲାଣ, ଅଇଁଠାପତ୍ର ଚାଟି ଖାଇବା, ଅପପୁଷ୍ଟିରେ ଶିଶୁ ମୃତ୍ୟୁ ଘଟଣା ଉଦବେଗଜନକ ଭାବେ ବଢ଼ିଚାଲିଛି। ଅନ୍ୟପଟେ ପ୍ରଦୂଷଣ ବିଷରେ ଚାଷ ଓ ଆଦିବାସୀ, ବନବାସୀଙ୍କ ଜୀବନଜୀବିକାର ପ୍ରମୁଖ ଉପାଦାନ ଲଘୁବନଜାତ ଦ୍ରବ୍ୟ ଗଭୀର ପ୍ରଭାବିତ। ୬୦ ପ୍ରତିଶତ ଖର୍ଚ୍ଚ ନିୟମର ଖୋଲା ଉଲ୍ଲଂଘନ ଯୋଗୁଁ ଖଣି ଅଞ୍ଚଳବାସୀ ଏହାର ଲାଭ ପାଇପାରୁ ନାହାନ୍ତି। ଏସ୍ଥିତିରେ ଆପଣ ଡିଏମଏଫ ଟ୍ରଷ୍ଟି ସଦସ୍ୟ ଭାବେ ଅଞ୍ଚଳର ବୃହତ୍ତର ସ୍ବାର୍ଥ ପାଇଁ ସିଏଜି ଅଡିଟ୍ ଦାବି କରନ୍ତୁ’। ଏହି ଅନୁରୋଧ ନେଇ ସୁନ୍ଦରଗଡ଼ର କୋଇଲା ଖଣି ପ୍ରଭାବିତ ଅଞ୍ଚଳ ହେମଗିର କନ୍ଦାଧୁଡ଼ା ଗାଁର ଛାତ୍ରୀ ଶ୍ରଦ୍ଧାଞ୍ଜଳି ସା, ସାଂସଦ ଜୁଏଲ ଓରାମ ଓ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କୁ ଚିଠି ଲେଖିଛନ୍ତି। ଡିଏମଏଫର ସିଏଜି ଅଡିଟ ପାଇଁ ସୋମବାର ପ୍ରଭାବିତ ଗାଁ ବିଲେଇମୁଣ୍ଡାରୁ ଆରମ୍ଭ ହୋଇଥିବା ପୋଷ୍ଟକାର୍ଡ ଅଭିଯାନରେ ସାମିଲ ହୋଇଥିଲେ ଶ୍ରଦ୍ଧାଞ୍ଜଳି। ତାଙ୍କ ସହ ବିଶାଖା ସା, ଭବାନୀ ମାଝୀ, କଲ୍ୟାଣୀ ନାଏକ, ରବିନା ପଧାନ, ଉମା ମାଝୀ, ନରେଶ ମେହେର, ପଙ୍କଜିନୀ ବିଶ୍ବାଳ, ବୃନ୍ଦବତୀ ଫରିକାର, ଦୀପା ପଧାନ, ସେବତୀ ନାଏକ, ମୋହନ ନାଏକ, ଅମ୍ବିକା ବରିହାଙ୍କ ସହ ଅଞ୍ଚଳର ବିଭିନ୍ନ ଗାଁର ବହୁ ଯୁବଛାତ୍ର ବିଲେଇମୁଣ୍ଡା ଆସି ସୁନ୍ଦରଗଡ଼ ସାଂସଦ ଓ ବିଧାୟିକାଙ୍କୁ ଚିଠି ଲେଖିଥିଲେ। ଜିଲ୍ଲାର ହେମଗିର ଠାରୁ କୋଇଡ଼ା ଯାଏ ଥିବା ଖଣିଖାଦାନ ଓ କଳାକାରଖାନାରେ ବହୁଭାଗରେ ଆଦିବାସୀମାନେ ହିଁ ବିସ୍ଥାପିତ ଓ ପ୍ରଭାବିତ ହୋଇ ରହିଛନ୍ତି। ନିୟମ ଅନୁଯାୟୀ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ୬୦ ପ୍ରତିଶତ ଅର୍ଥ ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ହେବା କଥା। କିନ୍ତୁ ନିୟମ ଉଲ୍ଲଂଘନ ପୂର୍ବକ ପ୍ରଭାବିତଙ୍କୁ ସୁସ୍ଥ ଓ ଉନ୍ନତ ଜୀବନ ଧାରଣର ସୁଯୋଗରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ରହିଛି। ଖଣି ଅଞ୍ଚଳର ଶିଶୁ ଅଇଁଠାପତ୍ର ଚାଟିବା ଅପପୁଷ୍ଟିରୁ ପ୍ରାଣ ହରାଇବା ଭଳି ଅତି ସମ୍ବେଦନଶୀଳ ଘଟଣା ସବୁ ସାମ୍ନାକୁ ଆସୁଛି। ପ୍ରଭାବିତ ହେମଗିର ଓ କୋଇଡ଼ା ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳର ଘୋର ଅବ୍ୟବସ୍ଥା ରହିଛି। ଏଥିଯୋଗୁଁ ଏଠାକାର ଜୀବନଜୀବିକା ପ୍ରଭାବିତ ହୋଇଥିବା ବେଳେ ଅଧିବାସୀ ସ୍ବାଭିମାନର ସହ ଜୀବନ ଧାରଣ କରିବାର ଅଧିକାରରୁ ବଞ୍ଚିତ ହୋଇଛନ୍ତି। ଅଞ୍ଚଳର ଅନେକ ଗାଁକୁ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁ ନଥିବା, ଡାକ୍ତରଖାନାଗୁଡ଼ିକରେ ବିଶେଷଜ୍ଞ ଓ ସ୍ଥାୟୀ ସ୍ବାସ୍ଥ୍ୟ କର୍ମଚାରୀ ଅଭାବ, ଦିନ ଦିନ ଧରି ବିଦ୍ୟୁତ ବିଭ୍ରାଟ ଓ ଟାୱାର ନଥିବା ଯୋଗୁଁ ଅନଲାଇନ୍ ପାଠପଢ଼ା ଓ ଜରୁରୀକାଳୀନ ଯୋଗାଯୋଗ ହୋଇ ନପାରିବା, ସ୍କୁଲରେ ଶିକ୍ଷକ ଅଭାବ, ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ସାଧାରଣ ଜୀବନ କଲବଲ ହେଉଥିବା, ଖଣି ଖାଦାନରେ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ନମିଳିବା କାରଣରୁ ଅଞ୍ଚଳର ଲୋକେ ବିକାଶ ଠାରୁ ବହୁ ଦୂରରେ ନୁଖୁରା ଜୀବନ ଜିଉଁଥିବା ଅଭିଯୋଗ ହୋଇଛି। ଏସ୍ଥିତିରେ ପ୍ରତିଷ୍ଠାନର ସଦସ୍ୟ ସାଂସଦ, ବିଧାୟକମାନେ ମୁହଁ ନଖୋଲିବା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। ଏହିକ୍ରମରେ ଖଣି ପ୍ରଭାବିତ ଅଞ୍ଚଳରେ ମାର୍ଗଦର୍ଶିକା ଅନୁଯାୟୀ, ଡିଏମଏଫ୍ର ୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ ସୁନିଶ୍ଚିତ କରିବାକୁ ହେମଗିର ଜିଲ୍ଲା ପରିଷଦ ସଭ୍ୟା ପୂରବୀ ନାଏକ କିଛି ଦିନ ତଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଆଗରେ ଦାବି ଉଠାଇଥିଲେ। ଏବେ ପ୍ରଭାବିତ ଗାଁରୁ ସିଏଜି ଅଡିଟ୍ ପାଇଁ ଯୁବଛାତ୍ରଙ୍କ ପୋଷ୍ଟକାର୍ଡ ଅଭିଯାନ ଡିଏମଏଫ ଅର୍ଥ ବିନିଯୋଗ ଉପରେ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି।

The post ଡିଏମଏଫର ସିଏଜି ଅଡିଟ୍ ପାଇଁ ସାଂସଦ, ବିଧାୟକ ସ୍ବର ଉଠାନ୍ତୁ’ ; ପ୍ରଭାବିତ ଗାଁରୁ ପୋଷ୍ଟ କାର୍ଡ ଅଭିଯାନ first appeared on Sambad.

from ଜିଲ୍ଲା | Sambad https://ift.tt/2Z6fgnE