ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ବି ଲୁଟେରା ମାତିଲେଣି। ସୋମବାର ଅପରାହ୍ଣରେ ସ୍ଥାନୀୟ ହରିଶଙ୍କର ଛକ ନିକଟରେ ରିଷିକୁମାର ବେହେରା (୩୨ବର୍ଷ) ନାମକ ଜଣେ ଯୁବକଙ୍କଠାରୁ ତିନିଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟେରାମାନେ ବାଇକ୍‌ରେ ଆସି ତାଙ୍କୁ ମାଡ଼ ମାରିବା ସହିତ ଟଙ୍କା ବ୍ୟାଗ୍‌ ଝାମ୍ପି ନେଇଛନ୍ତି। ଖପ୍ରାଖୋଲ ଥାନା ପୁଲିସ ଖବର ପାଇବା ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇବା ସହ ତନାଘନା ଆରମ୍ଭ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ନାନ୍ଦୁପଲା ଗାଁର ଦିବାକର ବେହେରାଙ୍କ ପୁଅ ରିଷି କୁମାର ସୋମବାର ଖପ୍ରାଖୋଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇଥିଲେ। ଟଙ୍କା ତକ ଏକ ବ୍ୟାଗ୍‌ରେ ରଖି ବାଇକ୍‌ରେ ଗାଁକୁ ଫେରୁଥିଲେ। ହରିଶଙ୍କର ଛକ ନିକଟ ବାଲିଜୋର ପାଖରେ ହରିଶଙ୍କର ପଟୁ ଦୁଇଟି ବାଇକ୍‌ରେ ଚାରିଜଣ ଯୁବକ ଆସି ତାଙ୍କୁ ଅଟକାଇଥିଲେ। ଅଟକିବା ପରେ ତାଙ୍କୁ ମାଡ଼ ମାରିବା ସହିତ ତାଙ୍କ ପାଖରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଲୁଟିନେଇ ଧଣ୍ତାମୁଣ୍ତା ପଟକୁ ଫେରାର୍‌ ହୋଇଯାଇଥିଲେ। ଏନେଇ ଖପ୍ରାଖୋଲ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ କରୁଛି।

The post ଖପ୍ରାଖୋଲରେ ମାତିଲେଣି ଲୁଟେରା: ଯୁବକଙ୍କୁ ମାଡ଼ମାରି ୩ ଲକ୍ଷ ଲୁ‌ଟିନେଲେ first appeared on Sambad.

from ଜିଲ୍ଲା | Sambad https://ift.tt/3AxM9GD