କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନାକୋଣା ଗ୍ରାମରେ ବିଲରେ ଗାଈ ପଶିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍ ହୋଇ ୫ଜଣ ଆହତ ହୋଇଛନ୍ତି। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ୨୬୨/୨୧ ଓ ୨୬୩/୨୧ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। କିଛିଦିନ ତଳେ ଜହ୍ନାକୋଣା ଗ୍ରାମର ପ୍ରତାପ ମହାପାତ୍ରଙ୍କ ବିଲରେ ସେହି ଗ୍ରାମର ବିନୋଦ ବିଶ୍ବାଳଙ୍କ ଗାଈ ପଶି ଫସଲ ନଷ୍ଟ କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଗାଁ ମୁରବିଙ୍କ ଜରିଆରେ ସମାଧାନ ହୋଇଥିଲା। ଏହାସତ୍ତ୍ବେ ବିନୋଦ ପୁଣି ପ୍ରତାପଙ୍କ ନାମରେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରାତିରେ ଏନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା। ବିନୋଦ ଅଭିଯୋଗ କରିଛନ୍ତି ଯେ ପ୍ରତାପ ମହାପାତ୍ରଙ୍କ ସମେତ ଅମିତ ମହାପାତ୍ର, ରବୀନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ଲୋକ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ଗାଳିଗୁଲଜ କରିଥିଲେ।

ସେହିପରି ପ୍ରତାପ ମହାପାତ୍ରଙ୍କ ଭାଉଜ ଭାନୁମତୀ ଅଭିଯୋଗ କରିଛନ୍ତି ଯେ ଅନାଦି ବିଶ୍ୱାଳ, ବିରଞ୍ଚି ବିଶ୍ୱାଳ, ବିନୋଦ ବିଶ୍ୱାଳ, ଗଣେଶ ବିଶ୍ୱାଳ, ଶଶିକାନ୍ତ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ, ମାଧବ ବିଶ୍ୱାଳଙ୍କ ସମେତ ବହୁ ଲୋକ ତାଙ୍କ ଘର ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏନେଇ ଜହ୍ନାକୋଣାରେ ଉତ୍ତେଜନା ଲାଗି ରହିଛି।

The post ବିଲରେ ଗାଈ ପଶିବାକୁ ନେଇ ଗୋଷ୍ଠୀସଂଘର୍ଷ, ୫ ଆହତ first appeared on Sambad.

from ଜିଲ୍ଲା | Sambad https://ift.tt/3p9yvaD