
ଜୟପୁର: ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ୭୫ବର୍ଷ ତଳର ଭଙ୍ଗା ଦଦରା ରାଜରାଜୁଡା ଅମଳର ଟିଣ ଓ ଟାଇଲ୍ ଛପର ଘରେ ଆଜି ବି ବିକ୍ରମଦେବ ଛାତ୍ରବାସ ଚାଳିଛି। ଅତ୍ୟନ୍ତ ଦୟନୀୟ, ବିପଦସଂକୁଳ ଏବଂ ସବୁ ସମୟରେ ରୋଗକୁ ଆମନ୍ତ୍ରଣ କରି ଏଠାରେ ଏବେ ରହିଛନ୍ତି ୪୧ଜଣ ଅନ୍ତେବାସୀ। ଛୋଟ ଛୋଟ ରୁମ ମଧ୍ୟରେ ଭଙ୍ଗା ଦଦରା ୨ ରୁ ୩ଟି କାଠ ଖଟ, ୨ଟି ଟେବୁଲ ପଡ଼ିବା ପରେ ରୁମରେ ଆଉ ଜାଗା ବି ନାହିଁ। ରୁମ ମଧ୍ୟରେ ଗାଧେଇବା କିମ୍ବା ଶୌଚ କରିବା ପାଇଁ ଗାଧୁଆ ଘର କିମ୍ବା ଶୌଚାଳୟର ବ୍ୟବସ୍ଥା ନାହିଁ। ଗାଧେଇବା ପାଇଁ ବାହାରେ ନଳକୂପ ରହିଛି। ନଳକୂପର ଗାଧୁଆ ଆଦି କରିବା ପାଣି ଜମା ହୋଇ ରହି ପୁତ୍ତିଗନ୍ଦମୟ ହୋଇଛି। ସେଭଳି ଶୌଚ କରିବା ପାଇଁ ୬ଟି ଶୌଚାଳୟ ରହିଛି। ଶୌଚାଳୟର ଅବସ୍ଥା ନ କହିବା ଭଲ।
ସେହିଭଳି ପୂର୍ବରୁ ଏହି ପରିସରରେ ରହୁଥିବା ଅଧିକ୍ଷକ ଓ ଉପ-ଅଧିକ୍ଷକଙ୍କ କୋଠା ଏବେ ଭଙ୍ଗା ରୁଜା ଅବସ୍ଥାରେ। ଏହାର ପରିସରରର ଚାରି ପାର୍ଶ୍ବରେ ଲତାବୁଦା ଭରି ଯାଇଛି। ଅଧିକ୍ଷକ ରାତିରେ ଥରେ ଆସି ବୁଲି ଚାଲି ଯାଉଥିବା କହିଛନ୍ତି ଅନ୍ତେବାସୀ ଛାତ୍ର। ସୁରକ୍ଷାକର୍ମୀ ନଥିବା ବେଳେ ମୁଖ୍ୟ ଫାଟକ ସବୁ ବେଳେ ଖୋଲା ରହୁଛି। ସହରର ମୁଖ୍ୟରାସ୍ତା ପାର୍ଶ୍ବରେ ଥିବାରୁ ଏହା ପରିସରକୁ ଦିନ ତମାମ ପୁର୍ବତନ ଛାତ୍ର, ଅସମାଜିକ ମାନଙ୍କ ଆଡ୍ଡା ବି ଜମୁଛି। ଏହି ସ୍ଥିତିରେ ଅନ୍ତେବାସୀ ମାନେ ରୁମର କବାଟ ଖୋଲିବାକୁ ବି ଭୟ ପ୍ରକାଶ କରୁଛନ୍ତି। ବୁଲା କୁକୁରଙ୍କ ବି ଆଡ୍ଡା ସ୍ଥଳି ପାଲଟିଛି। ସେଭଳି ଛାତ୍ରବାସରେ ବାହାରର ଦୋକାନୀ ମାନେ ବି କିଛି ରୁମ ଅକ୍ତିଆର କରି ସେଠାରେ ସେମାନଙ୍କ ଜିନିଷ ରଖି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ୨୫ବର୍ଷ ତଳେ ଏହି ଛାତ୍ରାବାସର ମେସରେ ପଡ଼ିଥିବା ଟେବୁଲ ଆଦି ବି ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇ ପାରିନି।
ଏହି ପରିସରରେ ଆଉ ଗୋଟିଏ ନୂଆରେ ବିବେକାନନ୍ଦ ଛାତ୍ରାବାସ ବି ଖୋଲିଛି। ବିବେକାନନ୍ଦ ଛାତ୍ରବାସର ରୁମ ମଧ୍ୟରେ ହିଁ ଶୌଚାଳୟ, ଗାଧୁଆଘର ଏବଂ ଚଟାଣ ଗୁଡ଼ିକ ଭଲ ରହିଛି। ବିକ୍ରମଦେବ ଛାତ୍ରାବାସର ପିଲାମାନେ ଏହାକୁ ନେଇ ଦୁଃଖ କରିବା ସହ ଆମେ ଗରିବ, ଗ୍ରାମାଂଚଳରୁ ଆସିଥିବାରୁ ଆମକୁ ଏଭଳି କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ବି କିଛି ଅନ୍ତେବାସୀ କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ୫ହଜାର ଛାତ୍ରଛାତ୍ରୀ ଏଠାରେ ପଢ଼ୁଛନ୍ତି। ଏଥିରୁ ୩ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବାହାରୁ ଆସି ପଢ଼ୁଛନ୍ତି। ପ୍ରତିବର୍ଷ ୨ ରୁ ୩ ହଜାର ଛାତ୍ରଛାତ୍ରୀ ଛାତ୍ରାବାସରେ ରହିବା ପାଇଁ ଅବେଦନ କରୁଛନ୍ତି ବୋଲି କହିଛନ୍ତି ଅଧ୍ୟକ୍ଷ ଡଃ. ଗୋପାଳ ହାଲଦାର। ୫ଟି ଛାତ୍ରୀନିବାସରେ ୫ଶହ ଏବଂ ୪ଟି ଛାତ୍ରବାସରେ ୫ଶହ ଛାତ୍ର ଅନ୍ତେବାସୀ ଏଭଳି ୧ହଜାର ଜଣ ରହୁଛନ୍ତି ବୋଲି କହିଛନ୍ତି ଅଧ୍ୟକ୍ଷ।
ଛାତ୍ରବାସ ଆଉ ନଥିବାରୁ ବାଧ୍ୟ ହୋଇ ସବୁ ସମସ୍ୟାକୁ ଜାଣି ବି ପୁରୁଣା ଛାତ୍ରବାସରେ ଅନ୍ତେବାସୀଙ୍କୁ ରଖାଯାଉଛି। ୨ଶହ ଶଯ୍ୟା ବିଶିଷ୍ଟ ଆଉ ୨ଟି ଛାତ୍ରାବାସ ଦେବା ପାଇଁ ସେ ରାଜ୍ୟସରକାରଙ୍କୁ ଅନୁରୋଧ କରି ଚିଠି କରିଥିବା କହିଛନ୍ତି ଅଧ୍ୟକ୍ଷ। ରାଜ୍ୟସରକାରଙ୍କୁ ଆଉ ୪ଟି ଛାତ୍ରବାସ ଦେବା ପାଇଁ ଅନୁରୋଧ କରି ଚିଠି ଦେଇଛି ବୋଲି କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ରାଜ୍ୟସରକାର କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ପରିବେଶରେ ପାଠ ପଢ଼ିବା ପାଇଁ ‘ମୋ କଲେଜ ଅଭିଯାନ’ ଆରମ୍ଭ କରିଛନ୍ତି। ତେବେ ଏହି ଅଭିଯାନ ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ଲାଗୁ କରାଗଲେ ଏହାର ରୂପରେଖରେ ପରିବର୍ତ୍ତନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
The post ୭୫ ବର୍ଷର ବିକ୍ରମଦେବ ଛାତ୍ରାବାସରେ ଦୟନୀୟ ଅବସ୍ଥାରେ ୪୧ଜଣ ଅନ୍ତେବାସୀ first appeared on Sambad.from ଜିଲ୍ଲା | Sambad https://ift.tt/3nO6jYk
0 Comments