ଜଗନ୍ନାଥପ୍ରସାଦ : ସରକାରୀ ଆବାସ ଖଣ୍ଡିଏ ପାଇଁ ଗୁହାରି କରି ସ୍ବାମୀ ଆରପାରିକୁ ପଳାଇଲେ। ‌ଏବେ ବେସାହାରା ପତ୍ନୀ ଏଥିପାଇଁ ସଂଘର୍ଷ କରୁଛନ୍ତି। ହେଲେ ଦୁଃଖ ଶୁଣିବାକୁ କିଏ ନାହିଁ। ଏମିତି ଜଣେ ମହିଳା ହେଉଛନ୍ତି, ଜଗନ୍ନାଥପ୍ରସାଦ ବ୍ଲକ୍ ରୁଢ଼ାପଦର ପଞ୍ଚାୟତ ଅଧୀନ ଦୁର୍ଗମ ଏବଂ ଅପହଞ୍ଚ ଇଲାକା କଦଳୀଗଡ଼ ଗ୍ରାମରେ ରହୁଥିବା ବିଳାସ ବାରିକ। ଝାଟିମାଟି ପରିତ୍ୟକ୍ତ ଘରେ କବାଟ ନଥାଇ ବିଳାସ ଅତି ଅସୁରକ୍ଷିତ ଭାବେ ଜୀବନ କାଟୁଥିବା ଦେଖିବାକୁ ମିଳିଛି।

ସ୍ୱାମୀ ମୂଷା ପ୍ରାୟ ଛଅ ବର୍ଷ ତଳେ ଅସୁସ୍ଥତା ଯୋଗୁଁ ମୃତ୍ୟୁମୁଖରେ ପଡ଼ିଥିଲେ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିଲା। ତେବେ ସ୍ବାମୀଙ୍କ ମୃତ୍ୟୁ ପରେ ବିଳାସ ଦୁଇଝିଅ ଚନ୍ଦ୍ରମା ଓ ଜାନକୀଙ୍କ ବାହାଘରକୁ କଷ୍ଟେମଷ୍ଟେ ସାରିଦେଇଥିଲେ। ବର୍ତ୍ତମାନ ବିଳାସ ସଂପୂର୍ଣ୍ଣ ଏକୁଟିଆ ରହୁଥିବା ବେଳେ ମୂଲ ଲାଗିଲେ ପ୍ରତିପୋଷଣ ହେଉଛି। ଗ୍ରାମର ଆମ୍ବବଗିଚା ନିକଟରେ ଏକ ଝାଟିମାଟି ଘରେ ବିଳାସ ରହୁଛନ୍ତି।
ସରକାରଙ୍କ ପକ୍ଷରୁ ମିଳୁଥିବା ପାଞ୍ଚ କେଜି ଚାଉଳ ହିଁ ଭରସା। ଏଭଳି ପରିସ୍ଥିତିରେ ଫାଇଲିନ୍ ବେଳେ ଘରର ଚାଳ ଉଡ଼ିଯିବା ପରେ ଗ୍ରାମ ବିକାଶ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦୁଇଟି ଆଜବେଷ୍ଟସ୍ ମିଳିଥିଲା। କିନ୍ତୁ ତାକୁ ବି ମାଙ୍କଡ଼ ଡେଇଁ ଠାଏଁଠାଏଁ ଭାଙ୍ଗିଦେଇଛି। ଫଳରେ ଅସୁରକ୍ଷିତ ଭାବେ ବିଳାସ ସେହି ଭଙ୍ଗାଘରେ ରହୁଛନ୍ତି। ଦାଣ୍ଡପଟେ କବାଟ ନଥିବାରୁ ବାଉଁଶ ତାଟି ରଖାଯାଇଛି। ଏଭଳି ପରିସ୍ଥିତିରେ ପକ୍କା ଘର କରିବା ତାଙ୍କ ପକ୍ଷେ ସମ୍ଭବପର ନଥିବାରୁ ସରକାରୀ ଆବାସ ଖଣ୍ଡିଏ ଯୋଗାଇଦେବାକୁ ବିଳାସ ଆକୁଳ ନିବେଦନ କରିଛନ୍ତି।
ସ୍ବାମୀ ମୂଷା ବଞ୍ଚିଥିବା ବେଳେ ଘର ଖଣ୍ଡିଏ ପାଇଁ ସରକାରୀ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଗୁହାରି କରିଥିଲେ ବି କେହି ତାଙ୍କ ଗୁହାରି ଶୁଣି ନଥିଲେ। କିନ୍ତୁ ମୁଁ କାହାକୁ ଗୁହାରି କରିବି ଓ ମୋର ଦୁଃଖ କିଏ ଶୁଣିବ ବୋଲି ବିଳାସ କହିଛନ୍ତି। ଅନ୍ୟପକ୍ଷରେ ଘର ନଥିବା କାରଣରୁ ଝିଅଜ୍ୱାଇଁ ଓ ବନ୍ଧୁବାନ୍ଧବ ଆସିଲେ ସନ୍ଧ୍ୟା ପୂର୍ବରୁ ପଳାଇଛନ୍ତି। ବିଳାସଙ୍କୁ ଆବାସ ଯୋଜନାରେ ସାମିଲ କରିବା ଦିଗରେ ପ୍ରଶାସନ କେବେ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା।

The post ଅପହଞ୍ଚ ଇଲାକାର ଅଭାବୀ ମଣିଷ ବିଳାସଙ୍କ ପାଇଁ ଆବାସ ସାତ ସପନ first appeared on Sambad.

from ଜିଲ୍ଲା | Sambad https://ift.tt/30QwzcK