
ବୈପାରିଗୁଡା : ଜଣେ ବିବାହିତା ମହିଳା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ମାଠପଡା ପଞ୍ଚାୟତ ଅନ୍ତର୍ଗତ ମୂଷାପଦର ଗ୍ରାମର ଚନ୍ଦ୍ର ଖରାଙ୍କ ପତ୍ନୀ ଟିକ ସାନ୍ତା (୩୫) ଗତ ରାତିରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି। ଟିକ ସାନ୍ତା ହେଉଛନ୍ତି ଚନ୍ଦ୍ର ଖରାଙ୍କ ତୃତୀୟ ପକ୍ଷ ସ୍ତ୍ରୀ। ତାଙ୍କର ଦୁଇଟି ସ୍ତ୍ରୀ ପୂର୍ବରୁ ଛାଡ଼ ଚାଲିଯାଇଛନ୍ତି। ଅନ୍ୟ ପକ୍ଷରେ ଚନ୍ଦ୍ର ମଧ୍ୟ ଟିକର ଦ୍ୱିତୀୟ ସ୍ୱାମୀ। ଗତ ଆଠ-ନଅ ମାସ ତଳେ ଉଭୟେ ପରସ୍ପରକୁ ସ୍ୱାମୀ ସ୍ତ୍ରୀ ରୂପେ ସ୍ୱୀକାର କରିବା ସହ ଏକାଠି ମୂଷାପଦର ଗ୍ରାମରେ ରହୁଥିଲେ।
ଦୁଇ ଦିନ ତଳେ ଟିକ କାନ୍ଦିଲିବେଡା ଠାରେ ହେଉଥିବା ଦଶହରା ଯାତ୍ରା ଦେଖିବା ପାଇଁ ଏକୁଟିଆ ଯାଇଥିଲେ। ତେବେ ଚନ୍ଦ୍ରର ବଡ଼ ଭାଇ ଅସୁସ୍ଥ ହୋଇପଡିବାରୁ ତାକୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଚନ୍ଦ୍ର ଫୋନ ଯୋଗେ ଘରେ କେବଳ ବୁଢ଼ୀ ମାଁ ଆଉ ସାନ ସାନ ତିନି ଝିଅ ରହିଥିବାରୁ ଯାତ୍ରା ନଦେଖି ଫେରି ଆସିବା ପାଇଁ କହିଥିଲେ। ଟିକକୁ ତାଙ୍କ ପରିବାରର ସମ୍ପର୍କୀୟ ମୂଷାପଦର ଆଣି ପହଞ୍ଚାଇ ଦେଇଥିଲେ। ଗତକାଲି ରାତିରେ ଖିଆପିଆ ସାରି ସ୍ବାମୀ ସ୍ତ୍ରୀ ଶୋଇଥିଲେ। ରାତି ଅଧରେ ନିଦ ଭାଙ୍ଗିବା ପରେ ଚନ୍ଦ୍ର ଦେଖିଲେ ଯେ, ଟିକ ପାଖରେ ନାହିଁ। ପରେ ତାକୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ରାତି ପ୍ରାୟ ଚାରିଟା ସମୟରେ ବାରିପଟକୁ ବାହାରିବାରୁ ଟିକକୁ ଗୋଟିଏ ପିଜୁଳି ଗଛରେ ଝୁଲୁଥିବା ଦେଖିବାକୁ ପାଇ ପାଖ ପଡେ଼ାଶୀଙ୍କୁ ଡାକିଥିଲେ। କାଳେ ବଞ୍ଚିଥିବ ଭାବି ଟିକକୁ ଘରକୁ ଆଣିଥିଲେ। କିନ୍ତୁ ସେ ମରିଯାଇଥିବା ଜାଣି ଟିକର ଭାଇ କମଳୁ ସାନ୍ତାକୁ ଖବର ଦେଇଥିଲେ। କମଳୁ ଭଉଣୀର ମୃତ୍ୟୁ ହୋଇଯାଇଥିବା ଜାଣି ରାମଗିରି ଥାନାରେ ଏତଲା ଦେଇଥିଲେ।
ରାମଗିରି ଥାନା ଅଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀ ଟିକର ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଈଶ୍ଵର ତାଣ୍ଡି ପ୍ରକାଶ କରିଛନ୍ତି।
The post ବେକରେ ଦଉଡ଼ି ଦେଇ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3CzfHoT
0 Comments