ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଚିହ୍ନଟ ୧୬୩ ବିସ୍ଥାପିତଙ୍କ ନିଯୁକ୍ତି ମିଳୁ। ଅନ୍ୟାନ୍ୟ ସମସ୍ୟାକୁ ପର୍ଯ୍ୟାୟକ୍ରମେ ସମାଧାନ କରାଯାଉ। ଗୁରୁବାର ନୂଆଦିଲ୍ଲୀରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ କହିଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆଣ୍ଡ ମାର୍ଶଲିଂ ୟାର୍ଡର ବିସ୍ଥାପିତ ସଂଘର ପ୍ରତିନିଧି ଭାବେ ସଭାପତି ଲଚ୍ଛୁ ଓରାମ, ଉପସଭାପତି ମାଙ୍ଗ୍ରା ଓରାମ, ଆଇନଜୀବୀ ଗୋବିନ୍ଦ ତନ୍ତୀ, ସମ୍ପାଦକ ଇ. ଟପ୍ପୋ, ସମା ଓରାମ, ବିଶ୍ବନାଥ ଓରାମ ଉପସ୍ଥିତ ଥିଲେ। ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ରାଉରକେଲା ଇସ୍ପାତ କାରଖାନା ନିର୍ବାହୀ ନିର୍ଦ୍ଦେଶକ (ପି ଆଣ୍ଡ ଏ) ପି.କେ. ଶତପଥୀଙ୍କ ସମେତ ସେଲ୍‌ ବୋର୍ଡର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରାଜସ୍ୱ ବିଭାଗର ପ୍ରମୁଖ ସଚିବ, ସେଲ୍‌ ଅଧ୍ୟକ୍ଷକଙ୍କୁ ବୈଠକରେ ଯୋଗଦେବାକୁ ଡକାଯାଇଥିଲେ ହେଁ, ସେମାନେ ଆସି ନଥିଲେ। ଯାହାକୁ ନେଇ ଜାତୀୟ ଜନଜାତି କମିଶନର ସଦସ୍ୟ ଶ୍ରୀ ନାୟକ ଅସନ୍ତୋଷ ପ୍ରକାଶ କରିଥିଲେ।

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇ ବରିଷ୍ଠ ଅଧିକାରୀଙ୍କୁ ନ ଆସିବାର କାରଣ ଦର୍ଶାଇବାକୁ ନୋଟିସ୍‌ ଜାରି କରିଛନ୍ତି। ଦୀର୍ଘ ସମୟ ବିସ୍ଥାପିତଙ୍କ ଦୀର୍ଘ ଦିନର ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ଜନଜାତି କମିଶନ ସଦସ୍ୟ ଶ୍ରୀ ନାୟକ ୬ ଟି ପ୍ରମୁଖ ଦିଗ ଉପରେ ପ୍ରାଥମିକତା ଦେବାକୁ ଉପସ୍ଥିତ ଉଭୟ ସେଲ୍‌ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ କହିଛନ୍ତି। ଆର୍‌ଏସ୍‌ପି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିବା ୪୫୧୪.୬୨ ଏକର ଜାଗାକୁ ବିସ୍ଥାପିତଙ୍କୁ ଫେରାଇବା। ବିସ୍ଥାପିତମାନେ ରହୁଥିବା ଥଇଥାନ କଲୋନିରେ ଜାଗାକୁ ସେମାନଙ୍କ ନାଁରେ ପଟ୍ଟା ଦେବା। ପାନପୋଷ ଏନ୍‌ଏସି ମାର୍କେଟ ଓ ଆର୍‌ଏସ୍‌ପି ଦ୍ବାରା ନିର୍ମାଣ ହେଉଥିବା ମାର୍କେଟ କମ୍ପ୍ଲେକ୍ସରେ ବିସ୍ଥାପିତମାନଙ୍କୁ ୫୦% ଦୋକାନ ଯୋଗାଇଦେବା। ଶେଷରେ ପୂର୍ବରୁ ଜିଲ୍ଲା ପ୍ରଶାସନ ଦ୍ବାରା ଚିହ୍ନଟ ୧୬୩ ବିସ୍ଥାପିତଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ ଆର୍‌ଏସ୍‌ପିରେ ନିଯୁକ୍ତି ଦେବାକୁ ଉପସ୍ଥିତ ଆରଏସ୍‌ପି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ସମସ୍ୟାଗୁଡ଼ିକ ସମାଧାନ ନ ହୁଏ ଜାତୀୟ ଜନଜାତି କମିଶନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ‌ବୋଲି ଶ୍ରୀ ନାୟକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୫୫ରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ପାଇଁ ସେଲ୍‌ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଠାରୁ ପ୍ରାୟ ୨୦ ହଜାରରୁ ଅଧିକ ଜମି ଅଧିଗ୍ରହଣ କରିଥିଲେ। ରାଉରକେଲା, ପୁରୁଣା ରାଉରକେଲା, ଦୁର୍ଗାପୁର, ଛେଣ୍ଡ, ପ୍ରଧାନପାଲୀ, ବାଙ୍କିଆ, ଲୁଆକେରା, ତୁମକେଲା, ହମିରପୁର, ପ୍ରଧାନପାଲୀ, ଟାଙ୍ଗରପାଲି, ବିଜୁବନ୍ଧ, ମନ୍ଦିରା ଡ୍ୟାମ ଆଦି ଅଞ୍ଚଳର ୪୦୯୪ରୁ ଅଧିକ ପରିବାର ବିସ୍ଥାପିତ ହୋଇଥିଲେ। ଭିଟାମାଟି, ଚାଷ ଜମି ହରାଇଥିଲେ। ଏମାନଙ୍କୁ ଯେଉଁସବୁ ସ୍ଥାନରେ ଥଇଥାନ କରାଯାଇଛି, ଅଧିକାଂଶ ଥଇଥାନ କଲୋନି ମୌଳିକ ସୁବିଧା ପାରିନାହିଁ। ସେପଟେ ଆର୍‌ଏସ୍‌ପି ସହ ଅଧିକାରୀ ଓ କର୍ମଚାରୀଙ୍କ ରହିବା ପାଇଁ କ୍ବାର୍ଟର୍ସ ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ କରିବା ପରେ ୫ ହଜାର ଜମି ବ୍ୟବହାର ହୋଇ ନଥିଲା। ପରେ ଆର୍‌ଏସ୍‌ପି ଅବ୍ୟବହୃ୍ତ ଜମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରି ଦେଇଥିଲେ। ଯେଉଁ ଜମିଗୁଡ଼ିକ ସହର ଓ ଏହାର ଆଖପାଖରେ ପଡିଛି। କେତେକ ଜାଗାରେ ବିଭିନ୍ନ ପ୍ରକାର ପ୍ରକଳ୍ପ ହୋଇଛି। ମାତ୍ର ଅଦ୍ୟାବଧି ଏହି ଜମି ନିଯୁକ୍ତି ପାଇନଥିବା ପରିବାରକୁ ଫେରସ୍ତ କରାଯିବାକୁ କୌଣସି ପ୍ରକାର ବ୍ୟବସ୍ଥା ହେଉ ନାହିଁ। ସବୁଠୁ ଆଶ୍ଚର୍ଯ୍ୟ କଥା, ବିସ୍ଥାପିତଙ୍କ ନାଁରେ ଅନେକ ଲୋକ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଛନ୍ତି। ବିସ୍ଥାପିତ ସଂଘର ଅଭିଯୋଗ ଆଧାରରେ ନିକଟରେ ନିଯୁକ୍ତି ପାଇଥିବା କିଛି ଆର୍‌ଏସ୍‌ପି କର୍ମଚାରୀଙ୍କ କାଗଜପତ୍ର ଯାଞ୍ଚ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଥିବା ନକଲି ବିସ୍ଥାପିତଙ୍କୁ ଚିହ୍ଟନ କରାଯାଇ ପାରି ନାହିଁ।

The post ଦିଲ୍ଲୀରେ ବସିଲା ବିସ୍ଥାପିତଙ୍କ ବୈଠକ: ୧୬୩ ବିସ୍ଥାପିତଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ଦେବାକୁ ଜାତୀୟ ଜନଜାତି କମିଶନ ସଦସ୍ୟଙ୍କ ନିର୍ଦ୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3lldHKL