ସୁନ୍ଦରଗଡ଼: ‘୨ ଲକ୍ଷ ଦିଅ, ଫାଇଲ୍ ମୁଭ୍ ହେବ। ଏଡିଏମ ଓ ଆରଆଇଙ୍କୁ ୨ ପ୍ରତିଶତ ଦେଲେ କ୍ଷତିପୂରଣ ଟଙ୍କା ମିଳିବ’। ସୁନ୍ଦରଗଡ଼ ଜିଲ୍ଲା ହେମଗିର ସ୍ଥିତ ଏମସିଏଲ ବିସ୍ଥାପିତଙ୍କ କ୍ଷତିପୂରଣ ପ୍ରଦାନ ପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତ ରାଜସ୍ବ ନିରୀକ୍ଷକ (ଆରଆଇ) ଅମୀୟ ଛୁରା ଓ ଜଣେ ଦଲାଲଙ୍କ ଏହି ମୋବାଇଲ୍ ବାର୍ତ୍ତାଳାପ ଘୁରି ବୁଲିବା ପରେ ବିସ୍ଥାପିତଙ୍କ କ୍ଷତିପୂରଣ ରାଶି ପ୍ରଦାନରେ ଦାୟିତ୍ବରେ ଅଧିକାରୀ ମାନଙ୍କ କମିସନ କାରବାର ସାମ୍ନାକୁ ଆସିଛି। ତେବେ ଏହି ବାର୍ତ୍ତାଳାପ ସହ ବିସ୍ଥାପିତଙ୍କ ଅଭିଯୋଗ ସମ୍ବଳିତ ଖବର ‘ସମ୍ବାଦ’ ସମେତ ଅନ୍ୟ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପ୍ରାଥମିକ ଭାବେ ରାଜସ୍ବ ନିରୀକ୍ଷଙ୍କ ଶ୍ରୀ ଛୁରାଙ୍କୁ ସେଠାରୁ ହଟାଇ ଦିଆଯାଇଛି। ଅନ୍ୟପଟେ ସୋମବାର ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ସମ୍ପୃକ୍ତ ଅଞ୍ଚଳକୁ ଯାଇ ତଦନ୍ତ କରିବା ସହ ଅଭିଯୋଗକାରୀ ବିସ୍ଥାପିତଙ୍କୁ ପଚରାଉଚରା କରିବେ।

ଅନ୍ୟପଟେ ଆରଆଇ ଓ ଦଲାଲଙ୍କ ମୋବାଇଲ ବାର୍ତ୍ତାଳାପର ମଧ୍ୟ ଯାଞ୍ଚ କରିବେ। ଅଭିଯୋଗରେ ସତ୍ୟତା ଥିଲେ ଦଲାଲଙ୍କ ବିରୋଧରେ ଏତଲା ଦିଆଯିବ ଓ ଆରଆଇଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ଏମସିଏଲ ସିଆରମାଲ ଖୋଲାମୁହଁ ଖଣି ପାଇଁ ଝୁପୁରଙ୍ଗାର ହେମବତୀ ବଢ଼େଇଙ୍କ ୩ ଏକର ୨୪ ଡିସିମିଲ ଜମି ଅଧିଗ୍ରହଣ ହୋଇଛି। ଏଥିପାଇଁ ତାଙ୍କୁ କ୍ଷତିପୁରଣ ବାବଦକୁ ୯୫.୪୭ ଲକ୍ଷ ଟଙ୍କା ମିଳିବା କଥା। ଟଙ୍କା ପାଇଁ ହେମବତୀଙ୍କ ନାତି ଭାସ୍କର ବଢ଼େଇ ଏମସିଏଲ ପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତ ଆରଆଇ ଅଫିସକୁ ଯାଇ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। କିନ୍ତୁ ୨ ଲକ୍ଷ ଟଙ୍କା ଆଗ୍ରୀମ ନଦେଲେ କାଗଜପତ୍ରରେ ହାତ ମାରିବୁ ନାହିଁ ବୋଲି ଏମସିଏଲରେ ନିଯୁକ୍ତ ଆରଆଇ ଅମୀୟ ଛୁରା ତାଙ୍କୁ କହିଥିଲେ। ଏହା ମଧ୍ୟରେ ୬ ମାସ ବିତିଗଲାଣି। ଟଙ୍କା ପାଇଁ ତାଙ୍କ ଫାଇଲ ସେମିତି ଅଫିସରେ ପଡ଼ି ରହିଛି। ତାଙ୍କ ପରି ଗାଁର ଦିଲୀପ ପ୍ରଧାନ ମଧ୍ୟ ସମାନ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ସେ ଜମି ବାବଦ କ୍ଷତିପୂରଣ ଦେଢ଼ କୋଟି ପାଇବାକୁ ରହିଛି। କାଗଜପତ୍ର ଦାଖଲ କରି ସେ ବହୁବାର ଧାଇଁଲେଣି ଆରଆଇଙ୍କ ପାଖକୁ। କିନ୍ତୁ ଦାବି ମୁତାବକ ଲାଞ୍ଚ ଟଙ୍କା ନଦେବା କାରଣରୁ ତାଙ୍କୁ କ୍ଷତିପୂରଣ ଦେବାର ନାଁ ଧରୁ ନାହାନ୍ତି ଆରଆଇ।

ସେହିପରି ହଲଦିବାହାଲ ଗାଁର ବିସ୍ଥାପିତ ଅକ୍ରୁର ବାଗ ଜମି ବାବଦରେ ପାଇବାକୁ ଥିଲା ୪୮ ଲକ୍ଷ। କିନ୍ତୁ ଅତି ଚତୁରତାର ସହ ଦଲାଲ ଓ ଅଧିକାରୀ ମାନେ ସେଥିରୁ ୧୨ ଲକ୍ଷ କାଟି ନେଇ ଯାଇଥିବା ଅକ୍ରୁର ଅଭିଯୋଗ କରିଛନ୍ତି। ତେବେ କେବଳ ଝୁପୁରୁଙ୍ଗାର ବିସ୍ଥାପିତ ନୁହନ୍ତି, ୨୦୧୨-୧୩ରେ ଏମସିଏଲ ସିଆରମାଲ ଖଣି ପାଇଁ ପତ୍ରାପାଲି, ହଲଦିବାହାଲ, ଫିଟିଙ୍ଗପଡା, ଛିଟକେନଢିପା, ସ୍କୁଲପଡ଼ାର ଜମି ହରାଇଥିବା ପ୍ରାୟ ୩ ଶହ ପରିବାର ଊଣା ଅଧିକ ଏପରି ଶୋଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଖଣି ପାଇଁ ଜମି ସର୍ଭେ ଓ ଅଧିଗ୍ରହଣ ପରେ ଆବଶ୍ୟକ କାଗଜପତ୍ର ଦେଖି ଜମି ମାଲିକଙ୍କ ବ୍ୟାଙ୍କ ଖାତାକୁ କ୍ଷତିପୂରଣ ରାଶି ସିଧା ପଠାଯିବା କଥା। କିନ୍ତୁ ଦଲାଲ, ଆରଆଇ ଓ ଅଧିକାରୀଙ୍କୁ ଟଙ୍କା ନଦେଲେ କାମ ଆଗେଇ ପାରୁନାହିଁ। ଯିଏ ଲାଞ୍ଚ ଦେଉଛି, ତା’ଙ୍କ କ୍ଷତିପୂରଣ ରାଶି ମାତ୍ର ୩ରୁ ୪ ଦିନ ମଧ୍ୟରେ ବ୍ୟାଙ୍କ ଖାତାରେ ଜମା ହୋଇ ଯାଉଥିବା ବେଳେ ଯିଏ ଦେଇପାରୁ ନାହିଁ ତାଙ୍କୁ ବିଭିନ୍ନ ଆଳ ଦେଖାଇ ମାସ ମାସ ଗଡ଼ାଇ ନେଉଥିବା ବିସ୍ଥାପିତ ମାନେ ଅଭିଯୋଗ କରିଛନ୍ତି। ଏହା ମଧ୍ୟରେ ଆରଆଇ ଓ ଦଲାଲଙ୍କ ଏହି ଲାଞ୍ଚ ବାର୍ତ୍ତାଳାପ ଏସିଆର ଦ୍ବିତୀୟ ସର୍ବବୃହତ କୋଇଲା ଖଣିରେ ବିସ୍ଥାପିତଙ୍କୁ ମିଳୁଥିବା କ୍ଷତିପୂରଣରେ ହେଉଥିବା ଲାଞ୍ଚ କାରବାର ଗୁମର ଖୋଲିଛି। ତେବେ ଆରଆଇ ଦାବି ମୁତାବକ ଟଙ୍କା ନେଇ ପାରି ନଥିବା ଜଣାପଡ଼ିଛି।

ଦଲାଲଙ୍କ ଅଡିଓରେ ଏଡିଏମଙ୍କ ନାଁ

ଏମସିଏଲ ବିସ୍ଥାପିତଙ୍କ କ୍ଷତିପୂରଣ ରାଶି ପ୍ରଦାନରେ ଆସିଥିବା ୨ ପ୍ରତିଶତ କମିସନ (ପିସି) କାରବାର ଅଭିଯୋଗ ଓ ବିସ୍ଥାପିତଙ୍କ ସହ ଆରଆଇ, ଦଲାଲଙ୍କ ମୋବାଇଲ ବାର୍ତ୍ତାଳାପ ଉପରେ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ତଦନ୍ତଭାର ନେଇଛନ୍ତି। ସୋମବାର ସେ ଅଭିଯୋଗକାରୀ ବିସ୍ଥାପିତଙ୍କ ସମେତ କ୍ଷତିପୂରଣ ପାଇବାକୁ ଥିବା ଅନ୍ୟ ବିସ୍ଥାପିତ ମାନଙ୍କୁ ଭେଟି ତଦନ୍ତ କରିବେ। କିନ୍ତୁ ବିସ୍ଥାପିତଙ୍କ କ୍ଷତିପୂରଣ ପ୍ରଦାନର ପ୍ରମୁଖ ଦାୟିତ୍ବ ଅତିରିକ୍ତ ଜିଲ୍ଲାପାଳଙ୍କ ହାତରେ ଥିବା ବେଳେ ତାଙ୍କ ଅଧୀନରେ ଥିବା ବିଭାଗ ନାମରେ ଆସିଛି କମିସନ କାରବାର ଅଭିଯୋଗ। ଅନ୍ୟପଟେ ଆରଆଇ-ବିସ୍ଥାପିତଙ୍କ ମୋବାଇଲ୍ ବାର୍ତ୍ତାଳାପରେ ସବୁ ଅର୍ଥ ଅଧିକାରୀ ନେବେ, ତାଙ୍କ ଭାଗରେ କେବଳ ପାଞ୍ଚ, ୧୦ ହଜାର ପଡ଼ିବ’ ବୋଲି ଆରଆଇ କହୁଥିବା ଶୁଣିବାକୁ ମିଳିଛି। ସେହିପରି ଦଲାଲଙ୍କ ବାର୍ତ୍ତାଳାପରେ ଏଡିଏମ, ଆରଆଇ ଦୁଇ ପ୍ରତିଶତ ନେଉଥିବା କୁହାଯାଇଛି। ଏଥିରେ କେତେ ସତ୍ୟତା ଅଛି, ତାହା ଭିନ୍ନ ପ୍ରଶ୍ନ। ଏହା ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଏହା ମିଥ୍ୟା ଓ ଭିତ୍ତିହୀନ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। କିନ୍ତୁ ଘଟଣାରେ ଏଡିଏମଙ୍କ ନାମ ଉଚ୍ଚାରିତ ହୋଇଥିବା ବେଳେ ତାଙ୍କ ଦ୍ବାରା ତଦନ୍ତ ସାଧାରଣରେ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ଜିଲ୍ଲାପାଳ ନିଜେ ଏହାର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି ହେଉଛି।

The post ଏମସିଏଲ ବିସ୍ଥାପିତଙ୍କୁ କ୍ଷତିପୁରଣ ଦେବାକୁ ଅଧିକାରୀଙ୍କ ପିସି, ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ first appeared on Sambad.

from ଜିଲ୍ଲା | Sambad https://ift.tt/3pS6LHE