
ସମ୍ବଲପୁର : ପେଟ୍ରୋଲ୍ କେବେଠୁ ୧୦୦ ଅତିକ୍ରମ କରି ସାରିଥିଲାବେଳେ ସମ୍ବଲପୁରରେ ୫ ତାରିଖ ମଙ୍ଗଳବାର ଦିନ ଡିଜେଲ୍ ବି ତିନି ଅଙ୍କ ଛୁଇଁଛି। ସମ୍ବଲପୁରରେ ଡିଜେଲ୍ ଦର ଗତ ୪ ତାରିଖ ସୋମବାର ଦିନ ଲିଟର୍ ପିଛା ୯୯ ଟଙ୍କା ୭୦ ପଇସା ଥିଲାବେଳେ ୫ ତାରିଖ ସକାଳ ୬ଟାରୁ ୩୩ ପଇସା ବୃଦ୍ଧି ପାଇ ୧୦୦ ଟଙ୍କା ୦୩ ପଇସାରେ ପହଞ୍ଚିଥିଲା। ୬ ତାରିଖ ବୁଧବାର ଦିନ ଏହା ପୁଣି ୩୯ ପଇସା ବଢ଼ି ଲିଟର୍ ପିଛା ୧୦୦ ଟଙ୍କା ୪୨ ପଇସାରେ ପହଞ୍ଚିଛି। ସେହିପରି ପେଟ୍ରୋଲ ଦର ଲିଟର୍ ପିଛା ୪ ତାରିଖରେ ୧୦୪ ଟଙ୍କା ୫୪ ପଇସା, ୫ରେ ୧୦୪ ଟଙ୍କା ୨୩ ପଇସା ଓ ୬ରେ ୧୦୩.୯୮ ପଇସା ରହିଛି।
ଅର୍ଥାତ୍ ଡିଜେଲ୍ ଦର ବୃଦ୍ଧିର ଏହି ଦୁଇ ଦିନରେ ପେଟ୍ରୋଲ୍ ଦରକୁ ଚତୁରତାର ସହ କିଛିଟା ହ୍ରାସ କରାଯାଇଛି। ଉପରୋକ୍ତ ସମସ୍ତ ଦର ଭାରତ ପେଟ୍ରୋଲିୟମ୍ ନିଗମ (ବିପିସିଏଲ୍)ର ହୋଇଥିବାବେଳେ ଅନ୍ୟ ରାଷ୍ଟ୍ରାୟତ୍ତ କମ୍ପାନି ଅଧିନସ୍ଥ ପେଟ୍ରୋଲ ପମ୍ପ୍ରେ ମଧ୍ୟ ଦର ସେହି ପାଖାପାଖି (ଅତି ବେଶିରେ ୧୦ ପଇସା ଏପାଖସେପାଖ) ରହିଛି। ଡିଜେଲ୍ ଦରବୃଦ୍ଧିର ସିଧାସଳଖ ପ୍ରଭାବ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପଡ଼ୁଛି ଓ ମହଙ୍ଗା ମାଡ଼ରେ ଲୋକେ ଅତିଷ୍ଟ ହେଲେଣି ବୋଲି ସମ୍ବଲପୁର ବିଚାର ମଞ୍ଚର ଆବାହକ ବେଣୁଧର ଦାଶ କହିଛନ୍ତି।
The post ସମ୍ବଲପୁରରେ ଡିଜେଲ୍ ବି ୧୦୦ ଟପିଲା first appeared on Sambad.from ଜିଲ୍ଲା | Sambad https://ift.tt/304RF6X
0 Comments