ବରଗଡ଼/ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ରେ ବିଧାୟିକା ସ୍ନେହାଂଗିନୀ ଛୁରିଆଙ୍କ ପିଏସ୍‌ଓଙ୍କ ପିସ୍ତଲ ପ୍ରଦର୍ଶନକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଅତାବିରା ଅଂଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ବିଜେଡି ଓ କଂଗ୍ରେସ ଭିନ୍ନଭିନ୍ନ ଯୁକ୍ତି ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ମୁତାବକ, ଶନିବାର ଅପରାହ୍‌ଣରେ ହିର୍ଲିପାଲିଠାରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ଆଶଂକା କରି ପୂର୍ବରୁ ବିଜେପି ଓ କଂଗ୍ରେସ କର୍ମୀ ଗିରଫ ହୋଇଥିଲେ। ହେଲେ ଅପରାହ୍‌ଣ ୨.୩୦ଟାରେ ତାଙ୍କୁ ପୁଲିସ୍‌ ଛାଡ଼ି ଥିଲା। ହିର୍ଲିପାଲି କାର୍ଯ୍ୟକ୍ରମକୁ ଯିବାବେଳେ ବିଧାୟିକା ଶ୍ରୀମତୀ ଛୁରିଆ ଟୋପ ରାସ୍ତା ଦେଇ ଯାଇଥିଲେ। କିନ୍ତୁ ରେଂଗାଲି କ୍ୟାମ୍ପରେ କଂଗ୍ରେସ କର୍ମୀ ଠୁଳ ହୋଇଥିଲେ। ଏତିକି ବେଳେ ପିଏସ୍‌ଓ ଭବାନୀ ଏବଂ ବିଧାୟିକାଙ୍କ ଡ୍ରାଇଭର ଗୋଟିଏ ବାଇକ୍‌ରେ ହିର୍ଲିପାଲି ଅଭିମୁଖେ ଯାଉଥିଲେ। ସେଠାରେ କଂଗ୍ରେସ କର୍ମୀଙ୍କ ସହିତ ସେମାନଙ୍କ ବଚସା ହୋଇଥିଲା। ସେତିକି ବେଳେ ପିଏସ୍‌ଓ ଜଣକ ପିସ୍ତଲ ବାହାର କରିଥିଲେ। ଏହି ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

କଂଗ୍ରେସର କହିବା ହେଲା, ଡୁମେରପାଲି ଛକ ପାଖରେ ପିଏସ୍‌ଓ ଜଣକ ଗାଳିଗୁଲଜ୍‌ କରିବା ସହ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ। କିନ୍ତୁ ବିଜେଡି କହୁଛି, କଂଗ୍ରେସ କର୍ମୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ନିଜ ଜୀବନ ରକ୍ଷା ପାଇଁ କେବଳ ପିଏସ୍‌ଓ ଜଣକ ପିସ୍ତଲ କାଢ଼ିଥିଲେ। ଉଭୟ ଦଳର ପ୍ରତିନିଧି ଥାନାର ଦ୍ବାରସ୍ଥ ହୋଇଛନ୍ତି। ପିଏସ୍‌ଓଙ୍କୁ ତୁରନ୍ତ ଗିରଫ କରିବାକୁ କଂଗ୍ରେସ ଦାବି କରିଛି। ଅନ୍ୟପକ୍ଷରେ ପିଏସ୍‌ଓଙ୍କୁ ଆକ୍ରମଣ କରିଥିବା କଂଗ୍ରେସ କର୍ମୀଙ୍କୁ ଗିରଫ କରିବାକୁ ବିଜେଡି ଦାବି ରଖିଛି। ଏସ୍‌ଡିପିଓଙ୍କ ସମେତ ବରିଷ୍ଠ ପୁଲିସ୍‌ ଅଧିକାରୀ ଥାନାରେ ପହଂଚି ମାମଲାର ତଦାରଖ କରିଛନ୍ତି।

The post ପିଏସ୍‌ଓଙ୍କ ପିସ୍ତଲ ପ୍ରଦର୍ଶନ, ଅତାବିରାରେ ଉତ୍ତେଜନା first appeared on Sambad.

from ଜିଲ୍ଲା | Sambad https://ift.tt/3Hhk2jn