ରିଆମାଳ : ରାଜ୍ୟ ସରକାରଙ୍କ ପକ୍ଷରୁ ସଂପ୍ରତି ପ୍ରତି ଜିଲ୍ଲାରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଉଛି। ସ୍ୱାସ୍ଥ୍ୟର ଭିତ୍ତିଭୂମି ସଜାଡ଼ିବାରେ ବ୍ୟବସ୍ଥା କରାଯାଉଛି। ହେଲେ ଏବେ ବି ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବାକୁ ସଂଘର୍ଷ କରୁଛନ୍ତି। ଆମ୍ବୁଲାନ୍‌ସ ଥିଲେ ମଧ୍ୟ ରାସ୍ତା ସୁବିଧା ନଥିବାରୁ ଗାଡ଼ି ରୋଗୀଙ୍କ ଘର ନିକଟରେ ପହଞ୍ଚି ପାରୁନି। ଫଳରେ ଘର ପାଖରୁ ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ରୋଗୀଙ୍କୁ ଖଟିଆ, ଭାର କିମ୍ବା ଷ୍ଟ୍ରେଚରରେ ବୋହିବାକୁ ପଡ଼ୁଛି। ପୁଣି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଦୁଧିଆନାଳୀ ପଞ୍ଚାୟତରେ।

ଏହି ପଞ୍ଚାୟତର ବାଙ୍କଧରସ୍ଥିତ ମୁଣ୍ଡା ସାହିରେ ଜଣେ ଗର୍ଭବତୀ ମହିଳା ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଆମ୍ବୁଲାନ୍‌ସକୁ ଫୋନ କରିଥିଲେ। ସନ୍ଧ୍ୟା ୭ ଟା ୫ ମିନିଟ ସମୟରେ ଖବର ପାଇ ୧୦୮ ଆମ୍ବୁଲାନ୍‌ସ ଚାଳକ ଓ କର୍ମଚାରୀମାନେ ଆସି ଉକ୍ତ ଗ୍ରାମଠାରୁ ଅଢେଇ କିମି ଦୂରରେ ପହଞ୍ଚିଥିଲେ। ଖରାପ ରାସ୍ତା ଯୋଗୁଁ ଗାଡ଼ି ଆଗକୁ ଯାଇ ପାରି ନଥିଲା। ଉକ୍ତ ଅଞ୍ଚଳଟି ଦୁର୍ଗମ ହୋଇଥିବାରୁ ସେଠାରେ ଟେଲିଫୋନ୍‌ର ସୁବିଧା ମଧ୍ୟ ନାହିଁ। ଫଳରେ ୧୦୮ର କର୍ମଚାରୀ କଂଟ୍ରୋଲ ରୁମ ସହିତ ଯୋଗାଯୋଗ କରି ପାରି ନ ଥିଲେ। ପରେ ଉକ୍ତ ଗାଡ଼ିର ଚାଳକ ଏବଂ ଫାର୍ମାସିଷ୍ଟ ଗ୍ରାମବାସୀଙ୍କ ସହାୟତାରେ ଅନ୍ଧାର ରାତିରେ ଟର୍ଚ୍ଚ ଲାଇଟ୍‌ ସହାୟତାରେ ୨.୫ କିମି ବାଟ ଚାଲି ଚାଲି ‌ମହିଳାଙ୍କ ଘରେ ପହଞ୍ଚିଥିଲେ। ସେଠାରୁ ଷ୍ଟ୍ରେଚର୍‌ରେ ତାଙ୍କୁ ବୋହି ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ସେଠାରୁ ରାତି ପ୍ରାୟ ୯ ଟା ୫୪ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଗର୍ଭବତୀ ଜଣଙ୍କ ହେଲେ ସେହି ଗ୍ରାମର ସିଲାମାଟି ବିଲୁଙ୍ଗ (୩୪)। ଫୋନ ପାଇ ଅତି କମ ସମୟ ମଧ୍ୟରେ ଆମ୍ବୁଲାନ୍‌ସ କର୍ମଚାରୀମାନେ ଗମନା ଗମନର ଅସୁବିଧା ସତ୍ୱେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିବାରୁ ଗ୍ରାମବାସୀ ସେମାନଙ୍କୁ ପ୍ରଶଂସା କରିଛନ୍ତି।

The post ଗାଁକୁ ଗଲାନି ଆମ୍ବୁଲାନ୍‌ସ, ଅଢ଼େଇ କିଲୋମିଟର ଷ୍ଟ୍ରେଚର୍‌ରେ ଗର୍ଭବତୀଙ୍କୁ ବୋହିଲେ ୧୦୮ କର୍ମଚାରୀ first appeared on Sambad.

from ଜିଲ୍ଲା | Sambad https://ift.tt/3CYrCMu