
ହରିପୁର : ଆଜି ଠାରୁ ରସୁଲପୁର ବ୍ଲକ୍ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ହରିପୁର ଠାରେ ପ୍ରସିଦ୍ଧ ରାହାସ ଉତ୍ସବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ପଞ୍ଚୁକର ପ୍ରଥମ ଦିନରେ ହରିପୁରର ରାହାସ ବିହାରୀ, ଜଗନ୍ନାଥ ମଠର ରାଧାକାନ୍ତ ଜିଉ ଓ ଗୋବିନ୍ଦ ଚନ୍ଦ୍ର ଜିଉ ରାହାସ ମଣ୍ତପରେ ବିଜେ କରିଛନ୍ତି। ରାହାସ ବିହାରୀ ଆଜି ସନ୍ଧ୍ୟାରୁ ଅହୋରାତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମଣ୍ତପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଜଗନ୍ନାଥ ମଠରେ ସନ୍ଧ୍ୟା ୭ରୁ ରାତି ୧୦ ପର୍ଯ୍ୟନ୍ତ କୁଞ୍ଜ ମଣ୍ତପରେ ଝୁଲଣ କରିବେ। ନଦିଆ କୀର୍ତ୍ତନରେ ଶ୍ରୀଜିଉଙ୍କୁ ମଣ୍ତପ ନିକଟକୁ ଅଣାଯାଇ ପୂଜା କରାଯାଇଥିଲା। ଆସନ୍ତାକାଲି ଦ୍ବାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ହରିପୁର ଗ୍ରାମର ରାଧାବୃନ୍ଦାବନ ଜିଉ, ଗୋପୀନାଥପୁରର ରାଧାଗୋପୀନାଥ ଜିଉ, ନରସିଂହପୁରର ମଦନ ମୋହନ ଜିଉ ଆସନ୍ତାକାଲି ଠାରୁ ରାହାସ ମଣ୍ତପକୁ ବିଜେ କରିବେ ବୋଲି ସୂଚନା ଦିଆଯାଇଛି।
କରୋନା କଟକଣା ପାଇଁ ପ୍ରଶାସନ ନିର୍ଦେଶରେ ସ୍ବଳ୍ପ ସାଜସଜ୍ଜା କରାଯାଇଛି। ଚଳିତ ବର୍ଷର ରାହାସ ଯାତ୍ରାରେ ୪ଟି ଅପେରା ଦଳ ଯାତ୍ରା ପରିବେଷଣ କରିବେ। ନରସିଂହପୁର କଚେରି ପଡ଼ିଆରେ ୨୧ରୁ ୨୫ ତାରିଖ ତୁଳସୀ ଗଣନାଟ୍ୟ, ୨୫ରୁ ୨୮ ତାରିଖ କଳିଙ୍ଗ ଗଣନାଟ୍ୟ, ହରିପୁର ଜଗନ୍ନାଥ ମଠରେ ୨୦ରୁ ୨୩ ରଙ୍ଗମହଲ ଓ ହରିପୁର ରାଧାବୃନ୍ଦାବନ ଜିଉଙ୍କ ନିକଟରେ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ବପ୍ନ ମହଲ ଯାତ୍ରା ମଞ୍ଚସ୍ଥ କରିବ ବୋଲି ଆୟୋଜକଙ୍କ ଠାରୁ ସୂଚନା ମିଳିଛି। ଅପେରା ଦଳ ସନ୍ଧ୍ୟା ୬ରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ନାଟକ ପ୍ରଦର୍ଶନ କରିବେ ବୋଲି ପ୍ରଶାସନ ଅନୁମତି ଦେଇଛି। ଗୋଟିଏ ଅପେରା ଦଳ ନିକଟରେ ୧୦ଟି ଛୋଟଛୋଟ ଚା’, ପାନ, ଚଣା ଆଦି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ବୋଲି କୁଆଖିଆ ଥାନାଧିକାରୀ ମନୋଜ ସ୍ବାଇଁ ସୂଚନା ଦେଇଛନ୍ତି।
The post ହରିପୁରର ପ୍ରସିଦ୍ଧ ରାହାସ ଉତ୍ସବ ଆରମ୍ଭ: ଦୁଇ କୁଞ୍ଜମଣ୍ଡପରେ ଶ୍ରୀ ରାଧାକୃଷ୍ଣ ବିଜେ first appeared on Sambad.from ଜିଲ୍ଲା | Sambad https://ift.tt/3CiN6TZ
0 Comments