
ଜଳେଶ୍ବର : ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ସବୁଠି ସ୍ବାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ। ଓଡ଼ିଶାରେ ଏବେ ୨୮ ଶହ ଡାକ୍ତର ପଦବି ଖାଲି ପଡ଼ିଛି। ଲୋକେ ଉପଯୁକ୍ତ ଚିକିତ୍ସା ସେବା ପାଉନଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ପାଇଁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବା ହାସ୍ୟାସ୍ପଦ। ଶନିବାର ଜଳେଶ୍ଵରଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଜନଜାଗରଣ ଅଭିଯାନ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଓଡ଼ିଶା ଦାୟିତ୍ୱରେ ଥିବା ଦଳୀୟ ପ୍ରଭାରୀ ସାଂସଦ ଡ. ଏ. ଚେଲା କୁମାର ଏହା କହିଛନ୍ତି।
କଂଗ୍ରେସର ଏହି ଜନଜାଗରଣ ଅଭିଯାନ ଶନିବାର ଦିନ ରାଜପୁରଠାରୁ ଶୁଭାରମ୍ଭ ହୋଇଥିଲା। ଏକ ବିଶାଳ ପଟୁଆରରେ ଦଳର ନେତା ଓ କର୍ମୀମାନେ ସାମିଲ ହୋଇ ସହର ପରିକ୍ରମା କରିବା ସହ ବଡ଼ବଜାର ଟାଉନ ହଲ ପଡ଼ିଆଠାରେ ପହଞ୍ଚିଥିଲେ। ବାଲେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ଡ. ଚେଲା କୁମାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ତଥା ବୈମାତୃକ ମନୋଭାବ ଯୋଗୁ ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ବୋଲି କହିଥିଲେ। ବିଧାନସଭାରେ ଏହାକୁ ପ୍ରସଙ୍ଗ କରାଯାଇଛି ଏବଂ ଏହି ଦାବି ସଂସଦରେ ମଧ୍ୟ କଂଗ୍ରେସ ଉଠାଇବ। ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ସମଗ୍ର ଦେଶରେ ୧୦ କୋଟି ଓ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡିଶାରେ ୧.୨୫ ଲକ୍ଷ ଲୋକଙ୍କୁ ଚାକିରି ହରାଇବାକୁ ପଡ଼ିଛି। ଓଡ଼ିଶାରେ ପ୍ରତିଦିନ ୧୨ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ୧୮ ଜଣ ନାବାଳିକା ନିଖୋଜ ହେଉଛନ୍ତି। ଗତ ବର୍ଷକ ମଧ୍ୟରେ ୬୮ ହଜାର ନାରୀ ନିର୍ଯାତନା ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ମମିତା, ପରୀ ଭଳି ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି। ଗାଁ ଗାଁରେ ମଦ ଦୋକାନ ଖୋଲୁଛି। ଚାଷୀମାନେ ନିଜ ହକ୍ରୁ ବଞ୍ଚିତ ହୋଇଛନ୍ତି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ଅସହ୍ୟ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ସ୍ବାର୍ଥକୁ ପଛରେ ପକାଇ ବିଜେଡି, ବିଜେପି ଉପରେ କଳି ଓ ଭିତରେ କୋଳାକୋଳି ହେଉଛନ୍ତି ବୋଲି ଡ.ଚେଲା କୁମାର କହିଥିଲେ।
ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ସହପ୍ରଭାରୀ ବି. ରୁଦ୍ରରାଜୁ, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ, ବାଲେଶ୍ବର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ଭୋଗରାଇ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ, ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ସୁଦର୍ଶନ ଦାସ ପ୍ରମୁଖ ବକ୍ତବ୍ୟ ରଖି ବାଲେଶ୍ବରରୁ ପରିବର୍ତ୍ତନର ଆହ୍ବାନ ହିଁ ଏହି ଜନଜାଗରଣ ଅଭିଯାନର ଉଦ୍ଦେଶ୍ୟ ବୋଲି କହିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ। ସଭା ପ୍ରାରମ୍ଭରେ ଜଳେଶ୍ବର ବ୍ଲକ କଂଗ୍ରେସ କମିଟି ସଭାପତି ରାଜୀବ ପରିଡ଼ା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମଞ୍ଚରେ ଯଜ୍ଞେଶ୍ବର ବାବୁ, ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ରଜତ ଚୌଧୁରୀ, ଅର୍ଚ୍ଚନା ନନ୍ଦୀ, କାଦମ୍ବିନୀ ରାୟ, ଗିରିଜା ଶଙ୍କର ଦାସଙ୍କ ସମେତ ଦଳର ରାଜ୍ୟ ଓ ଜିଲ୍ଲା ନେତୃତ୍ବ ଉପସ୍ଥିତ ଥିଲେ।
The post ଜଳେଶ୍ବରରେ କଂଗ୍ରେସର ଜନଜାଗରଣ ଅଭିଯାନ first appeared on Sambad.from ଜିଲ୍ଲା | Sambad https://ift.tt/3nAgLnm
0 Comments