ଦିଗପହଣ୍ଡି/କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଓ କୁକୁଡ଼ାଖଣ୍ଡି ବ୍ଲକ୍ ଅଧୀନ ମହୁଡ଼ା ଗ୍ରାମରେ ଘର କାନ୍ଥ ବିବାଦକୁ ନେଇ ଜଣେ ମହିଳାଙ୍କୁ ତାଙ୍କ ପଡୋଶୀ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି। ମୃତକ ଜଣକ ହେଉଛନ୍ତି, ନୂଆସାହିର ବିଜୟଲକ୍ଷ୍ମୀ ମହାନ୍ତି (୫୫)। ବିଜୟଲକ୍ଷ୍ମୀ ଅବିବାହିତା ଓ ସେ ଏକୁଟିଆ ଗାଁରେ ରହୁଥିଲେ। ତେବେ ଘର ପାଚେରିକୁ ନେଇ ପୂର୍ବରୁ ପଡ଼ୋଶୀ ରବୀନ୍ଦ୍ର ନାହାକଙ୍କ ପରିବାର ସହ ତାଙ୍କର ବିବାଦ ଲାଗି ରହିଥିଲା। ବେଳେ ଝଗଡା ହେବାରୁ ବିଜୟଲକ୍ଷ୍ମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ରବୀନ୍ଦ୍ର ଯୋଜନା କରିଥିଲେ।

ମଙ୍ଗଳବାର ସନ୍ଧ୍ୟା ୫ଟାରେ ବିଜୟଲକ୍ଷ୍ମୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ରବୀନ୍ଦ୍ର ଓ ତାଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ବାଉଁଶ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବିଜୟଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ରବୀନ୍ଦ୍ରଙ୍କ ପରିବାର ଘରେ ତାଲା ପକାଇ ଫେରାର୍ ହୋଇଯାଇଥିଲେ। ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନାଧିକାରୀ ବସନ୍ତ କୁମାର ସଦଳବଳେ ପହଞ୍ଚି ତଦନ୍ତ କରିଥିଲେ। ବୁଧବାର ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଛାନ୍‌ଭିନ୍ କରୁଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି। ନଂ.୩୦୭/୨୧ ଅନୁସାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

The post ପାଚେରି ବିବାଦରୁ ମହିଳାଙ୍କୁ ଠେଙ୍ଗାରେ ପିଟି ହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3COYkja