ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବାଲୁକେଶ୍ବରପୁର ଗ୍ରାମରେ କ୍ରିକେଟ୍ ଖେଳରେ କମେଣ୍ଟ୍ ମରାକୁ କେନ୍ଦ୍ର କରି ଖଣ୍ଡା ବୁଲିଛି। ଦୁଇ ଗ‌ୋଷ୍ଠୀ ମଧ୍ୟରେ ଲାଗିଥିବା ଛକାପଞ୍ଝା ଉଗ୍ର ରୂପ ନେଇଛି। ରାତି ସାଢ଼େ ୧୧ଟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ସଂଘର୍ଷ ଘଟିଛି। ଖଣ୍ଡାରେ ଆକ୍ରମଣ ପ୍ରତି ଆକ୍ରମଣ ହେବାରୁ ୪ ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

୪ ମାସ ତଳେ ଗ୍ରାମର ବୁଲୁ ଗୌଡ଼ ଓ ଅମିତ୍ ସ୍ବାଇଁଙ୍କ ମଧ୍ୟ୍ୟରେ କ୍ରିକେଟ୍ ଖେଳରେ କମେଣ୍ଟ୍ ମରାକୁ କେନ୍ଦ୍ର କରି ମାରପିଟ୍ ହୋଇଥିଲା। ତେବେ କିଛି ଗ୍ରାମବାସୀ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା। କିନ୍ତୁ ମଙ୍ଗଳବାର ଉଭୟଙ୍କ ମଧ୍ୟରେ ପୁଣି କମେଣ୍ଟ୍ ମରା ଘଟଣାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା। ଯାହାକି ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଝଡ଼ିଆ ପାହାନ (୬୦), ବୁଲୁ ଗୌଡ଼ (୩୮), ହର୍ଷ ପ୍ରଧାନ (୨୧) ଓ ଅମିତ ସ୍ୱାଇଁ (୨୩) ଆହତ ହୋଇଥିଲେ। ସମସ୍ତଙ୍କୁ ଖଲ୍ଲିକୋଟ ଡାକ୍ତରଖାନାକୁ ଅଣାଯାଇଥିବା ‌ବେଳେ ଝଡ଼ିଆ ଓ ବୁଲୁଙ୍କୁ କଟକ ପଠାଯାଇଛି। ଉଭୟଙ୍କ ମୁଣ୍ଡରେ ଗୁରୁତର ଆଘାତ ସହ ହାତ କଟିଯାଇଛି। ଉଭୟ ପକ୍ଷର ଏତଲା କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗ୍ରାମର ଦୁଇଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

The post କମେଣ୍ଟ୍ ମରାରୁ ଗାଁ ମଝିରେ ବୁଲିଲା ଖଣ୍ଡା first appeared on Sambad.

from ଜିଲ୍ଲା | Sambad https://ift.tt/3FNZPAm