ଛତ୍ରପୁର  : ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୯ ତାରିଖରୁ ଧାନ କିଣା ଆରମ୍ଭ ହେବ। ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ପ୍ରଥମ ପର୍ଯ୍ୟାୟରେ ୩୬ ଲକ୍ଷ ୪ ହଜାର ୪୭୭ କ୍ବିଣ୍ଟାଲ୍ ଧାନ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ରହିଛି। ଚଳିତ ବର୍ଷ ୩୮୬ ପ୍ୟାକ୍ସ୍, ୧୦୫ ସ୍ବୟଂ ସହାୟକ ମହିଳା ଗୋଷ୍ଠୀ ଏବଂ ଗୋଟିଏ ପାଣିପଞ୍ଚାୟତ ଜରିଆରେ ଚାଷୀଙ୍କଠାରୁ ଧାନ କିଣାଯିବାକୁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ସ୍ଥିର ହୋଇଛି।

୨୦୨୧–୨୨ ବର୍ଷ ପାଇଁ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚାଷୀ ଓ ସର୍ବସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିବା  ନିମନ୍ତେ ଜିଲ୍ଲା ସମେତ ପ୍ରତି ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ସ୍ଥିର ହୋଇଛି। ଏହାସହ ଧାନ ସଂଗ୍ରହ ବାବଦରେ ୧୯୬୭ ନମ୍ବର ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ପଞ୍ଜୀକୃତ ହୋଇଥିବା ମୋବାଇଲ୍ ନମ୍ବରରେ ଚାଷୀ ଏହି ଟୋଲ୍ ଫ୍ରି ନମ୍ବରକୁ ଫୋନ୍ କରିଲେ ଚାଷୀଙ୍କ ଧାନ ସଂଗ୍ରହ ବିଷୟରେ ସମସ୍ତ ବିବରଣୀ ପାଇପାରିବେ। ୧ ଲକ୍ଷ ୨୪ ହଜାର ୮୧ ଜଣ ଚାଷୀ ଧାନ ବିକ୍ରି କରିବା ଲାଗି ପଞ୍ଜୀକୃତ ହୋଇଛନ୍ତି। ଚାଷୀଙ୍କ ଧାନ ବିକ୍ରି କରିବା ଲାଗି ଯେଉଁ ଟୋକନ୍ ଦିଆଯିବ ତାହାରି ଅବଧି ଏକ ମାସ ଧରି ରହିବ।

ପ୍ରତି ୭ ଦିନରେ ଚାଷୀଙ୍କୁ ଏ ସଂପର୍କିତ ମେସେଜ୍ ମିଳିବ। ଧାନ ସଂଗ୍ରହ ବେଳେ ତଦାରଖ ନିମନ୍ତେ ଜିଲ୍ଲାସ୍ତରୀୟ ଓ ଉପଖଣ୍ତସ୍ତରୀୟ କମିଟି ଗଠନ କରାଯିବ। ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ବଚ୍ଛତାର ସହ ସୁରୁଖୁରରେ ପରିଚାଳନା କରାଯିବ। ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ ଜଣେ ମଧ୍ୟ ପଞ୍ଜୀକୃତ ଚାଷୀ ଯେମିତି ବାଦ୍‌ ନ ପଡିବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ବିଗତ ବର୍ଷର ସମସ୍ୟାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାକୁ ଅଧିକରୁ ଅଧିକ ଟାଗେର୍ଟ୍ ମିଳିବା ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ।  ଯଦି କୌଣସି ପ୍ୟାକ୍‌ସ ସଂପାଦକ କିମ୍ବା ଅନ୍ୟ କର୍ମଚାରୀଙ୍କ ପାଇଁ ସମସ୍ୟା ଉପୁଜିବ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଡିଆରସିଏସ୍‌ ବିଶ୍ବରଞ୍ଜନ ଦାଶଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଧାନ ସଂଗ୍ରହ ବେଳେ ସମସ୍ୟା ଯେପରି ନ ଉପୁଜିବ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ। ସେହିପରି ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଫସଲଗୁଡିକର କ୍ଷତିପୂରଣ ଦେବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ସେ କହିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,  ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ତା, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ  ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ବିଗତ ବର୍ଷଠୁ ଉତ୍ତମ ଭାବେ ପରିଚାଳନା କରିବା ପାଇଁ କହିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ  ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍‌, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ,ଡିଆରସିଏସ୍‌ ବିଶ୍ବରଞ୍ଜନ ଦାଶ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ତା, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ମିସନ୍ ଶକ୍ତି ଜିଲ୍ଲା ସଂଯୋଜକ ଶାଶ୍ବତ କୁମାର ସାହୁ, ଯୋଗାଣ ବିଭାଗର ପ୍ରୋଗ୍ରାମର ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

The post ଜିଲ୍ଲାରେ ଡିସେମ୍ବର ୨୯ରୁ  ଆରମ୍ଭ ହେବ ଧାନକିଣା first appeared on Sambad.

from ଜିଲ୍ଲା | Sambad https://ift.tt/3nVQ90h