କୋରାପୁଟ/ନବରଙ୍ଗପୁର : କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବିତରଣ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବଣ୍ଟନ ପ୍ରକ୍ରିୟାକୁ ଶୁଭାରମ୍ଭ କରିବା ସହ ଏକାଧିକ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ କୋରାପୁଟ କଫିକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ। ଆଗାମୀ ୩ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାରେ ୫ହଜାର ହେକ୍ଟର ଜମିରେ କଫି ଚାଷ କରାଯିବ। ବାର୍ଷିକ ହଜାର ହଜାର ଟନ୍‌ କଫି ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ନେଇ କୋରାପୁଟବାସୀ ଖୁସି ପ୍ରକଟ କରିବା ସହ ଧନ୍ୟବାଦ ଜଣାଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଡ ବଣ୍ଟନ ନିମନ୍ତେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ପ୍ରେକ୍ଷାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ୬ଜଣ ଆଦିବାସୀ ମହିଳା ଏବଂ ଜଣେ ଦିବ୍ୟାଙ୍ଗକୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଥିଲା। ସ୍ମାର୍ଟ କାର୍ଡ ଦ୍ବାରା କୋରାପୁଟ ଜିଲ୍ଲାର ଲୋକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏବଂ ଛତିଶଗଡ଼‌ର ବିଭିନ୍ନ ଡାକ୍ତରଖାନାରେ ଜରୁରୀ ତଥା ଉନ୍ନତ ମାନର ଚିକିତ୍ସା ସେବା ପାଇବେ ବୋଲି ଘୋଷଣା କରାଯାଇଥିଲା। ସେହିପରି ବୀମାଭୁକ୍ତ ମହିଳା ୧୦ଲକ୍ଷ ଟଙ୍କା ଏବଂ ପୁରୁଷ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରକାଶ କରିଥିଲେ। କୋରାପୁଟ ଜିଲ୍ଲାରେ ୩ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦିଆଯିବ ଏବଂ ୧୨ଲକ୍ଷ ଲୋକ ଉପକୃତ ହେବ ବୋଲି ସୂଚନା ଦିଆଯାଇଥିଲା। ଏଥି ସହ ୧୨୨ କୋଟି ୭୫ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ୪୫ ପ୍ରକଳ୍ପ ଉଦ୍‌ଘାଟନ କରାଯାଇଥିଲା। ୮୬୬ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୬୭ଟି ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା। ପାନୀୟ ଜଳ ଯୋଗାଣ, ରାସ୍ତା, ପୋଲ ନିର୍ମାଣ, ଷ୍ଟାଡିୟମ, ଜିଲ୍ଲାର ବିଭିନ୍ନ ଡାକ୍ତରଖାନାର ଭିତ୍ତିଭୂମିର ବିକାଶ ନିମନ୍ତେ ଭୂମି ପୂଜନ ହୋଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ରଘୁରାମ  ପଡାଲ, ଜିଲ୍ଲା ବିଜେଡି ସଭାପତି ତଥା ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।
ସ୍ବାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ମୂଲ୍ୟବାନ। ପରିବାରରୁ କେହି ଅସୁସ୍ଥ ହେଲେ ଚିନ୍ତା ଓ ଦୁଃଖ ବଢ଼ିଯାଏ। କିନ୍ତୁ ଏହି ସମସ୍ୟାର ଅନ୍ତ ଘଟାଇବାକୁ ଯୋଜନା କରି ରାଜ୍ୟ ସରକାର ସ୍ମାର୍ଟ କାର୍ଡ ପ୍ରଚଳନ କରିଛନ୍ତି। ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ଡାକ୍ତରଖାନାରେ ଲୋକେ ଚିକିତ୍ସା ସେବା ପାଇବେ। ତେଣୁ ସମସ୍ତେ ସୁସ୍ଥ ରହି ରାଜ୍ୟର ବିକାଶରେ ସହାୟକ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଂଗପୁର ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି।

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ସଦାଶିବ ପ୍ରଧାନୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ କୁନା ତ୍ରିପାଠୀ ସଂଯୋଜନା କରିଥିଲେ।

The post ୫ହଜାର ହେକ୍ଟର ଜମିରେ ହେବ କଫି ଚାଷ: ମୁଖ୍ୟମନ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/3rh0TIY