
କଟକ : ଏସ୍ସିବିରେ ଦୀର୍ଘ ୮ଘଣ୍ଟାର ସଫଳ ଅସ୍ତ୍ରୋପଚାର ଦ୍ୱାରା ଯୋଡ଼ି ହୋଇଛି ହାତର କଟା ପାପୁଲି। ପ୍ଲାଷ୍ଟିକ୍ ସର୍ଜରି ବିଭାଗ ବିଶେଷଜ୍ଞ ଡାକ୍ତରଙ୍କ ତ୍ବରିତ୍ ପଦକ୍ଷେପ ଓ ଅଧରାତିରେ କରାଯାଇଥିବା ଏଭଳି ସଫଳ ଅସ୍ତ୍ରୋପଚାର ଦ୍ବାରା ନିଜ ହାତ ପାପୁଲି ଫେରି ପାଇଛନ୍ତି ଢେଙ୍କାନାଳ ଜିଲ୍ଲା ସୁରପ୍ରତାପ ରାଜକିଶୋରପୁର ଗ୍ରାମର ଗଣେଶ୍ୱର ପଣ୍ଡା।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଳା ଗନ୍ଦିଆ ଥାନା ଅନ୍ତର୍ଗତ ସୁରପ୍ରତାପ ରାଜକିଶୋରପୁର ଗ୍ରାମରେ ପୂର୍ବଶତ୍ରୃତାକୁ କେନ୍ଦ୍ରକରି ଗଣେଶ୍ୱର ପଣ୍ଡା (୩୫)ଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା। ଫଳରେ ତାଙ୍କ ଡାହାଣ ହାତର ପାପୁଲି ସମ୍ପୂର୍ଣ୍ଣ ଛିଣ୍ଡି ଅଲଗା ହୋଇଯାଇଥିଲା। ପ୍ରଥମେ ଆହତ ଗଣେଶ୍ବରଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ୨୫ ତାରିଖ ସଂଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ପ୍ରାୟ ୧୦ଟାରେ କଟା ହାତପାପୁଲିକୁ ବରଫରେ ସଂରକ୍ଷିତ ରଖି ଗଣେଶ୍ବରଙ୍କୁ ତାଙ୍କ ପରିବାର ଲୋକେ ଏସ୍ସିବି କାଜୁଆଲିଟିକୁ ଆଣିଥିଲେ। ସେଠାରେ ତୁରନ୍ତ ତାଙ୍କର କଟା ହାତ ପାପୁଲିକୁ ଯୋଡିବା ପାଇଁ ପ୍ଲାଷ୍ଟିକ୍ ସର୍ଜରି ବିଭାଗ ପକ୍ଷରୁ ବିଶେଷଜ୍ଞ ଦଳ ଚିକିତ୍ସା ଆରମ୍ଭ କରିଥିଲେ। ରାତି ୧୨ଟାରୁ ପରଦିନ ସକାଳ ୮ଟା ପର୍ଯ୍ୟନ୍ତ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଯେଉଁଥିରେ ତାଙ୍କର କଟା ହାତ ପାପୁଲିକୁ ଯୋଡ଼ାଯାଇଥିଲା।
ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ କରାଯାଇଥିବା ଏହି ସଫଳ ଅସ୍ତ୍ରୋପଚାରରେ ଡାକ୍ତର ସତ୍ୟବ୍ରତ ରାଉତରାୟ, ଡାକ୍ତର ତନ୍ମୟ ମହାପାତ୍ର, ଡାକ୍ତର ନୃସିଂହ ଚରଣ ଦାଶଙ୍କ ସମେତ ବହୁ ଡାକ୍ତର, ପାରାମେଡିକାଲ କର୍ମଚାରୀ ସାମିଲ ହୋଇଥିଲେ।
The post କଟା ପାପୁଲି ଯୋଡ଼ା ହେଲା, ମଧ୍ୟରାତିରେ ଏସ୍ସିବିରେ ହେଲା ସଫଳ ଅସ୍ତ୍ରୋପଚାର first appeared on Sambad.from ଜିଲ୍ଲା | Sambad https://ift.tt/3E4nOKT
0 Comments