
କବାଟବନ୍ଧ : ଶାଶୁଘରକୁ ଯିବାବାଟରେ ବ୍ରାହ୍ମଣୀନଦୀକୁ ଡେଇଁ ଜଣେ ନବବିବାହିତ ମହିଳା ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ କବାଟବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଧର୍ମଶାଳା ପଠାଯାଇଥିଲା। କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତ ଝୁମ୍ପାଣ ଗ୍ରାମର ଭଗବାନ ମଲିକଙ୍କ ଝିଅ ଡଲି (୨୫)ଙ୍କ ସହ ଧର୍ମଶାଳା ବ୍ଲକ ଅଂଜିରା ଗ୍ରାମର ସାଗର ମଲିକଙ୍କର ବର୍ଷକ ତଳେ ବିବାହ ହୋଇଥିଲା। ବିବାହ ପରେ ସାଗର ରାଜ୍ୟ ବାହାରକୁ ଯାଇ କାମ କରୁଥିଲେ। ଶାଶୁଘର ଲୋକେ ଡଲିଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ସେ କିଛିମାସ ହେଲା ବାପଘରେ ରହୁଥିଲେ। ଏ ସଂପର୍କରେ ସେ ଜେନାପୁର ଥାନାରେ ମାସକ ତଳେ ଲିଖିତ ଅଭିଯୋଗ କରିଥିବାର ମଧ୍ୟ ତାଙ୍କ ଜେଜେମା ପ୍ରକାଶ କରିଛନ୍ତି।
ଶାଶୁଘର ଲୋକଙ୍କ ଅନୁରୋଧକ୍ରମେ ଶୁକ୍ରବାର ମଧ୍ୟାହ୍ନରେ ଜେଜେମା ସହ ଡଲି ଏକ ଅଟୋରେ ଅଂଜିରା ଗ୍ରାମକୁ ଯାଉଥିଲେ। କବାଟବନ୍ଧ ନିକଟ ବ୍ରାହ୍ମଣୀ ପୋଲ ଉପରେ ଅଟୋରୁ ଚପଲ ଖସିପଡ଼ିଲା କହି ଡଲି ଓହ୍ଲାଇ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିଲେ। ନଦୀରେ ଅଳ୍ପ ପାଣି ଥିବାରୁ ତଳେ ଗାଧୋଉଥିବା ସ୍ଥାନୀୟ କିଛି ଯୁବକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।
The post ବ୍ରାହ୍ମଣୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ first appeared on Sambad.from ଜିଲ୍ଲା | Sambad https://ift.tt/3ktHK1V
0 Comments