
ପାଣିକୋଇଲି: ପାଣିକୋଇଲି ଥାନା କରଦା ପଞ୍ଚାୟତରେ ଗତମାସ ୨୭ ତାରିଖରେ ଭକଣ୍ତାରୀ ଗ୍ରାମର ଜଣେ ଭିନ୍ନକ୍ଷମ ଦଳିତ ଯୁବକଙ୍କୁ ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି। ହେଲେ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ଆସନ୍ତା ୨୩ ତାରିଖରେ ଥାନା ଘେରାଉ କରିବା ପାଇଁ ଦଳିତ ସଂଘ ଚେତାବନୀ ଦେଇଛି। ଅଭିଯୋଗ ଅନୁଯାୟୀ, ଭକଣ୍ଡାରୀ ଗ୍ରାମର ସୁବାସ ମଲିକ ଭତ୍ତା ଟଙ୍କା ସମ୍ପର୍କରେ ବୁଝିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସରପଞ୍ଚ ଗଣେଶ ସାହୁ ତାଙ୍କ ଜାତିକୁ ନେଇ ଆକ୍ଷେପ କରିବା ସହ ମାଡ଼ ମାରିଥିଲେ।
କିଛିଦିନ ତଳେ ଏହି ଦଳିତ ଯୁବକ ସରକାରୀ ଆବାସ ପାଇଁ ସରପଞ୍ଚଙ୍କୁ ୩ ହଜାର ଟଙ୍କା ଦେଇଥିଲେ। ଘର ମିଳିନଥିବା ବେଳେ ସେ ଟଙ୍କା ମାଗିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସରପଞ୍ଚ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ସୁବାସ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ପାଣିକୋଇଲି ଥାନାରେ ଏତଲା ଦେଇଥିଲେ ମଧ୍ୟ ଘଟଣାର ସମାଧାନ କରିବାକୁ ପୁଲିସ ତାଙ୍କ ଉପରେ ଚାପ ପକାଇଥିଲା। ରାଜ୍ୟ ମାନବିକ ଅଧିକାର ସୁରକ୍ଷା ସେଲରେ ଏନେଇ ସୁବାସ ଅଭିଯୋଗ କରିବା ପରେ ପୁଲିସ ନଂ.୨୮୪/୨୧ରେ ଏକ ମାମଲା ରୁଜୁ କରିଥିଲା। ହେଲେ ପୁଲିସ ଅଭିଯୁକ୍ତକୁ ଗିରଫ କରିନଥିଲା। ଫଳରେ ପୀଡ଼ିତ ଯୁବକ ଗତ ୧୧ ତାରିଖରେ ଯାଜପୁର ଏସ୍ପିଙ୍କୁ ଭେଟି ଗୁହାରି କରିଥିଲେ। ଏସ୍ପିଙ୍କ ନିର୍ଦ୍ଦେଶରେ ଘଟଣାର ତଦନ୍ତ କରୁଥିବା ଡିଏସପି ମମତା ସାହୁ ପକ୍ଷପାତିତା କରି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଫଳରେ ଗତ ୧୫ ତାରିଖରେ ଜିଲ୍ଲା ଦଳିତ ସଂଘ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ପୁଲିସ ଏଥିରେ କର୍ଣ୍ଣପାତ ନକରିବାରୁ ଆସନ୍ତା ୨୩ ତାରିଖରେ ପାଣିକୋଇଲି ଥାନା ସମ୍ମୁଖରେ ଧାରଣା ଦେବାକୁ ସଂଘ ପକ୍ଷରୁ ସ୍ଥିର ହୋଇଛି। ମିଳିତ ଦଳିତ ସଂଘର ରାଜ୍ୟସ୍ତରୀୟ ନେତା ମନୋରଂଜନ ଜେନା, ଜିଲ୍ଲା ସମ୍ପାଦକ ବଳରାମ କାଣ୍ତି, ଯଶୋବନ୍ତ ଜେନା, ବିଜୟ କୁମାର ଜେନା, ସୂର୍ଯ୍ୟମଣି ଜେନା, ସୁବାସ ମଲ୍ଲିକ, ସହଦେବ ଜେନା ପ୍ରମୁଖ ଏନେଇ ଚେତାବନୀ ଦେଇଛନ୍ତି।
The post ଭିନ୍ନକ୍ଷମ ଦଳିତ ଯୁବକଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣା: ୨୩ରେ ଥାନା ଘେରିବ ଦଳିତ ସଂଘ first appeared on Sambad.from ଜିଲ୍ଲା | Sambad https://ift.tt/3FAED0e
0 Comments