
ରାଉରକେଲା: ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ପ୍ରଣୟନ କରୁଛନ୍ତି। ଏହି କ୍ରମରେ ଗାଁକୁ ସଂଯୋଗ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍ଜିଏସ୍ୱାଇ) କାର୍ଯ୍ୟକାରୀ ହେଉଛି। ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ ଅବା ଅପାରଗତା; ରାସ୍ତା ନିର୍ମାଣ ପ୍ରକଳ୍ପଗୁଡ଼ିକ ଯେଭଳି ଆଗେଇବା କଥା ତାହା ଆଗେଇପାରୁନି। ଫଳରେ ଗ୍ରାମାଞ୍ଚଳରେ ରହୁଥିବା ଅଧିବାସୀଙ୍କ ଦୁଃସ୍ଥିତିରେ ସୁଧାର ଆସୁନି।
ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସରକାରୀ ସଂସ୍ଥା, ଯଥା- ଗ୍ରାମ୍ୟ ନିର୍ମାଣ ବିଭାଜନ(ଆର୍ଡବ୍ଲ୍ୟୁ ଡିଭିଜନ), ବ୍ରିଜ୍ ଆଣ୍ଡ୍ ରୁଫ୍ ଓ ନ୍ୟାସନାଲ ବିଲ୍ଡିଂସ୍ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍(ଏନ୍ବିସିସି) ପକ୍ଷରୁ ପିଏମ୍ଜିଏସ୍ୱାଇ ରାସ୍ତା ନିର୍ମାଣ କରାଯାଉଛି। ନିର୍ମାଣ ଅବଧି ସରିଲାଣି, କିନ୍ତୁ ଏବେ ବି ଜିଲ୍ଲାର ୯ଟି ରାସ୍ତା ଅସଂପୂର୍ଣ୍ଣ। ପ୍ରକଳ୍ପ ଶେଷ କରିବାରେ ଏନ୍ବିସିସି ସବା ପଛରେ। ଏହି ଅସଂପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ ଏନ୍ବିବିସି ଅଧିନରେ ୬ଟି ଥିବାବେଳେ ବି.ଆର୍. ର ୧ ଓ ଆର୍ଡବ୍ଲ୍ୟୁ ଡିଭିଜନ ଅଧିନରେ ୨ଟି ପ୍ରକଳ୍ପ ନିର୍ମାଣାଧୀନ। ଏଯାଏଁ ନିର୍ମାଣ ସରିନଥିବା ପ୍ରକଳ୍ପଗୁଡ଼ିକ ହେଲା, କାଲୋପଡ଼ାକୁ ଆର୍ଡି ରାସ୍ତା, ହାତୀକୁଚା-ଠେଲାକୁଦର ରାସ୍ତା, ଭଞ୍ଜପାଲି-ପାଟମୁଣ୍ଡା-କୋଇଡ଼ା ରାସ୍ତା, ଜିରୋ ପଏଣ୍ଟ୍-କେନସିଲା ରୋଡ୍, ରୁତୁକୁପେଡ଼ି ରୋଡ୍, କୁଞ୍ଜମକୁ ଆର୍ଡି ରୋଡ୍, କୁନଝର, କଣ୍ଟାମୁଣ୍ଡା ରୋଡ୍ ଓ ପଙ୍କଡ଼ିହି-ରେନକେ ରାସ୍ତା। ଏହି ୯ଟି ରାସ୍ତା ହେଉଛି ୭୮.୩୮ କିଲୋମିଟର ବିଶିଷ୍ଟ। ଏଥିମଧ୍ୟରୁ ମାତ୍ର ୬୦.୩୯ କିଲୋମିଟର(୭୭.୦୪%) ସଂପନ୍ନ ହୋଇଥିବାବେଳେ ଏବେ ବି ୧୭.୯୯ କିଲୋମିଟର(୨୨.୯୬%) ନିର୍ମାଣ ସରିନି। ସେହିଭଳି ଏସବୁ ପ୍ରକଳ୍ପ ପାଇଁ ଆସିଥିବା ଅନୁଦାନ ବି ବ୍ୟୟ ହୋଇପାରୁନଥିବା ଜଣାପଡ଼ିଛି। ଏହି ୯ଟି ପ୍ରକଳ୍ପ ପାଇଁ ମୋଟ୍ ୩୨.୨୨ କୋଟି ଟଙ୍କା ଅନୁମୋଦିତ ହୋଇଥିବାବେଳେ ବ୍ୟୟ ହୋଇଛି ମାତ୍ର ୨୪.୨୬ କୋଟି ଟଙ୍କା। ଅର୍ଥାତ୍ ଏବେସୁଦ୍ଧା ୭.୯୬ କୋଟି ଟଙ୍କା ବ୍ୟୟ ହୋଇପାରିନି।
The post ପ୍ରଧାନମନ୍ତ୍ରୀ ସଡ଼କ ବି ବାଟବଣା! ସୁନ୍ଦରଗଡ଼ ଜିଲ୍ଲାରେ ୯ ରାସ୍ତା ଅଧପନ୍ତରିଆ, ନିର୍ମାଣ ସରୁନି first appeared on Sambad.from ଜିଲ୍ଲା | Sambad https://ift.tt/3oQYjGO
0 Comments