କୋରାପୁଟ: ସମସ୍ୟା ଯେତେବେଳେ ଆସେ ଲୋକେ ଆନ୍ଦୋଳନ, ଧାରଣା, ସତ୍ୟାଗ୍ରହ ଭଳି କାର୍ଯ୍ୟପନ୍ଥା ଆପଣାଉଛନ୍ତି। ତେବେ ଏହା ବିଶୃଙ୍ଖଳିତ ହେଲେ ବରଦାସ୍ତ କରାଯିବ ନାହିଁ। ଲୋକଙ୍କୁ ହଇରାଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୁକ୍ରବାର କଂଗ୍ରେସର ବନ୍ଦ ଡାକରାକୁ ଆଖି ଆଗରେ ରଖି ଗୁରୁବାର କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି ଚେତାଇ ଦେଇଛନ୍ତି।

ବିଭିନ୍ନ କାରଣକୁ ନେଇ ରାଜେନୖତିକ ଦଳ ଏବଂ କିଛି ସଂଗଠନ ପକ୍ଷରୁ ଯେ କୌଣସି ସମୟରେ ବନ୍ଦ ପାଳନ କରାଯାଉଛି। ବନ୍ଦ ବେଳେ ବହୁ ସ୍ଥାନରେ ଲୋକେ ରାସ୍ତାରୋକ କରି ଟ୍ରେନ ସହିତ ଯାନବାହନ ଚଳାଚଳ ବନ୍ଦ କରୁଛନ୍ତି। ଏହା ଦ୍ବାରା ଲୋକେ ଅଯଥାରେ ହଇରାଣ ହେଉଛନ୍ତି। ଅନେକ ସ୍ଥାନରେ ସରକାରୀ ଅନୁଷ୍ଠାନ ଭଙ୍ଗାରୁଜା ଭଳି ଘଟଣା ଘଟୁଛି। ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ଉଠିବା ପରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ କୋର୍ଟ କହିଛନ୍ତି। କୌଣସି ଅପ୍ରୀତିକର ଘଟଣା ନଘଟାଇବା ସହ ଲୋକଙ୍କୁ ହଇରାଣ ନକରିବା ପାଇଁ କୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। କଡା ନିର୍ଦ୍ଦେଶ ସତ୍ତ୍ବେ ବନ୍ଦ ପାଳନ ବେଳେ ଉଣା ଅଧିକେ ବିଶୃଙ୍ଖଳିତ ପରିସ୍ଥିତି ନଜରକୁ ଆସୁଛି। ଶୁକ୍ରବାର କଂଗ୍ରେସ ପକ୍ଷରୁ କୋରାପୁଟରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି କୁହାଯାଇଛି। ତେବେ ବନ୍ଦ ପାଳନବେଳେ ସାଧାରଣ ପରିବହନ ଯଥା ଟ୍ରେନ୍‌, ବସ୍‌ ଓ ରାସ୍ତାରୋକ ଭଳି କାର୍ଯ୍ୟ କରି ଲୋକସ୍ବାର୍ଥ ପ୍ରତି ବାଧା ପହଞ୍ଚାଇଲେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। କେବଳ ଶାନ୍ତିପୂର୍ଣ୍ଣ ବିକ୍ଷ‌ୋଭ କରିବାକୁ ଅନୁମତି ଦିଆଯିବ। ସ୍ଥାନୀୟ ଏସପିଙ୍କ ସଭାଗୃହରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ଶ୍ରୀ ଗୁଣ୍ଟୁପାଲି ଏହା କହିଛନ୍ତି। ବନ୍ଦବେଳେ କୌଣସି ଲୋକଙ୍କୁ ଅସୁବିଧାରେ ପକାଇବାକୁ ଦିଆଯିବ ନାହିଁ। କୋର୍ଟ ନର୍ଦ୍ଦେଶକୁ କଡାକଡି ପାଳନ କରାଯିବ। ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। କୋର୍ଟଙ୍କ ନିର୍ଦ୍ଦେଶ ଖାଲି ଶୁକ୍ରବାର ପାଇଁ ନୁହେଁ, ଆସନ୍ତା ଦିନରେ ଯେବେ ବି ଏପରି ସ୍ଥିତି ଆସିବ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

The post ଆଜି କଂଗ୍ରେସର ବନ୍ଦ ଡାକରା, ଲୋକଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ first appeared on Sambad.

from ଜିଲ୍ଲା | Sambad https://ift.tt/2YBQ9Zy