ବଲାଙ୍ଗୀର : ଆସନ୍ତା ୨୯ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ବଲାଙ୍ଗୀର ଜିଲ୍ଲାରେ ଖରିଫ ୨୦୨୧-୨୨ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବାହ୍ଣରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିଲେ। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପାଟଣାଗଡ଼ ବିଧାୟକ ସରୋଜ ମେହେର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ମଧାବ ସାଏ, ଟିଟିଲାଗଡ଼ ବିଧାୟିକାଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଲୋଇସିଂହା ବିଧାୟକଙ୍କ ପ୍ରତିନଧି ଦେବୀଲାଲ ମିଶ୍ର, ଚାଷୀ ପ୍ରତିନିଧି ଜତି ପଧାନ, ଦୁଖୁ ସାହୁ, ପିଡି ଡିଆର୍‌ଡିଏ ସୁଶାନ୍ତ ସିଂହ, ବଲାଙ୍ଗୀର, ପାଟଣାଗଡ଼, ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ସମବାୟ, ଜଳସେଚନ, ଆର୍‌ଏମ୍‌ସି, ଭାରତୀୟ ଖାଦ୍ୟ ନିଗମର ଅଧିକାରୀ ଓ ମିଲର୍ସ ପ୍ରତିନିଧିମାନେ ଯୋଗଦେଇଥିଲେ।

ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଜିଲ୍ଲାର ଖରିଫ ଧାନ ସଂଗ୍ରହ ଯେପରି ସୂଚାରୁରୂପେ ସଂପାଦିତ ହେବ ଓ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନ ମଣ୍ଡିଗୁଡ଼ିକରେ ଯେପରି ସୁରୁଖୁରୁରେ ବିକ୍ରୟ କରିପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସିଏସ୍‌ଓ ବିକ୍ରମ ମାଝୀ ଚଳିତ ଖରିଫରେ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ଓ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ ସଂଗ୍ରହ ସମ୍ପର୍କରେ ଗ୍ରହଣ କରଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ବୈଠକରେ ନିଷ୍ପତ୍ତି ପ୍ରକାରେ, ବଲାଙ୍ଗୀର ଜିଲ୍ଲାରେ ଆସନ୍ତା ୨୯ତାରିଖଠାରୁ ୧୫୮ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଓ ୧୪ଟି ସ୍ୱଂୟ ସହାୟକ ଗୋଷ୍ଠୀ ଜରିଆରେ ଧାନ ସଂଗ୍ରହ କରାଯିବ। ଚଳିତ ଖରିଫରେ ଏଫ୍‌ଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୯୪୦ ଟଙ୍କା ଧାର୍ଯ୍ୟ କରଯାଇଥିବା ବେଳେ ଗ୍ରେଡ ‘ଏ’ ଏଫଏ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପେକ୍ସଗୁଡ଼ିକରେ ଚାଷୀମାନଙ୍କଠାରୁ ଧାନକ୍ରୟ ସମୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ତଥା ସେମାନଙ୍କ ସୁବିଧା ସୁଯୋଗ ସମ୍ପର୍କରେ ତଦାରଖ କରିବାକୁ ପ୍ରତି ପେକ୍ସସ୍ତରୀୟ କମିଟିକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଉପକରଣ ଯନ୍ତ୍ରପାତି ଯଥା- ଓଜନ ମେସିନ, ଆର୍ଦ୍ରତା ମାପ ଯନ୍ତ୍ର, ମିନି ଗ୍ରେଡ, ତାରପୋଲିନ ଇତ୍ୟାଦିକୁ କାର୍ଯ୍ୟକ୍ଷମ କରି ମଣ୍ଡି ଖୋଲାଯିବାର ଯଥେଷ୍ଟ ପୂର୍ବରୁ ଉପଲବ୍ଧ କରାଇବା ଏବଂ ଧାନ ସଂଗ୍ରହ ନିମନ୍ତେ ବିଭାଗୀୟ ଅଧିକାରୀ ଏବଂ ନିୟନ୍ତ୍ରିତ ବଜାର କମିଟିର ସଂପାଦକଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଧାନ ସଂଗ୍ରହ ପ୍ରକ୍ରିୟାକୁ ପାରଦର୍ଶୀ କରିବା ନିମନ୍ତେ ପ୍ରତ୍ୟେକ ପେକ୍ସ ଓ ମଣ୍ଡିଗୁଡ଼ିକରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରିବା ଏବଂ କୌଣସି ଦୈବୀଦୁର୍ବିପାକ ସମୟରେ ଧାନ ଯେପରି ସୁରକ୍ଷିତ ରହିପାରିବ ସେଥିନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଜିଲ୍ଲାରେ ୬୨,୫୫୫ ଜଣ ଚାଷୀ ବିଭିନ୍ନ ପେକ୍ସ ଓ ଏସ୍‌ଏଚ୍‌ଜି ମାଧ୍ୟମରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିଛନ୍ତି। ବୈଠକରେ ସାଂସଦ ଓ ବିଧାୟକଙ୍କ ପ୍ରତିନିଧି ଏବଂ ଚାଷୀପ୍ରତିନିଧିମାନେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ ସମୟରେ ହେଉଥିବା ବିଭିନ୍ନ ଅସୁବିଧା ତଥା ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

The post ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ: ବଲାଙ୍ଗୀର ଜିଲ୍ଲାରେ ୨୯ରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ first appeared on Sambad.

from ଜିଲ୍ଲା | Sambad https://ift.tt/30ffMjW