ଭଞ୍ଜନଗର: ନଷ୍ଟ ହେବାକୁ ଲାଗିଲାଣି ମୁଖ୍ୟ ରାସ୍ତା। ଯେଉଁଠି ଦେଖିଲେ ସେଇଠି ଖାଲ। ପ୍ରତିଦିନ ଶତାଧିକ ଛୋଟ ବଡ଼ ଯାନବାହାନ ଯାତାୟତ କରୁଛି। ଏଠି ଯାନବାହାନ ଯାତାୟତ ପ୍ରତିଦିନର ସମସ୍ୟା ପାଲଟିଛି। ଅସରାଏ ବର୍ଷା ହେଲେ ପାଣି ଜମି ରହୁଛି। ଅନେକ ସମୟରେ ରାସ୍ତା ଖରାପ ଯୋଗୁ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ଘଟୁଛି। ଅନେକ ବାଇକ ସହ ଚାରି ଚକିଆ ଯାନା ବାହାନ ମଧ୍ୟ ଯିବା ଆସିବା କରୁଛି। ଏହି ସମୟରେ ଭାରୀଯାନ ଗଲେ କଥା ସରିଲା। ଏହା କୌଣସି ଉପାନ୍ତ କିମ୍ବା ଦୁର୍ଗମ ଇଲାକାର ରାସ୍ତା ନୁହେଁ,ବରଂ ଏଭଳି ରାସ୍ତାର ଶୋଚନୀୟ ଅବସ୍ଥା ହେଉଛି ଭଞ୍ଜନଗର ସହର ଉପକଣ୍ଠ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର। ଏହି ଜାତୀୟ ରାଜପଥର ଅନେକ ସ୍ଥାନରେ ରାସ୍ତା ଖରାପ ରହିଥିବା ବେଳେ ଭଞ୍ଜନଗର କଲେଜ୍ ରୋଡ଼ ଠାରୁ ଶ୍ରୀରାମ ନଗର ଯାଏଁ ଲମ୍ବି ଥିବା ରାସ୍ତାର ଅବସ୍ଥା ସଂପୂର୍ଣ୍ଣ ଦୟନୀୟ ହୋଇଛି।

ଗମନାଗମନ ଉପରେ ଗୁରୁତ୍ୱ ଦେଇ ସରକାର ବହୁ ପ୍ରକଳ୍ପ ହାତକୁ ନେଇଥିବା ସହ ସୁଗମ ପ୍ରଶସ୍ତ ରାସ୍ତା ନିର୍ମାଣ କରିବା ପାଇଁ ପୁରୁଣା ରାସ୍ତାର ଦୋହରିକରଣ ଏବଂ ଓସାରିଆ ରାସ୍ତା ନିର୍ମାଣ କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। ବିଶେଷ କରି ଦେଶରେ ସଡକ ଦୁର୍ଘଟଣାରେ ଅଧିକାଂଶ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଥିବାରୁ ଭଲ ରାସ୍ତା ନିର୍ମାଣ ଉପରେ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଭଞ୍ଜନଗର ସହର ଅତି ନିକଟରେ ଥିବା ଏହି ରାସ୍ତାରେ ସେହି ସମସ୍ତ ବ୍ୟବସ୍ଥାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ରାସ୍ତା ରାଞ୍ଚି-ବିଜୟୱାଡା କରିଡରର ଅଂଶ ବିଶେଷ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଥିବା ଦୃଷ୍ଟିରୁ ଏହି ରାସ୍ତାର ବହୁତ ଗୁରୁତ୍ବ ବହନ କରେ। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଯାତ୍ରୀବାହୀ ବସ୍ ସହିତ ବହୁ ଚାରି ଓ ଦୁଇ ଚିକିଆ ଯାନ ଠାରୁ ଆରମ୍ଭ କରି ବହୁ ମାଲବାହୀ ଭାରୀଯାନ ଫୁଲବାଣୀ,ବୌଦ୍ଧ,କଳାହାଣ୍ଡି,ସୁନ୍ଦରଗଡ,ଝାରୁସୁଗୁଡା,ସମ୍ବଲପୁର ଭଳି ଗୁରୁତ୍ବପୂର୍ଣ୍ଣ ଇଲାକାକୁ ଯାତାୟତ ହୋଇଥାଏ। କିନ୍ତୁ ରାସ୍ତା ଅବସ୍ଥା ଖରାପ ରହିଥିବାରୁ ହେତୁ ଯାତାୟତରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି।

ଦ୍ରୁତ ଗତିରେ ଆସୁଥିବା ଯାନ ଗୁଡିକ ହଠାତ୍ ଭାରସାମ୍ୟ ହରାଇ ଦୁର୍ଘଟଣାର ଶୀକାର ହେଉଥିବା ନଜିର ରହିଛି। ରାତିରେ ଆସୁଥିବା ଯାନବାହାନ ଗୁଡ଼ିକ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। କିଛି ଦିନ ତଳେ ଜଣେ ବ୍ୟକ୍ତି ଶ୍ରୀରାମନଗର ରାସ୍ତାରେ ହୋଇଥିବା ଖାଲରେ ବାଇକ ଚଳାଇ ଯାଉଥିବା ବେଳେ ଦୁର୍ଘଟଣର ଶିକାର ହୋଇଥିଲେ। ସେ ଗୁରୁତର ହୋଇ ଭଞ୍ଜନଗର ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ସେହିପରି ନିଜ ପୁଅ ଜନ୍ମ ହେବା ପରେ ଭୂବନେଶ୍ବରର ଜଣେ ବ୍ୟକ୍ତି ନିଜ ଶ୍ବଶୁର ଘର ବଦାଙ୍ଗୀକୁ ଏହି ରାସ୍ତାରେ ଯାଉଥିବା ବେଳେ ସମାନ ଢଙ୍ଗରେ ଖାଲୁଆ ରାସ୍ତାରେ ପଡି ଆହାତ ହୋଇଥିଲେ। ଏଭଳି ପ୍ରତିଦିନ ଅନେକ ଛୋଟମୋଟ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏହି ସମସ୍ୟା ପ୍ରତି କେହି ଗୁରତ୍ବ ଦେଉନଥିବା ଅତ୍ୟନ୍ତ ପରିତାପର ବିଷୟ ପାଲଟିଛି। ବର୍ତ୍ତମାନ ଶୀତ ଦିନରେ କୁହୁଡି ଲାଗି ରହୁଥିବାରୁ ଦୁର୍ଘଟଣା ବଢିବା ସମ୍ଭାବନା ବୃଦ୍ଧି ପାଇଛି। ରାସ୍ତାରେ ଆଣ୍ଠୁଏ ଖାଲ ସୃଷ୍ଟି ହୋଇ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ପ୍ରଶାସନ ଏହି ଖାଲ ଗୁଡିକର ମରାମତି ଦିଗରେ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ଦେଖିବାକୁ ମିଳିଛି।

ସେହିପରି ଭଞ୍ଜନଗର-ବ୍ରହ୍ମପୁର ରାସ୍ତା ମଧ୍ୟ ଶୋଚନୀୟ ହୋଇପଡିଛି। ଜିଲୁଣ୍ଡି ,କଇଣ୍ଡି,କଣ୍ଟେଇପଲ୍ଲୀ,ଗୋବରା ଦେଇ ଆସିକା ପର୍ୟ୍ୟନ୍ତ ରାସ୍ତାର ନବୀକରଣ ହୋଇପାରିନି। ଯାହା ଫଳରେ ସେହି ରାସ୍ତାର ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଲାଣି। ଫଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାରେ ଖାଲ ହୋଇଥିବା ସ୍ଥାନ ଗୁଡିକ ତୁରନ୍ତ ମରାମତି କରି ରାସ୍ତା ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି।

The post ଭଞ୍ଜନଗର ସହର ଉପକଣ୍ଠ ଜାତୀୟ ରାଜପଥରେ ଖାଲଖମା, ନିୟମିତ ଘଟୁଛି ଦୁର୍ଘଟଣା first appeared on Sambad.

from ଜିଲ୍ଲା | Sambad https://ift.tt/3HZy35R