
ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୌରାଜଜ୍ ଗୁରୁବାର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାର ବିଚାର କରି ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ତିଲୁପଙ୍ଗା ଗ୍ରାମର ଦିଲ୍ଲୀପ କହଁରକୁ ସଶ୍ରମ କାରାଦଣ୍ଡ ଓ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି।
ସୂଚନା ଅନୁସାରେ ୨୦୧୯ ଅଗଷ୍ଟ ୧୪ ତାରିଖରେ କନ୍ଧମାଳରୁ ବୌଦ୍ଧ ପଟକୁ ଏକ କାର୍ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଫଳରେ ଏକ ସ୍ବତନ୍ତ୍ର ଦଳ ୫୭ ନଂ ଜାତୀୟ ରାଜପଥର ବୁଟୁପାଲିରେ ଛକି ରହିଥିଲେ। ଦୂରରୁ ଅବକାରୀ ଅଧିକାରୀଙ୍କୁ ଦେଖି ଗାଡ଼ିଟି ଅଟକି ଯାଇଥିଲା। ଗାଡ଼ିରୁ ଜଣେ ଫେରାର ହେବାରେ ସକ୍ଷମ ହୋଇଥିବାବେଳେ ଜଣେ ବ୍ୟକ୍ତିକୁ ଅବକାରୀ କର୍ମଚାରୀ କାବୁ କରିଥିଲେ। ଯାଞ୍ଚ ବେଳେ ଧଳା ରଙ୍ଗର ମହିନ୍ଦ୍ରା ଜାଇଲୋ (ଓଡି୦୭-୦୧୦୧) ଗାଡ଼ିରୁ ୮୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଏଥିରେ ଦିଲ୍ଲୀପକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାର ବିଚାର କରି ଗୁରୁବାର ଦିନ ଜିଲ୍ଲା ଦୌରା ଜଜ୍ ସୁଶ୍ରୀ ପ୍ରତିମା ପଣ୍ଡା ଅଭିଯୁକ୍ତକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏଥି ସହିତ ୧ ଲକ୍ଷ ଟଙ୍କାର ଆର୍ଥିକ ଦଣ୍ଡ ଦେଇଛନ୍ତି। ଅର୍ଥ ଅନାଦେୟ ହେଲେ ଅତିରିକ୍ତ ଏକ ବର୍ଷର କାରାଦଣ୍ଡର ଆଦେଶ ଦେଇଛନ୍ତି।
The post ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ first appeared on Sambad.from ଜିଲ୍ଲା | Sambad https://ift.tt/3ksW4Id
0 Comments