ଇବ୍‌ଥର୍ମାଲ: ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ରବିବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ଏମ୍‌ସିଏଲ୍ ଲଖନପୁର କୋଇଲା କ୍ଷେତ୍ର ବିସ୍ଥାପନ ସମସ୍ୟା ଥିବା ଗ୍ରାମ ପରିଦର୍ଶନ କରିଛନ୍ତି। ଆଲୋଚନା ସମୟରେ ଏମ୍‌ସିଏଲ୍‌ ଅଧିକାରୀଙ୍କୁ ତାଗିଦ୍‌ କରିଥିବା ଜଣାପଡ଼ିଛି।

ରବିବାର ସକାଳ ପ୍ରାୟ ୯ଟାରେ ଶ୍ରୀ ସିଂହ ଓ କମିଟି ସଦସ୍ୟ ତଥା ବିଧାୟକ କିଶୋର ମହାନ୍ତି ଅନ୍ୟ ସରକାରୀ ଅଧିକାରୀଙ୍କ ଗହଣରେ ପ୍ରଥମେ ଏମ୍‌ସିଏଲ୍‌ ପୁନର୍ବାସ ପାଇଁ ସ୍ଥାନ ଚିହ୍ନଟ ହୋଇଥିବା ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ମିର୍ଦ୍ଧାଡେରାରେ ପହଞ୍ଚିଥିଲେ। ସେଠାରୁ ଉବୁଡ଼ା, ଖଏରକୁନି, ଟିଙ୍ଗିସମାଲ କୋଇଲାଖଣି ବିସ୍ଥାପିତଙ୍କ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ। ଦର୍ଲିପାଲି ପହଞ୍ଚି ବୈଠକ କରିଥିଲେ। ଦର୍ଲିପାଲିରେ ଲୋକମାନେ ସେମାନଙ୍କ ସମସ୍ୟା କହିବା ସହ ଲିଖିତ ଅଭିଯୋଗ କରିଥିଲେ।

ସବୁ ଶୁଣିବା ପରେ ଶ୍ରୀ ସିଂହ କ୍ଷୋଭ ପ୍ରକାଶ କରି ବିସ୍ଥାପନ ଆଇନ ୨୦୦୬ ଅନୁସାରେ ସରକାରଙ୍କ ନୀତିକୁ ମାନି କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ। ପରେ କମିଟି ସଦସ୍ୟ ଦର୍ଲିପାଲି ଗ୍ରାମବାସୀଙ୍କ ପାଇଁ ୨୦୧୮ରେ ଚିହ୍ନଟ କରାଯାଇଥିବା ଖଡାମ-୧ ଓ ଖଡାମ-୨ ପୁନର୍ବାସ ସ୍ଥାନ ବୁଲି ଦେଖିଥିଲେ। ସେଠାରେ ଏମ୍‌ସିଏଲ ଜରୁରୀ ଆବଶ୍ୟକତା ପୂରଣ କରି ନଥିବା ଦେଖି ବିରକ୍ତି ପ୍ରକାଶ କରିଥିଲେ।

ଏହାପରେ ଓପିଜିସି ଯାଇ ଓପିଜିସି ରିସୋର୍ସ ସେଣ୍ଟରସ୍ଥିତ କନଫରେନସ୍ ହଲରେ ସମସ୍ତ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିଲା। ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଶ୍ରୀ ମହାନ୍ତି, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ, ଶକ୍ତି ବିଭାଗ ସ୍ବତନ୍ତ୍ର ସଚିବ ଧନଞ୍ଜୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

The post ବିଧାନସଭା ଗୃହ କମିଟି ଝାରସୁଗୁଡ଼ା ଗସ୍ତ: ଏମ୍‌ସିଏଲ୍‌ ଅଧିକାରୀଙ୍କୁ ତାଗିଦ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3p1UQoA