
ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ତ ଅନ୍ତର୍ଗତ ତେଣ୍ତରା ଗ୍ରାମ ପଥରପୁଞ୍ଜି ନିକଟରେ ଗତ ବୁଧବାର ରାତିରେ ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ୍ୟୁ ହେବା ଘଟଣାରେ ଆଜି ବନ ବିଭାଗ ପକ୍ଷରୁ ୩ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ତେଣ୍ତରା ଭୂୟାଁ ସାହିର ଦଶହରା ଭୂୟାଁ(୨୫), ଝଗଡୁ ଭୂୟାଁ(୩୦) ଓ ନିରଞ୍ଜନ ସାହୁ(୨୮) ପ୍ରମୁଖ ୩ଜଣ ଜଙ୍ଗଲକୁ ବାର୍ହା ଶିକାର ପାଇଁ ଯାଇଥିଲେ। ସେମାନେ ଜଙ୍ଗଲ କଡ଼ ପଡିଆରେ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ଲାଇନରୁ ହୁକ୍ ପକାଇ ବିଦ୍ୟୁତ ତାର ଲଗାଇ ଛକି ବସିଥିଲେ। ତେବେ କିଛି ସମୟ ପରେ ଏକ ଦନ୍ତା ହାତୀ ସେହି ରାସ୍ତା ଦେଇ ଯାଉଥିବାବେଳେ ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଛଟପଟ ହୋଇ ମୃତ୍ୟୁ ହୋଇଥିଲା।
ଏହି ଘଟଣା ଶିକାରୀ ୩ ଜଣ ଦେଖି ବିଛାଯାଇଥିବା ବିଦ୍ୟୁତ ତାର ଗୁଡିକୁ ଖୋଲି ଦେଇ ଘଟଣାସ୍ଥଳରୁ ଅନ୍ୟତ୍ର ଚାଲିଯାଇଥିଲେ। ସକାଳେ ଗ୍ରାମବାସୀ ଓ ବନବିଭାଗ ଦନ୍ତାହାତୀର ମୃତ୍ୟୁ ହେବା ଦେଖି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଗତକାଲି ସନ୍ଧ୍ୟାରେ ଶବକୁ ବ୍ୟବଚ୍ଛେଦ କରିବା ପରେ ପୋତି ଦେଇଥିଲେ। ତେବେ ଏହାକୁ ବିଦ୍ୟୁତ ତା ଲଗାଇ ହତ୍ୟା ହୋଇଥିବା ସ୍ପଷ୍ଟ ହେବା ପରେ ଗତକାଲି ରାତିରେ ବଣାଇ ବନାଂଚଳ ପକ୍ଷରୁ ବନାଂଚଳ ଅଧିକାରୀ ଅକ୍ଷୟ ଛତ୍ରିଆଙ୍କ ନେତୃତ୍ବରେ ସଦଳବଳେ ଚଢଉ କରି ଏହି ୩ ଶିକାରୀଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ହାତୀ ମାରିବାରେ ବ୍ୟବହାର ହୋଇଥିବା ବିଦ୍ୟୁତ ତାର ଗୁଡିକୁ ଜବତ କରିବା ପରେ ଆଜି ସେହି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
The post ହାତୀ ମୃତ୍ୟୁ ଘଟଣା, ୩ ଶିକାରୀ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3x7mJzy
0 Comments