
ପୁରୀ : ଓଡ଼ିଆଙ୍କ ଯାଦୁକରୀ କାରିଗରୀର ପ୍ରଚାର ହେବ। ହସ୍ତଶିଳ୍ପର ବିକ୍ରିବଟା ପାଇଁ ବାଟ ଫିଟିବ। ପର୍ଯ୍ୟଟକମାନଙ୍କୁ ଖାଣ୍ଟିମାର୍କା ବଜାର ଯୋଗାଇ ଦିଆଯିବ। କାରିଗର ଉପକୃତ ହେବେ, ପର୍ଯ୍ୟଟକ ବି ହସ୍ତକଳା କିଣିବା ସହ ଓଡ଼ିଶା ହସ୍ତଶିଳ୍ପର ଆମ୍ବାସାଡର ସାଜିବେ। ଏମିତି ଏକ ମହତ୍ ପରିକଳ୍ପନାରୁ ଜିଲ୍ଲା ସ୍କୁଲ୍ ନିକଟରେ ଜନ୍ମ ନେଇଥିଲା ନୀଳାଚଳ ଅର୍ବାନ ହାଟ। ସରକାର ହାତ ଖୋଲି ଖର୍ଚ୍ଚ କରିଥିଲେ। ମାତ୍ର ଶ୍ରୀକ୍ଷେତ୍ର ଆସୁଥିବା ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଗଢ଼ି ଉଠିଥିବା ଏହି ପ୍ରକଳ୍ପ ଏବେ ଶ୍ରୀହୀନ ହୋଇପଡ଼ିଛି। ଦୂରଦୃଷ୍ଟି ଓ ପ୍ରଚାର ପ୍ରସାର ଅଭାବରୁ ଏହି କଳା ହାଟର ଅସ୍ତିତ୍ବ ନେଇ ପ୍ରଶ୍ନ ଉଠିଲାଣି। ୧୧ କୋଟିର ପ୍ରକଳ୍ପରେ ଏବେ ତାଲା ଝୁଲୁଛି। ଏହାର ଭବିଷ୍ୟତକୁ ନେଇ ନା ଅଧିକାରୀଙ୍କ ପାଖରେ ଉତ୍ତର ଅଛି, ସରକାରଙ୍କର ଏହାକୁ ନେଇ କୌଣସି ଯୋଜନା ରହିଛି।
ଐତିହ୍ୟ ଓ ଆଧ୍ୟାତ୍ମିକ ଭୂମି ଶ୍ରୀକ୍ଷେତ୍ରକୁ ପ୍ରତିଦିନ ଲକ୍ଷଲକ୍ଷ ପର୍ଯ୍ୟଟକ ଛୁଟି ଆସନ୍ତି। ଏହି ପର୍ଯ୍ୟଟକମାନଙ୍କ ଯୋଗୁ ହିଁ ଅର୍ଦ୍ଧାଧିକ ପୁରୀବାସୀ ପ୍ରତ୍ୟକ୍ଷ ଓ ପରୋକ୍ଷରେ ରୋଜଗାର ପାଆନ୍ତି। ତେଣୁ ପର୍ଯ୍ୟଟନ ଶିଳ୍ପର ଗନ୍ତାଘର ଏହି ସହରରେ ଜିଲ୍ଲାସ୍କୁଲ୍ ନିକଟରେ ନୀଳାଚଳ ଅର୍ବାନ ହାଟ ଗଢ଼ି ଉଠିଥିଲା। ପ୍ରାୟ ୧୧ କୋଟି ଟଙ୍କାର ବଜେଟ୍ ବିନିଯୋଗ ହୋଇଥିଲା। ଏହା ମଧ୍ୟରେ ୩୯ଟି ସପିଂ କାଉଣ୍ଟର ତଥା ବ୍ୟବସାୟ କେନ୍ଦ୍ର ଖୋଲା ଯାଇଥିଲା। ବଛାବଛା ହସ୍ତଶିଳ୍ପୀମାନଙ୍କୁ ଦୋକାନ ଗୃହ ଯୋଗାଇ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ପ୍ରକଳ୍ପକୁ ୨୦୦୯ ମସିହା ଡିସେମ୍ବର ୯ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ୍ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଉପସ୍ଥିତିରେ ଏହାର ଲୋକାର୍ପଣ କରାଯାଇଥିଲା। ଶ୍ରୀମତୀ ପାଟିଲ୍ ଓଡ଼ିଆଙ୍କ ହସ୍ତଶିଳ୍ପର ଭୂରି ପ୍ରଶଂସା କରିଥିଲେ। ଏହି ହାଟ ଦୁଇବର୍ଷ ଯେନେତେନ ପ୍ରକାରେ ଚାଲିଥିଲା। ମାତ୍ର ପ୍ରଚାର ପ୍ରସାର ଅଭାବରୁ ଏଠାରେ ଆଉ ପର୍ଯ୍ୟଟକଙ୍କ ପାଦ ପଡ଼ିଲା ନାହିଁ। ସ୍ଥିତି ଏମିତି ହେଲା ଯେ ଯେଉଁମାନେ ଦୋକାନ ଘର ଭଡ଼ାରେ ନେଇଥିଲେ ସେଥିପାଇଁ ନିର୍ଦ୍ଧାରିତ ଭଡ଼ା ବାବଦ ଅର୍ଥ ବି ପଇଠ କରିପାରିଲେ ନାହିଁ। ଆୟ ହେଉନଥିବାରୁ ଭଡ଼ା ଗଣିବା ପରିବର୍ତ୍ତେ ହସ୍ତଶିଳ୍ପୀମାନେ ଦୋକାନ ଘର ଛାଡ଼ିବା ଆରମ୍ଭ କରିଦେଇଥିଲେ।

୨୦୧୯ ଫନି ମହାବାତ୍ୟା ପରେ ଏହାର ଅବସ୍ଥା ଆହୁରି ବିଗିଡ଼ିଗଲା। ଏହା ମଧ୍ୟରେ ଆକର୍ଷଣ ସାଜୁଥିବ ପ୍ରକଳ୍ପ ଭାଙ୍ଗିରୁଜି ଚୂରମାର ହୋଇଗଲା। ଗଣମାଧ୍ୟମ ବାରମ୍ବାର ଏନେଇ କଡ଼ା ସମାଲୋଚନା ପରେ ଇଡ୍କୋ, ପର୍ଯ୍ୟଟନ ବିଭାଗ, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗର ଅଧିକାରୀମାନେ ତତ୍କାଳୀନ ଜିଲ୍ଲାପାଳ ଓ ପୌରପାଳିକାର ଅଧିକାରୀଙ୍କୁ ଭେଟିଲେ। ପରବର୍ତ୍ତୀ ସମୟରେ ଏହା ହସ୍ତଶିଳ୍ପ ବିଭାଗକୁ ହସ୍ତାନ୍ତର ହେବ ବୋଲି ନିଷ୍ପତ୍ତି ହେଲା। ମାତ୍ର ହାଟକୁ ଏଯାଏ କାର୍ଯ୍ୟକ୍ଷମ କରାଯାଇପାରିଲା ନାହିଁ।
ଏବେ ଏହି ହାଟକୁ ସୁରକ୍ଷା ଦେଉଥିବା ପାଚେରି ଭାଙ୍ଗିଗଲାଣି। ପ୍ରବେଶ ପଥରେ ଥିବା ତୋରଣରେ ଗଛ ଉଠିଗଲାଣି। ଶୋଭାବର୍ଦ୍ଧନ କରୁଥିବା ମ୍ୟୁଜିକାଲ୍ ଫାଉଣ୍ଟେନ୍ ଅଚଳ ହୋଇଯାଇଛି। ମୁକ୍ତାକାଶ ମଞ୍ଚ ଭାଙ୍ଗିରୁଜି ଗଲାଣି। ହାଟ ସମ୍ମୁଖ ପିଲାମାନଙ୍କ ପାଇଁ ଖେଳ ପଡ଼ିଆ ପାଲଟି ଯାଇଛି। କେହିକେହି ଏହି ସ୍ଥାନ ଚୟନକୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି। ଯଦି ପର୍ଯ୍ୟଟକ ଆକର୍ଷଣୀୟ ଅନୁଭବ ପାଇଁ ମାତାମଠକୁ ଯାଇ ପାରୁଛନ୍ତି, ତେବେ ଏଠାରେ ମଧ୍ୟ ଐତିହ୍ୟ ସଂଗ୍ରହାଳୟଟିଏ ସ୍ଥାପନା କରି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିବ। ଐତିହ୍ୟ ପ୍ରେମୀ ସତ୍ୟନାରାୟଣ ସାହୁ କହିଛନ୍ତି, କେବଳ ବଜାରରୁ ଜିନିଷ କିଣିବା ପାଇଁ କିମ୍ବା ଅବସର ବିନୋଦନ ପାଇଁ ଭିତ୍ତିଭୂମି ଖଞ୍ଜି ଦେଲେ ହେବନାହିଁ। ବରଂ ଏଥିପାଇଁ ସଂଗ୍ରହାଳୟର ପରିକଳ୍ପନା କିମ୍ବା ଚିନ୍ତାଶୀଳ ବ୍ୟକ୍ତିବିଶେଷଙ୍କୁ ନେଇ ନୂଆ କଥା କରାଯାଇପାରିଲେ ପର୍ଯ୍ୟଟକଙ୍କୁ ପୁନଃ ଏଠାକୁ ଫେରାଇ ଅଣାଯାଇପାରିବ ବୋଲି ସେ କହିଛନ୍ତି।
The post ଶ୍ରୀହୀନ ହୋଇପଡ଼ିଛି ’ନୀଳାଚଳ ଅର୍ବାନ ହାଟ’, ହାଟର ଅସ୍ତିତ୍ୱ ନେଇ ଉଠିଲାଣି ପ୍ରଶ୍ନ first appeared on Sambad.from ଜିଲ୍ଲା | Sambad https://ift.tt/3ENd9Ew
0 Comments