
ବୈପାରୀଗୁଡି: କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକରେ ମନରେଗା ଯୋଜନାରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହୋଇଥିବାରୁ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଦାବି ହୋଇଥିଲା। ଉକ୍ତ ଦାବି ପରେ ମନରେଗା କାର୍ଯ୍ୟର ବୁଧବାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଡିଆରଡିଏ କୋରାପୁଟ ପକ୍ଷରୁ ମନେରଗା ଯୋଜନା ତଦନ୍ତ ଅଧିକାରୀ ସତ୍ୟ ପ୍ରିୟ ନଳିନୀ କୁମାର ଟାକ୍ରି ଚିପାକୁର ଗସ୍ତ କରିଥିଲେ। ବ୍ଲକର ଚିପାକୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର,ପିଇଓ ଜିଆରଏସ ଏବଂ ଗ୍ରାମବାସୀ ତଥା ଅଭିଯୋଗକାରୀଙ୍କ ଉପସ୍ଥିତରେ ବିଭଗୀୟ ଅଧିକାରୀ ଲୋକଙ୍କଠାରୁ ଅଭିଯୋଗ ଅନୁଯାୟୀ ବିଭିନ୍ନ ତଥ୍ୟ ରେକର୍ଡ କରିଛନ୍ତି। ପରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ ତଦାରଖ କରି କୋରାପୁଟ ଫେରିଛନ୍ତି।
କରୋନା ସମୟରେ କଳକାରଖାନା ବନ୍ଦ ହୋଇଯିବାରୁ ପ୍ରତ୍ୟେକ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଥିଲେ। ଓଡ଼ିଶାକୁ ବି ଅନେକ ଶ୍ରମିକ ଫେରିଥିଲେ। ତେବେ ସେମାନଙ୍କ ବଞ୍ଚିବା ସକାଶେ ସରକାର ମନରେଗାରେ ସେମାନଙ୍କୁ କାମ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମନରୋଗା କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯାଉଛି। ତେବେ ଏହି କାର୍ଯ୍ୟରେ ଅନେକ ସ୍ଥାନରେ ଦୁର୍ନୀତି ହେଉଥିବା ଦୃଷ୍ଟିଗୋଚର ହୋଇଛି। ଶ୍ରମିକ ବଦଳରେ ଅନେକ କାର୍ଯ୍ୟ ମେସିନରେ କରାଯାଉଛି। କିନ୍ତୁ ଶ୍ରମିକ ନାମରେ ପାରିଶ୍ରମିକ ଉଠୁଛି। ଅନେକ ସ୍ଥାନରେ କାମ ନହୋଇ ବି ବିଲ ହେଉଛି। ଏହାର ଏକ ଝଲକ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଚିପାକୁର ଗ୍ରାମରେ।
ଚିପାକୁର ଅଞ୍ଚଳରେ ପୋଖରୀ ଖୋଳାଠାରୁ ଆରମ୍ଭ କରି ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ମନରେଗା ଜରିଆରେ କରାଯାଉଛି। ଉକ୍ତ କାର୍ଯ୍ୟରେ ବହୁ ଅନିୟମିତତା ହୋଇଛି। ଏଭଳି ଗୁରୁତର ଅଭିଯୋଗ କରି କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଦାବି କରିଥିଲେ। ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ପିସି ମାଗୁଛନ୍ତି। ନିରୀହ ଆଦିବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ତେଣୁ ଶ୍ରମିକମାନେ ମନରେଗା ପ୍ରତି ଆକୃଷ୍ଟ ନହୋଇ ଦାଦନ ଖଟିବାକୁ ବାହାରକୁ ଚାଲି ଯାଉଛନ୍ତି। ଫଳରେ ଯେଉଁ ଉଦ୍ଦେଶ୍ୟରେ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କଲେ ତାହା ସଫଳ ହୋଇପାରୁନାହିଁ। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ନମିଳିବାରୁ ସେମାନେ ବ୍ଲକ ସମ୍ମୁଖରେ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଦାବିରେ ଧାରଣା ଦେଇଥିଲେ। ତେବେ ଏହି ଆନ୍ଦୋଳନ ଦିନକୁ ଦିନ ଜୋର ଧରିଥିଲା। ଶେଷରେ ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତି ସମର୍ଥନ କରିଥିଲେ। ବିଡିଓଙ୍କ ପ୍ରତିଶ୍ରୁତି ପାଇ ସ୍ଥାନୀୟ ଲୋକେ ଧାରଣାରୁ ଉଠିଥିଲେ। ତେବେ ବହୁ ଡେରିରେ ବିଡିଓଙ୍କ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ମିଳିଥିଲା। ଏବେ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିବାରୁ ଏହା କେତେ ଫଳପ୍ରଦ ହେବ ତାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରଶ୍ନ ଉଠିଛି।
The post ମନରେଗା ଦୁର୍ନୀତିର ପ୍ରଶାସନିକ ତଦନ୍ତ ଆରମ୍ଭ first appeared on Sambad.from ଜିଲ୍ଲା | Sambad https://ift.tt/3nKtzHX
0 Comments